୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଉତ୍ତୀର୍ଣ୍ଣ ହେଲେ ଆଶା ଦିଦି
ଭଦ୍ରକ(ସଖପ୍ର): ଦୃଢ ଇଚ୍ଛା ଶକ୍ତି, ଉଦ୍ୟମ ଓ ସାହସ ଥିଲେ ଯେକୌଣସି କାର୍ଯ୍ୟରେ ଜଣେ ସଫଳତା ହାସଲ କରିବ ଏହା ନିଃସନ୍ଦେହ । ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ଯ ନିଜର ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ । ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଜଣେ ଆଶା ଦିଦି । ଲୋକଙ୍କ ସେବା କରିବା ସହ ନିଜ କର୍ମମୟ ଜୀବନରେ ହାର ମାନିନାହାନ୍ତି ୫୭ ବର୍ଷୀୟ ମହିଳା । ମହିଳା ଜଣକ ଆଶା କର୍ମୀ ହୋଇ ମଧ୍ୟ ବୟସର ଅପରାହ୍ନରେ ଶିକ୍ଷା କ୍ଷେତ୍ରରେ ମନୋନିବେଶ କରି ପରୀକ୍ଷାରେ କୃତକାର୍ଯ୍ୟ ହେବା, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ କଣ୍ଟି ଗ୍ରାମର ସ୍ୱର୍ଣ୍ଣଲତା ପତି ଦୀର୍ଘବର୍ଷ ହେବ ପିଲା ଛୁଆଙ୍କୁ ନେଇ ସଂସାର ଚଳାଉଛନ୍ତି । ବିବାହର ଅଳ୍ପ କିଛିବର୍ଷ ପରେ ସ୍ୱାମୀ ତାଙ୍କ ହାତ ଛାଡି ଆରପାରିକୁ ଚାଲିଗଲା ପରେ ସ୍ୱର୍ଣ୍ଣଲତା ଭାଗ୍ୟକୁ ଆଦରି ପିଲାଛୁଆଙ୍କୁୁ ଧରି ଯଥାକଷ୍ଟେ ଚଳି ଆସୁଛନ୍ତି । ଏହାରି ଭିତରେ ସେ ଆଶା ଦିଦି ଭାବେ ନିଯୁକ୍ତ ହୋଇ ଅଞ୍ଚଳର ଅନେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି । ସରକାରଙ୍କ ପରିବର୍ତ୍ତୀତ ନିୟମ ଅନୁସାରେ ଜଣେ ମାଟ୍ରିକ ପାସ କଲେ ତାଙ୍କୁ ଚାକିରୀକାଳର ସମସ୍ତ ସୁବିଧା ସୁଯୋଗ ଯୋଗାଇଦିଆଯିବ ବୋଲି ଘୋଷଣା ହୋଇଥିଲା । ଏହାକୁ ଆଧାର କରି ସ୍ୱର୍ଣ୍ଣଲତା ଚଳିତବର୍ଷ ୫୭ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ତେବେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ସରକାରଙ୍କର ନିଷ୍ପତି କ୍ରମେ ମାଟ୍ରିକ ପରୀକ୍ଷା ନହୋଇ ପୂର୍ବ ପରିକ୍ଷା ହିସାବରେ ନମ୍ବର ଦେବା ସ୍ବର୍ଣ୍ଣାଲତାଙ୍କ ପାଇଁ ଆଶୀର୍ବାଦ ସ୍ୱରୂପ ହେଲା ଶେଷରେ ସେ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହେଲେ । ତାଙ୍କର ଏଭଳି ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛି ।
ଭଦ୍ରକ ପ୍ରତିନିଧି ଆଶିଷ ରଞ୍ଜନ ପତି