12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୩ ୯୧ ବ୍ଲକ୍ କ୍ରାଇଟେରିଆ ମହାବିଦ୍ୟାଳୟକୁ ପ୍ରତ୍ୟକ୍ଷ ଅନୁଦାନ ଦାବି

ଜୟପୁର ୩/୧୧(ସଖପ୍ର): କୋରାପୁଟ ଜିଲା ଜୟପୁରସ୍ଥିତ ଏକ ନସିଂ ମହାବିଦ୍ୟାଳୟ ସଭା ଗୃହରେ ଅବିଭକ୍ତ କୋରାପୁଟ ଜିଲାର ୩୯୧ ବ୍ଲକ୍ କ୍ରାଇଟେରିଆ ମହାବିଦ୍ୟାଳୟ ଅଧ୍ୟାପକ ଏବଂ କର୍ମଚାରୀ ସଙ୍ଘ କର୍ମଚାରୀଙ୍କ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଙ୍ଘର ରାଜ୍ୟ ସଭାପତି ଅଶ୍ୱିନୀ କୁମାର ମେହେର, କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ବଲ୍ଲଭ ସାମନ୍ତ, ଉପସଭାପତି ଡଃ ସି.ଏଚ୍. ସୁଧାକର ଏବଂ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ କୋଷାଧ୍ୟକ୍ଷ ଡଃ ସଞ୍ଜିବ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ | ଆଜିର ଏହି ବୈଠକରେ ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗ ଦ୍ବାରା ପ୍ରସ୍ତାବିତ ଏବଂ ଅନୁମୋଦିତ ଫାଇଲ ଉପରେ ସ୍ବତନ୍ତ୍ର ଆଲୋଚନା ହେବା ପରେ ଉପସ୍ଥିତ ସଭ୍ୟମାନେ ଏହାର ବର୍ତ୍ତମାନ ସ୍ଥିତି ଉପରେ ଅବଗତି ନିମନ୍ତେ ସଭାପତି ଓ ଅନ୍ୟ ଅତିଥିଗଣ ମତ ପ୍ରକାଶ କରିଥିଲେ । ସଭାପତି ଓ କାର୍ଯ୍ୟକାରୀ ସଭାପତି ବକ୍ତବ୍ୟ ମାଧ୍ଯମରେ ସୂଚାଇ ଥିଲେ ଯେ, ଉଚ୍ଚ ଶିକ୍ଷା ବିଭାଗ ୧୯୯୪ ଅନୁଦାନ ନୀତିର ଅବିକଳ ନକଲ ସ୍ବରୁପ କେବଳ ପିଛଲା ବକେୟାକୁ ବାଦ ଦେଇ ଅନ୍ୟ ସମସ୍ତ ସୁବିଧା ସୁଯୋଗ ଦେବା ନିମନ୍ତେ ଏକ ନୂତନ ନୀତି ପ୍ରଣୟନ କରି ପ୍ରତ୍ୟକ୍ଷ ଅନୁଦାନ ପ୍ରଦାନ ଦାବିରେ ଏକ ଫାଇଲ୍ ଅର୍ଥ ବିଭାଗର ମଞ୍ଜୁରୀ ପାଇଁ ପଠାଇଥିଲେ । ଏଥିରେ ୧୯୯୪ ନୀତି ଅନୁଯାୟୀ, ମୁଖ୍ୟତଃ ବ୍ଲକ୍ ମୁଖ୍ୟାଳୟ ମହାବିଦ୍ୟାଳୟଗୁଡିକ ଅନୁଦାନ ପରିସରଭୁକ୍ତ ହେବା ସଙ୍ଗେ ସଙ୍ଗେ ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଥିବା ଅସମାନତାକୁ ଦୂର କରିବା ନିମନ୍ତେ ସମସ୍ତ ବ୍ୟବସ୍ଥା ରହିଛି । କିନ୍ତୁ ବିଗତ ସରକାରଙ୍କ ସମୟରେ ଅର୍ଥ ବିଭାଗ ଫାଇଲର ଯଥାର୍ଥତାକୁ ବିଶ୍ଲେଷଣ ନକରି ଉଚ୍ଚତମ ନ୍ୟାୟାଳୟର ଏକ ଆଦେଶର ଆଳ ଦେଖାଇ ଉକ୍ତ ଫାଇଲକୁ ଉଚ୍ଚ ଶିକ୍ଷା ବିଭାଗକୁ ଫେରାଇ ଦେଇଥିଲା। ସେତେବେଳେ ଏହାକୁ ସମଗ୍ର ରାଜ୍ୟରେ ସମାଲୋଚନା କରାଯାଇଥିଲା। ନୂତନ ସରକାର କ୍ଷମତାକୁ ଆସିବାପରେ ସଙ୍ଘର ନେତୃବୃନ୍ଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଆଇନ ମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ଦେବା ନେଇ ସଙ୍ଘ ସଭାପତି ଶ୍ରୀ ମେହେର ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ବିଚାର କରିବା ପରେ ଉକ୍ତ ଫାଇଲଟିକୁ ପୁନର୍ବାର ଅର୍ଥ ବିଭାଗକୁ ପଠାଇଛନ୍ତି ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟ ବଂଶ ସୁରଜ ନେତୃମଣ୍ଡଳୀକୁ ଜଣାଇଛନ୍ତି । ବୈଠକରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପଦକ୍ଷେପ ବିଷୟ ଜଣାପଡ଼ିବା ପରେ ସମସ୍ତ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ମାଲକାନଗିରି ଜିଲାର ଅଧ୍ୟକ୍ଷ ଗୌରୀଶଙ୍କର ବେହେରାଙ୍କ ଉଦ୍ୟମ ଏବଂ ରାଜ୍ୟ ଉପସଭାପତି ଡଃ ପ୍ରଦୀପ କୁମାର ସ୍ବାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଅବିଭକ୍ତ କୋରାପୁଟ ଜିଲାର ଶତାଧିକ କର୍ମଚାରୀ ଭାଗ ନେଇଥିଲେ। ନବରଙ୍ଗପୁର ଜିଲାର ଶିବ ପଟ୍ଟନାୟକ, କୋରାପୁଟ ଜିଲାର ବୈଜୟନ୍ତୀ ସାମଲ, କଳାହାଣ୍ଡି ଜିଲାର ସଭାପତି ବଙ୍କିମ ମୁଣ୍ଡ ଏବଂ ରାୟଗଡ଼ା ଜିଲାର ସୁଜାତା ଦାସଙ୍କ ସମେତ ସମସ୍ତ କର୍ମକର୍ତ୍ତା ବୈଠକ ପରିଚାଳନାରେ ସହଯୋଗ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *