୨ଜଣ ଡଙ୍ଗରିଆ ଯୁବତୀ ସିକନ୍ଦରାବାଦରୁ ଫେରିବା ପରେ କେସିଙ୍ଘପୁର ବିଡିଓଙ୍କୁ ହସ୍ତାନ୍ତର କଲା ପ୍ରଶାସନ

ରାୟଗଡ ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) କଲ୍ୟାଣସିଂହପୁର ବ୍ଳକ ଡଙ୍ଗରିଆ ଅଂଚଳ ପାର୍ସାଲି ପଂଚାୟତ ଅନ୍ତର୍ଗତ ନିର୍ଗୁଣ୍ଡି ଗ୍ରାମର ୨ଜଣ ଝିଅ ଅଧିକ ରୋଜଗାର ଆଶା ନେଇ ସୁଦୁର ଆନ୍ଧ୍ରପ୍ରଦେଶର ସିକନ୍ଦରାବାଦର ହେରସେଲ କମ୍ପାନୀରେ କାମ କରିବା ପାଇଁ ଯାଇଥିଲେ । କରୋନା ପାଇଁ ସାରା ଦେଶରେ ଲକଡାଉନ ଫଳରେ କମ୍ପାନୀ କାମ ବନ୍ଦ ହେବାରୁ ସେମାନଙ୍କୁ ସେଠାରେ ରହିବା ଓ ଖାଇବାରେ ବହୁତ ଅସୁବିଧା ହେବା ଯୋଗୁଁ ପଶ୍ଚିମବଙ୍ଗର ଶ୍ରମିକମାନଙ୍କ ସହ ସିକନ୍ଦରାବାଦରୁ ଚାଲି ଚାଲି ବିଜୟନଗରମ ପର୍ଯ୍ୟନ୍ତ ଆସୁଥିଲେ । ସେମାନେ ପାର୍ସାଲି ସରପଂଚକୁ ଫୋନରେ ଯୋଗାଯୋଗ କରି ଅସୁବିଧା ସଂପର୍କରେ ଜଣାଇଥିଲେ ଏବଂ ସରପଂଚଙ୍କ ଠାରୁ କଲ୍ୟାଣସିଂହପୁର ବିଡିଓ ଅନୁପ ପଣ୍ଡା ଏହି ଖବର ଜାଣିବା ପରେ ଉଦ୍ଧାର କରିବା ପାଇଁ ରାୟଗଡା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କୁ ଅବଗତ କରାଇଥିଲେ । ବିଡିଓଙ୍କ ଠାରୁ ଖବର ପାଇ ଜିଲ୍ଳାପାଳ ଶ୍ରୀ ବେହେରାଙ୍କ ନିର୍ଦ୍ଦେଶନାନୁଯାୟୀ (ଅନୁମତି ପତ୍ର ନେଇ) ବାହାର ରାଜ୍ୟରୁ ତୁରନ୍ତ ସେମାନଙ୍କୁ ବିଜୟନଗରମରୁ ଗତକାଲି ଉଦ୍ଧାର କରାଯାଇ ଏକ ସ୍ୱତନ୍ତ୍ର କାର ଯୋଗେ ରାୟଗଡା ଅଣାଯାଇଥିଲା ଏବଂ କେନ୍ଦ୍ରୀୟ ଅଭ୍ୟର୍ଥନା କେନ୍ଦ୍ର ଠକ୍କର ବାପା ଆଶ୍ରମରେ ରଖାଯାଇଥିଲା । ଜିଲ୍ଳାପାଳ ଶ୍ରୀ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଭ୍ୟର୍ଥନା କେନ୍ଦ୍ର ଦାୟିତ୍ୱରେ ଥିବା ରାୟଗଡା ବିଡିଓ ରାଜେନ୍ଦ୍ର ମାଝି, ପରିବହନ ଅଧିକାରୀ ଦିଲ୍ଳୀପ କୁମାର ଦଳେଇ, ଅତିରିକ୍ତ ବିଡିଓ ନୃସିଂହଚରଣ ପଟ୍ଟନାୟକ ଆଦି ଉପସ୍ଥିତ ରହି ପାର୍ସାଲିର ଅନୁସୂଚିତ ଜାତିର ଝିଅ କୁମାରୀ ଟାକ୍ରୀ ଓ ଆଦିମ ଜନଜାତି ଡଙ୍ଗରିଆ ଝିଅ କ୍ରିତି କାଡ୍ରକାଙ୍କୁ ସ୍ଥାନୀୟ ଠକ୍କର ବାପା ଆଶ୍ରମରେ ଖାଇବାକୁ ଦିଆଯାଇଥିଲା ଏବଂ କଲ୍ୟାଣସିଂହପୁର ବିଡିଓ ଅନୁପ ପଣ୍ଡାଙ୍କୁ ହସ୍ତାନ୍ତର କରାଯାଇଥିଲା । ସେମାନଙ୍କୁ ସ୍ୱତନ୍ତ୍ର କାର ଯୋଗେ ପଂଚାୟତ ନିର୍ବାହୀ ଅଧିକାରୀ ତାଙ୍କ ଗ୍ରାମପଂଚାୟତ ଅଧୀନରେ ପରିଚାଳିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର (ଟିଏମସି)କୁ ନେଇ ଯାଇଥିଲେ । ସେଠାରେ ୨୧ଦିନ ପାଇଁ ସଂଗରୋଧ କେନ୍ଦ୍ରରେ ରହିଲା ପରେ ଯାଇ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ଦିଆଯିବ ଏବଂ ଗଲାବେଳେ ପ୍ରତ୍ୟେକଙ୍କୁ ୨୦୦୦ଟଙ୍କା ଲେଖାଁଏ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପଣ୍ଡା ସେମାନଙ୍କୁ ବୁଝାଇଥିଲେ । ଅସୁବିଧା ସମୟରେ ଏ ଭଳି ସହଯୋଗ କରିଥିବାରୁ ଓ ଆତିଥ୍ୟ ପ୍ରଦାନ କରିଥିବାରୁ ରାୟଗଡା ଜିଲ୍ଳାପାଳ ଓ ଜିଲ୍ଳା ପ୍ରଶାସନକୁ କୁମାରୀ ଓ କ୍ରିତୀ ଧନ୍ୟବାଦ ଜଣାଇଥିଲେ । ବର୍ତମାନ ସେମାନଙ୍କୁ ବୁଡାଗୁଡା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖାଯାଇଥିବା ଜଣାଇଛନ୍ତି।