12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୧୮ବର୍ଷରୁ କମ ଛାତ୍ରଛାତ୍ରୀଙ୍କୁ ଗାଡି ଚଳାଇବା ମନା, ଡିଏଚଏସଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ସ୍ତରରେ ପାଠ ପଢୁଥିବା 18 ବର୍ଷରୁ କମ ଛାତ୍ରଛାତ୍ରୀଙ୍କୁ ବାଇକ ଚଢିବା ମନା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ କଲେଜ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସଡକ ସୁରକ୍ଷା ପରିଷଦ ବୈଠକ ପରେ ଡିଏଚଏସଇ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

ଡିଏଚଏସଇ ଦ୍ବାରା ୧୮ ବର୍ଷରୁ କମ ତଥା ଯୁକ୍ତ ୨ ପର୍ଯ୍ୟନ୍ତ ଶିକ୍ଷା‌ ଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ଗାଡ଼ି ଚଲାଇବାକୁ ବେଆଇନ ଘୋଷଣା କରାଯାଇଛି । ସେଥିପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବସର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି । ଏହା ସହ ତିନି ଚକିଆ ଯାନ ଯଥା -ଅଟୋ ଆଦିରେ ଧାର୍ଯ୍ୟ ସଂଖ୍ୟା ଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେବାଆଣିବା କରାଯାଇପାରିବ ନାହିଁ। ଯଦି କୌଣସି ଛାତ୍ରଛାତ୍ରୀ ଗାଡ଼ି ଚଲାଇବା ସମୟରେ ଧରାପଡ଼ନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗାଡ଼ି ମାଲିକଙ୍କ ସମେତ ସମ୍ପୃକ୍ତ ଛାତ୍ରଙ୍କୁ ଜୋରିମାନା ଭରିବାକୁ ପଡ଼ିବ।
ନୂତନ ମୋଟରଯାନ ଆଇନ ଆସିବା ପରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀ ଯେପରି ଦୁର୍ଘଟଣାର ଶିକାର ନ ହୁଅନ୍ତି ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯିବା ସହ ପିଲା ଓ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟିକୁ ପ୍ରାଥମିକତା ଦିଆଯାଇଛି। ୩ ଚକିଆ ଯାନ ତଥା ଅଟୋରେ ଯାଉଥିବା ଛାତ୍ରଛାତ୍ରୀ ବହୁ ସମୟରେ ଦୁର୍ଘଟଣାର ଶିକାର ହୁଅନ୍ତି। ତେଣୁ ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ନିୟମ ଅନୁଯାୟୀ ଯେପରି ଅଧିକ ଛାତ୍ରଛାତ୍ରୀ ଗାଡ଼ିରେ ନ ଯାଆନ୍ତି, ତାହାକୁ ସୁନିଶ୍ଚିତ କରିବାକୁ ଅଧ୍ୟକ୍ଷଙ୍କୁ ନି‌ର୍ଦ୍ଦେଶ ଦିଆଯାଇଛି।
କମିଟିର ନିଷ୍ପତ୍ତି ଅନୁଯାୟୀ, ସ୍ବତନ୍ତ୍ର ସ୍କ୍ବାର୍ଡ ପକ୍ଷରୁ ସ୍କୁଲ ବସଗୁଡ଼ିକ ଉପରେ ଚଢ଼ାଉ କରାଯାଇ ଯାଞ୍ଚ ହେବ। ଏପରିକି ରାଜ୍ୟର 146ଟି ସ୍କୁଲ ବସର ଫିଟନେସ ସାର୍ଟିଫିକେଟ ନାହିଁ । ଓଭରଲୋଡିଂ ଓ ଫିଟନେସକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପ୍ରମାଣ ପତ୍ର ନଥିଲେ ବସ୍‌ଗୁଡ଼ିକର ପଞ୍ଜିକରଣ ପ୍ରମାଣପତ୍ର ବାତିଲ୍‌ କରିବାକୁ ଆରଟିଓମାନଙ୍କୁ କୁହାଯାଇଛି। ବସ ହେଉ କି ତିନି ଚକିଆ ଯାନ, ସବୁ ଗାଡ଼ିର ଉଭୟ ପାର୍ଶ୍ବରେ କେତେ ଛାତ୍ରଛାତ୍ରୀ ଯାଇପାରିବେ ସେନେଇ ଉଲ୍ଲେଖ ରହିବ। ଯଦି କୌଣସି ସ୍କୁଲ ବସ୍‌ କିମ୍ବା ଅଟୋ ଧାର୍ଯ୍ୟଠାରୁ ଅଧିକ ଛାତ୍ରଛାତ୍ରୀ ନେଉଥିବା ବେଳେ ଧରାପଡ଼ନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *