୩୬୦ କୋଟି ଟଙ୍କା ଅଟକଳ ମୂଲ୍ୟର ହେବ ଟେଣ୍ଡର, ଉପକୃତ ହେବେ ଧାମନଗରବାସୀ
ଭଦ୍ରକ (ସଖପ୍ର): ଆଜି ତା ୨୧/୬/୨୦୨୧ ରିଖ ଦିବା ୧.୩୦ ସମୟରେ ଭଦ୍ରକର ମାନନୀୟା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଓ ଧାମନଗରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ ଭୁବନେଶ୍ୱର ସେଚସଦନଠାରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥ, ମୂଖ୍ୟ ଯନ୍ତ୍ରୀ ଇଂ ଭକ୍ତ ଚରଣ ମହାନ୍ତି ଓ ଯାଜପୁର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଧନେଶ୍ୱର ସାମଲଙ୍କ ସହିତ ବହୁ ପ୍ରତୀକ୍ଷିତ ଏବଂ ପୂର୍ବ ପ୍ରସ୍ତାବିତ କୋଚିଳା ବ୍ୟାରେଜ, ଗୌରାଙ୍ଗପୁର , ମଲ୍ଲିମାହାରା, ଗାଇଛନ୍ଦା, କନକେଇ ଏସକେପ ସହିତ ନଦୀବନ୍ଧର ମରାମତି, ସୁଦୃଢ଼ୀକରଣ, ଗମନାଗମନ ଏବଂ ଡ୍ରେନେଜଗୁଡିକର ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଏକ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ । ପ୍ରକାଶ ଥାଉକି, କୋଚିଳା ବ୍ୟାରେଜ ନିର୍ମାଣ ପାଇଁ ପୂର୍ବତନ ବିଧାୟକ ଶ୍ରୀ ମୁକ୍ତିକାନ୍ତ ମଣ୍ଡଳ ଓଡ଼ିଶା ବିଧାନସଭାର ବିଭିନ୍ନ କମିଟିକୁ କ୍ଷେତ୍ର ପରିଦର୍ଶନ କରାଇବା ସହ ବିଧାନସଭାର ପ୍ରଶ୍ନ ନଂ ୫୪୭୨ ଓ ୫୪୭୫ ତା:୧୬/୫/୨୦୧୬ରିଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଉତ୍ତର ଏବଂ ବୈଷୟିକ ଓ ପ୍ରଶାସନିକ ଅନୁମୋଦନ ଇତ୍ୟାଦି ପ୍ରସ୍ତାବ ସରକାରଙ୍କ ଠାରେ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଆଗେଇ ନେଇଥିଲେ। ଇତି ମଧ୍ୟରେ ମାନନୀୟା ସାଂସଦ ମଞ୍ଜୁଲତା ମଣ୍ଡଳ ତାଙ୍କ ପତ୍ର ସଂଖ୍ୟା ୪୧୧/MP/୨୦ ତା:୨୯/୧୧/୨୦୨୦ ମାଧ୍ୟମରେ ବ୍ୟକ୍ତିଗତ ଭାବେ ଏ ବାବଦରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ।
ଏହି ପ୍ରକଳ୍ପ ପ୍ରାୟ ୩୬୦ କୋଟି ଟଙ୍କା ଅଟକଳ ବ୍ୟୟରେ ଖୁବ ଶୀଘ୍ର ଟେଣ୍ଡର ହେବାକୁ ଯାଉଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଇଂ ରଥ ପ୍ରକାଶ କରିଥିଲେ । ଏହା ଫଳରେ ଧାମନଗର ଅଞ୍ଚଳ ବନ୍ୟା ଦାଉରୁ ରକ୍ଷା ସହ ଚାଷ ଜମି ଜଳସେଚନ ହୋଇ ଲୋକ ମାନଙ୍କର ବହୁ ଉପକାର ସାଧିତ ହୋଇ ପାରିବ । ଏଥିପାଇଁ ଧାମନଗରବାସୀ , ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ମାନ୍ୟବର ଜଳସେଚନ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ, ମାନନୀୟା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ , ଯାଜପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଭଦ୍ରକ ପ୍ରତିନିଧି ଆଶିଷ ରଞ୍ଜନ ପତି