12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୨ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ତିରିପୁର ଓ ଗୁଣ୍ଟୁରରୁ ଆସି ରାୟଗଡାରେ ଓହ୍ଳାଇଲେ ୨୦୯ଜଣ ପ୍ରବାସୀ ଓଡିଆ ଶ୍ରମିକ

ରାୟଗଡଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ମହାମାରି କରୋନା ମୁକାବିଲା ପାଇଁ ହୋଇଥିବା ଲକଡାଉନ ଘୋଷଣା ଯୋଗୁଁ ଓଡିଶାର ବହୁ ପ୍ରବାସୀ ଓଡିଆ ଭାଇଭଉଣୀମାନେ ବାହାର ରାଜ୍ୟରେ ଫସି ରହିଥିଲେ । ତେବେ ରାଜ୍ୟ ସରକାରଙ୍କ ଅପରେସନ୍ ଶୁଭଯାତ୍ରାରେ ଶ୍ରମିକ ସ୍ପେଶାଲ ଟ୍ରେନ ବ୍ୟବସ୍ଥା କରାଯାଇ ପ୍ରବାସୀ ଓଡିଆମାନଙ୍କୁ ଫେରାଇବାକୁ ଉଦ୍ୟମ କରାଯାଉଛି । ନିୟମମୁତାବକ ଯେଉଁ ପ୍ରବାସୀ ଓଡିଆମାନେ ସରକାରଙ୍କ ପୋର୍ଟାଲରେ ନିଜ ନାମ ପଂଜୀକୃତ କରିଛନ୍ତି ସେମାନଙ୍କୁ ଏହି ଟ୍ରେନରେ ଓଡିଶାକୁ ପଠାଯାଇଛି ।
ଗୁରୁବାର ଦିନ ତାମିଲନାଡୁ ରାଜ୍ୟର ତ୍ରିପୁରା ରୁ ବାଲେଶ୍ୱର ଅଭିମୁଖେ ଚାଲିଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ 121ଜଣ ଶ୍ରମିକ ଓ ଆନ୍ଧ୍ରପ୍ରଦେଶର ଗୁଂଟୁର ଷ୍ଟେସନରୁ ବାଲେଶ୍ୱର ଅଭିମୁଖେ ବାହାରି ଥିବା ଟ୍ରେନ ରେ 88ଜଣ ଶ୍ରମିକ ସର୍ବମୋଟ 209ଜଣ ଶ୍ରମିକ ରାୟଗଡା ରେଲୱେ ଷ୍ଟେସନ ରେ ଓହ୍ଲାଇଛନ୍ତି । ଏହି ମାନଙ୍କ ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଅବିଭକ୍ତ କୋରାପୁଟ ଜିଲ୍ଳାର ନବରଙ୍ଗପୁର, କୋରାପୁଟ, ରାୟଗଡା ସମେତ ଗଜପତି ଓ କନ୍ଧମାଳ ଜିଲ୍ଳାର ୨୦୯ଜଣ ପ୍ରବାସୀ ଓଡିଆଶ୍ରମିକ ଅଛନ୍ତି । ତାମିଲନାଡୁର ତ୍ରିପୁରର ଆସୁଥିବା ଟ୍ରେନରେ ନବରଙ୍ଗପୁର ଜିଲ୍ଳାର ସର୍ବାଧିକ ୫୬ଜଣ ପ୍ରବାସୀ ରହିଥିବା ବେଳେ ଗଜପତି ଜିଲ୍ଳାର ୨୮, କୋରାପୁଟ ଜିଲ୍ଳାର ୬, କନ୍ଧମାଳର ୫ ଓ ରାୟଗଡ ଜିଲ୍ଳାର ୨୬ଜଣ ରହିଥିଲେ । ରାୟଗଡ ଜିଲ୍ଳାକୁ ଫେରିଥିବା ପ୍ରବାସୀଙ୍କ ମଧ୍ୟରେ ମୁନିଗୁଡା ବ୍ଳକର ୫ଜଣ, ବିଷମକଟକ ଓ କୋଲନରା ବ୍ଳକର ଜଣେ ଲେଖାଁଏ, ଗୁଣପୁର ୬ ଓ ରାମନାଗୁଡାର ୨ଜଣ ରହିଥିବା ବେଳେ କାଶିପୁର ବ୍ଳକର ୯ଜଣ ଓ ରାୟଗଡର ୨ଜଣ ରହିଛନ୍ତି ।
ଗୁରୁବାର ସକାଳ ୮ଟାରେ ସ୍ପେଶାଲ ଟ୍ରେନ ପଂହଚିବା ପରେ ଜିଲ୍ଳା ଓ ପୋଲିସ ପ୍ରଶାସନ ତରଫରୁ ଓଡିଆ ପ୍ରବାସୀମାନଙ୍କୁ ସମ୍ମାନ ସହ ସମସ୍ତ ସୁବିଧାର ବନ୍ଦୋବସ୍ତ କରାଯାଇଥିଲା । ରାୟଗଡା ରେଳ ଷ୍ଟେସନ ପରିସରରେ ପ୍ରଶାସନ ତରଫରୁ ପ୍ରବାସୀମାନଙ୍କୁ ତାଙ୍କ ନିଜ ଜିଲ୍ଳାକୁ ଯିବା ପାଇଁ ୧୦ଟି ସ୍ୱତନ୍ତ୍ର ବସ ଓ ବୋଲେରୋ ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ ଗାଡି ପାଇଁ ଗୋଟିଏ ଗୋଟିଏ ଏସକର୍ଟ ପୋଲିସ ଗାଡି ସାଙ୍ଗରେ ପଠାଯାଇଥିବା ନେଇ ଏସ.ପି.ଡାକ୍ତର ଶର୍ବଣା ବିବେକ ଏମ.ସୂଚନା ଦେଇଛନ୍ତି ।
ସେହିପରି ରାୟଗଡ ଷ୍ଟେସନରେ ଥର୍ମାଲ ଯନ୍ତ୍ରରେ ଶରୀରର ତାପମାତ୍ରା ମାପିବା ସହ ସେମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯିବା ସହ ମାସ୍କ ଓ ଖାଦ୍ୟପାନୀୟ ବଂଟନ କରାଯାଇଥିଲା । ସେହିପରି ବସ, ବୋଲେରୋ ଆଦିରେ ବସିବା ପୂର୍ବରୁ ପ୍ରବାସୀଙ୍କୁ ସାନିଟାଇଜରରେ ହାତ ଧୋଇବାକୁ ଦିଆଯାଇଥିଲା । ଅପରପକ୍ଷେ ଏହି ଟ୍ରେନରେ ଗଂଜାମ ଜିଲ୍ଳା ପାଇଁ ଆସିଥିବା ୪୫ଜଣ ପ୍ରବାସୀ ଓଡିଆଙ୍କୁ ନିର୍ଦ୍ଦିଷ୍ଟ ଷ୍ଟେସନରେ ଓହ୍ଳାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ଜଣାପଡିଥିଲା । ଅବିଭକ୍ତ କୋରାପୁଟ ଜ଼ିଲ୍ଲା ଦାୟିତ୍ୱରେ ଥିବା ରଶିଦ ଖାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଶ୍ରମିକଙ୍କୁ ସେମାନଙ୍କ ଜ଼ିଲ୍ଲାକୁ ପଠା ଯାଇଥିଲା।
ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ., ଅତିରିକ୍ତ ଜିଲ୍ଳପାଳ ଶରତଚନ୍ଦ୍ର ପ୍ରଧାନ, ପିଡି-ଡିଆରଡିଏ ଅମ୍ରିତ ଋତୁରାଜ, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ,ଏସଡିପିଓ ତପନ ନାରାୟଣ ରଥ, ଆରପିଏଫ ଥାନା ଅଧିକାରୀ ଡି.ଏନ.ତ୍ରିଲୋକଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ, ଜରୁରୀକାଳନୀ ଆମ୍ବୁଲାନ୍ସ ସେବା ସହ ନିଯୁକ୍ତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ସେହିପରି ଗୁରୁବାର ଅପରାହ୍ନ ୨ଟା ସମୟରେ ମଧ୍ୟ ଦକ୍ଷିଣ ଭାରତର ଆନ୍ଧ୍ର ପ୍ରଦେଶର ଗୁଂଟୁର ରେଳ ଷ୍ଟେସନରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଆଉ ଏକ ଶ୍ରମିକ ସ୍ପେଶାଲ ଟ୍ରେନରେ ସମୁଦାୟ ୧୩୯୨ଜଣ ପ୍ରବାସୀ ଫେରୁଥିବା ବେଳେ ଏଥିମଧ୍ୟରୁ ରାୟଗଡ ଜିଲ୍ଲାର ୩୧ଜଣ, କୋରାପୁଟର ୩୫, ନବରଙ୍ଗପୁର ୧୪, କନ୍ଧମାଳ ୭, ଗଜପତି ୧ ସମୁଦାୟ ୮୮ ଜଣ ପ୍ରବାସୀ ଓଡିଆ ଫେରୁଥିବା ନେଇ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଥିଲେ ।
ଏଥିରେ ରାୟଗଡା ବ୍ଳକର ତାଡମା ପଂଚାୟତର ୯ଜଣ, ପୀତାମହଲର ୫ଜଣ ଓ ବଡ ଇରୁକୁବାଡିର ୨ଜଣ ପ୍ରବାସୀ ରହିଥିବା ଡିଆଇପିଆରଓ ବସନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି,ରାୟଗଡା ଜିଲ୍ଳା ଗ୍ରୀନ ଜୋନରେ ରହିଥିବା ବେଳେ ରାୟଗଡା ପୈାର ପରିଷଦରେ ଥିବା ରେଳବାଇ ଷ୍ଟେସନକୁ ସଂକ୍ରମିତ ରାଜ୍ୟରୁ ଟ୍ରେନ ଆସୁଥିବା ହେତୁ ରେଳବାଇ ଷ୍ଟେସନ ଅଂଚଳ ସହ ପୀତାମହଲ ଠାରୁ ଜେକେପୁର ପର୍ଯ୍ୟନ୍ତ ଗତ ୧୩ତାରିଖ ମଧ୍ୟ ରାତ୍ର ୧୨ଟାରୁ ୧୪ତାରିଖ ଗୁରୁବାର ସଂଧ୍ୟା ୭ଟା ପର୍ଯ୍ୟନ୍ତ ରାୟଗଡା ଉପଜିଲ୍ଳାପାଳ ଓ ଉପଖଣ୍ଡ ଦଣ୍ଡାଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ ସହରବାସୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୧୪୪ଧାରା ଜାରି କରିଛନ୍ତି । ରେଳବାଇ ଷ୍ଟେସନ ଅଂଚଳରେ ପୋଲିସ ପକ୍ଷରୁ କଡାକଡି ବନ୍ଦୋବସ୍ତ କରାଯାଇଥିଲା ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *