୩ ଘଂଟା ପାଇଁ ଗୁଜରାତ ଆସିବେ ଟ୍ରମ୍ପ, ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା
ଅହମ୍ମଦାବାଦ, ୧୫|୦୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆସନ୍ତା ୨୪ ତାରିଖରେ ଗୁଜରାତରେ ଆସି ପହଁଚିବେ। ସେ ମାତ୍ର ୩ ଘଂଟା ପାଇଁ ଅହମ୍ମଦାବାଦ ସହର ଗସ୍ତ କରିବେ। ତେବେ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଅହମ୍ମଦାବାଦରେ ବ୍ୟାପକ ଆୟୋଜନ କରାଯାଇଛି। ସହରକୁ ସୁନ୍ଦର କରାଯାଉଛି। ଏହି ହାଇ ପ୍ରୋଫାଇଲ୍ ଗସ୍ତ ପାଇଁ ରାଜ୍ୟ ସରକାର ରାତିଦିନ ଏକ କରିଦେଇଛନ୍ତି।
ଏହି ଗସ୍ତ ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏନେଇ ଗୁଜରାତ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଘୋଷଣା କରିସାରିଛନ୍ତି। ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅର୍ଥ ଯେପରି ବାଧକ ନସାଜେ ସେ ସ୍ପଷ୍ଟ କରି ସାରିଛନ୍ତି। ଅହମ୍ମଦାବାଦ ମୁନିସିପାଲ କର୍ପୋରେସନ ଓ ଏଡିଏ ରାସ୍ତାଘାଟ ଓ ସହରର ସୌନ୍ଦର୍ଯ୍ୟକରଣ ପାଇଁ ୧୦୦ କୋଟି ଖର୍ଚ୍ଚ କରିସାରିଲେଣି। ଟ୍ରମ୍ପ ଯେଉଁ ୧.୫ କିମି ରାସ୍ତା ଦେଇ ଗତି କରିବେ ସେହି ରାସ୍ତା ସହ ଅନ୍ୟ ୧୭ଟି ରାସ୍ତା ପାଇଁ ୬୦ କୋଟି ଖର୍ଚ୍ଚ ହୋଇଛି। ଏହି ରାସ୍ତା ମୋଟେରା ଷ୍ଟାଡିୟମକୁ ଯାଇଛି। ଯେଉଁଠି ଟ୍ରମ୍ପ ଅଭିଭାଷଣ ଦେବେ। ତେବେ ଏହି ଅର୍ଥ ରାଶି ମଧ୍ୟରୁ ଭାରତ ସରକାର ମଧ୍ୟ କିଛି ବହନ କରିବେ ବୋଲି ସୂଚନା ମିଳିଛି। କିନ୍ତୁ ମୁଖ୍ୟ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଜଣେ ମହାନଗର ଅଧିକାରୀଙ୍କ କହିବାନୁସାରେ, ବଜେଟରେ ସହରର ରାସ୍ତାଘାଟ ମରାମତି ପାଇଁ ମୋଟ ୫୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହାକୁ ମୋଟେରା ଷ୍ଟାଡିୟମ ରାସ୍ତା, ବିମାନ ବନ୍ଦର ଓ ସାବରମତି ଆଶ୍ରମ ରାସ୍ତା ପାଇଁ ଖର୍ଚ୍ଚ କରାଯିବ।