01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୩୦ କିଲୋମିଟର ଖଟିଆରେ ବୁହା ହେଲା ଶବ…

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସମୟରେ ରୋଗୀ , ଗର୍ଭବତୀ ମହିଳା ଓ ଶବକୁ ବୁହା ହେବା ଘଟଣା ଘଟିଚାଲିଛି। ତେବେ ଏଥିପାଇଁ ଜିଲ୍ଲାର ଗ୍ରାମାଂଚଳରେ ପକ୍କା ରାସ୍ତା ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ରୋଗୀଙ୍କୁ ଖଟିଆ କିମ୍ବା ଭାରରେ ବୁହା ହେଉଥିବା ଘଟଣା ଲୋକ ଲୋଚକୁ ଆସୁଛି। କିନ୍ତୁ ସଚେତନତାର ଅଭାବ ଯୋଗୁଁ ଗୁଣିଆ ପାଖରେ ଚିକିତ୍ସା କରି ପ୍ରାଣ ହରାଇବା ପରେ ଶବକୁ ଭାରରେ ବୋହି ନେଉଥିବା ଘଟଣା ପଦାକୁ ଆସିଛି। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକରେ। ମାଥିଲି ବ୍ଲକ ଅନ୍ତର୍ଗତ ଟେମୁରୁପାଲ୍ଲୀ ଗ୍ରାମର ମୁଡେ କାଲମାରି(୩୦)ନାମକ ଜଣେ ମହିଳାଙ୍କୁ ଜ୍ଜର ହେବା ସହ ହାତ ଗୋଡ଼ ବିନ୍ଧା ହୋଇଥିଲା। ତେବେ ତାଙ୍କ ପରିବାର ବର୍ଗ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ଡାକ୍ତର ଏଠାରେ ଚିକିତ୍ସା ହେବ ନାହିଁ। ତେଣୁ ଘରକୁ ନେଇଯାଅ ବୋଲି କହିଥିଲେ ବୋଲି ସମ୍ପର୍କିୟମାନେ ଅଭିଯୋଗ କରିଛନ୍ତି।

ଏହାପରେ ସେମାନେ ବାଧ୍ୟ ହୋଇ ମାଥିଲିଠାରୁ ପ୍ରାୟ ୪ କିଲୋମିଟର ଦୂର ଗୁରୁଗୁଡ଼ା ଗ୍ରାମର ଜଣେ ଗୁଣିଆ ପାଖରେ ୨ ଦିନ ଚିକିତ୍ସା କରାଇବା ପରେ ବୁଧବାର ରାତ୍ରିରେ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ତେବେ ଶବକୁ ନିଜ ଗ୍ରାମକୁ ଗାଡ଼ି ଭଡ଼ା କରି ନେବାକୁ ଟଙ୍କା ନଥିବାରୁ ପରିବାର ବର୍ଗ ଓ ସମ୍ପର୍କିୟମାନେ ମିଶି ପ୍ରାୟ ୩୦ କିଲୋମିଟର ଖଟିଆରେ ବୋହି ନେଇଥିବା ଦେଖାଯାଇଛି। ଏଥିରୁ ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି ଯେ , ବର୍ତମାନ ମଧ୍ୟ ମାଲକାନଗିରି ଜିଲ୍ଲାର ଲୋକେ ଅନ୍ଧବିଶ୍ୱାର ବଶବର୍ତି ହୋଇ ଗୁଣି ଗାରୀଡ଼ି ଉପରେ ନିର୍ଭର କରୁଛନ୍ତି। ଯାହା ଫଳରେ ଶେଷରେ ନିଜକୁ ଏକ ନିଶ୍ଚିତ ମୃତ୍ୟୁ ଆଡ଼କୁ ଠେଲି ଦେଉଛନ୍ତି। ଏହି ଘଟଣାକୁ ଦେଖିଲେ ସ୍ପଷ୍ଟ ବାରୀ ହୋଇପଡ଼ୁଛି। ତେଣୁ ଜିଲ୍ଲା ଆଦିବାସୀ ଶ୍ରେଣୀର ଲୋକଙ୍କୁ ସଚେତତା ସୃଷ୍ଟି କରିବାର ଆବଶ୍ୟକତାକୁ ଏଡ଼ାଇ ଦିଆଯାଇ ନପାରେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *