୨୦୧ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍

କୋରାପୁଟଜିଲ୍ଲା/ବୈପାରିଗୁଡା୨୫/୦୨(ସଖପ୍ର): କୋଭିଡ଼ ମୁକାବିଲାରେ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଅବଦାନ ଅତୁଳନୀୟ । କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୈପାରିଗୁଡା ବ୍ଲକର ୭ଟି ପଞ୍ଚାୟତରେ ୨୦୧ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ବିଧବା ଓ ଅବିବାହିତ ଭତ୍ତା ପ୍ରଦାନ କରାଯାଇଛି । ଏଥିରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ବୈପାରିଗୁଡା ବ୍ଳକ୍ର ବାଲିଗାଁ, ଚେରକା,ଗୁପ୍ତେଶ୍ଵର,ପେନ୍ଦାପଡ଼ା,ରାମଗିରି,ଦଣ୍ଡାବାଡ଼ି,ଚିପାକୁର ଗ୍ରାମ ପଞ୍ଚାୟତର ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରିଥିଲେ । ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଭାରତ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି। ତାହାଦ୍ୱାରା ରାଜ୍ୟବାସୀ ମଧ୍ୟ ଏହି ମହାମାରୀରେ କବଳିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ମୁକାବିଲା ପାଇଁ ପ୍ରଥମ ଦିନରୁ ହିଁ ଅହରହ ପରିଶ୍ରମ ଜାରୀ ରଖିଛନ୍ତି। ଏଥିସହ ଏହି କରୋନା ମହାମାରୀ ସମୟରେ ଜନ ପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଆଜି ଜିଲ୍ଲାରେ କରୋନା ନିୟନ୍ତ୍ରଣ ଆଡକୁ ଗତି କରୁଛି । ତେଣୁ ବର୍ତ୍ତମାନ ଅଧିକା ସତର୍କତା ପାଳନ କରିବା ଜରୁରୀ ବୋଲି ଶ୍ରୀମତୀ ଦିଆନ ପ୍ରକାଶ କରିଛନ୍ତି । ପ୍ରଥମେ ବ୍ଳକ୍ର ୭ ଟି ପଞ୍ଚାୟତର ୨୦୧ ଜଣଙ୍କୁ ଭତ୍ତା ବଣ୍ଟନ କରିଥିବା ଜଣାପଡ଼ିଛି । ଭତ୍ତା ବଣ୍ଟନ ସମୟରେ ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି, ଉପାଧ୍ୟକ୍ଷ ତ୍ରିଲୋଚନ ଜେନା, ବ୍ଲକ ସଭାପତି ବିଜୟ ସାମନ୍ତରାୟ,ବରିଷ୍ଠ କର୍ମୀ ସାଥିରାମ ନାୟକ, ଆର. ଶ୍ରୀନିବାସ ରାଓ, ଜଗଦୀଶ ଜେନା,ଆର. ଦାମ୍ବିକା ରାଓ, ପୂର୍ବତନ ବ୍ଲକ ଯୁବ ସଭାପତି ତଥା ବର୍ତ୍ତମାନର ଜିଲ୍ଲା ଯୁବ ଉପସଭାପତି ବିଶ୍ଵଜିତ ନାୟକ, ବ୍ଲକ ଯୁବ ସଭାପତି ରମେଶ କୁମାର ସ୍ବାଇଁ, ବିରଞ୍ଚି ନାରାୟଣ ପାତ୍ର, ଭାସ୍କର ବେହେରା, ହୀରାମଣି ପୂଜାରୀଙ୍କ ସମେତ ବିଡ଼ିଓ ଅଭିମନ୍ୟୁ କବିଶତପଥୀ, ବାଲିଗାଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ମୋହନ ଖରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।