01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୧୨ କେଜି ଓଜନ ବିରଳ ବଜ୍ରକାପ୍ତା ଉଦ୍ଧାର, ୩ ଗିରଫ

ନବରଙ୍ଗପୁର ୩୦/୧୧: ‘ଅପରେସନ ବଜ୍ରକାପ୍ତା’ରେ ନବରଙ୍ଗପୁର ପୁଲିସ୍‌କୁ ମିଳିଛି ସଫଳତା । ଉଦ୍ଧାର ହୋଇଛି ୧୨ କେଜି ୬୪୦ ଗ୍ରାମ ଓଜନର ଏକ ବିରଳ ବଜ୍ରକାପ୍ତା । ଏହି କାରବାରରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଜୟପୁର ଥାନା ଡଙ୍ଗାଗୁଡ଼ାର ଶାନ୍ତିରାଜ ଗଣ୍ଡ, ବାବୁଲା ପଟ୍ଟନାୟକ ଏବଂ ଅଶୋକ ମାଝୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଏସ୍‌ପି ନୀତିନ କୁଶଲକର ଏହି ସୂଚନା ଦେଇଛନ୍ତି ।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ବିରଳ ବଜ୍ରକାପ୍ତାର ଦେଶବିଦେଶରେ ଅଧିକ ଚାହିଦା ରହିଛି । ଆର୍ନ୍ତଜାତୀୟ ବଜାରରେ ୧ କିଲୋ ବଜ୍ରକାପ୍ତାର ଦାମ ୩ ହଜାର ଡଲାର ରହିଛି । ଭାରତୀୟ ମୁଦ୍ରାରେ ଏହାର ଦାମ୍‌ ୨ ଲକ୍ଷ ୧୫ହଜାର ଟଙ୍କା ହେବ। ଉପରୋକ୍ତ ୩ ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଏବଂ କୋରାପୁଟ ଜିଲ୍ଲାର ବି.ସିଂହପୁର ଜଙ୍ଗଲରୁ ବଜ୍ରକାପ୍ତା ଉଦ୍ଧାର କରି ରାୟପୁର ବେପାରୀଙ୍କ ସହ ଡିଲ୍‌ କରିବାକୁ ନବରଙ୍ଗପୁର ଆସିଥିଲେ । ଆଜି ତାରାଗାଁ ଜଙ୍ଗଲ ନିକଟରେ ବୁଲୁଥିବା ବେଳେ ସେମାନଙ୍କ ଉପରେ ସନ୍ଦେହ କରି ପୁଲିସ୍‌ ଅପରେସନ ବଜ୍ରକାପ୍ତା ଆରମ୍ଭ କରିଥିଲା ।

ଜଣେ ପୁଲିସ୍‌ କର୍ମଚାରୀ ବେପାରୀ ବେଶରେ ସେମାନଙ୍କ ପାଖକୁ ଯାଇ ବଜ୍ରକାପ୍ତା ଡିଲ୍‌ କରିଥିଲେ । ପୁଲିସ୍‌ କର୍ମଚାରୀଙ୍କୁ ଅଭିଯୁକ୍ତମାନେ ଜଙ୍ଗଲ ଭିତରେ ସ୍ଥାନ ପରିବର୍ତ୍ତନ କରି ନେଇଥିଲେ । ରାୟପୁର ବେପାରୀ ବଜ୍ରକାପ୍ତାକୁ ୫ ଲକ୍ଷ ଟଙ୍କାରେ କିଣି ନେବେ ବୋଲି କର୍ମଚାରୀକୁ ଅଭିଯୁକ୍ତମାନେ କହିଥିଲେ । ଶେଷରେ କର୍ମଚାରୀ ଜଣକ ୫ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ । ପରେ ୩ ଜଣ ଏକ ଅଖା ବସ୍ତାରେ ଥିବା ବଜ୍ରକାପ୍ତାକୁ ପୁଲିସ୍‌ କର୍ମଚାରୀଙ୍କୁ ଦେଖାଇଥିଲେ। ୟା ଭିତରେ ପୁଲିସ୍‌ ଜଙ୍ଗଲ ଚାରିପଟୁ ଘେରିଯାଇଥିଲା । ବେପାରୀ ବେଶରେ ଯାଇଥିବା ପୁଲିସ୍‌ କର୍ମଚାରୀଙ୍କ ସଙ୍କେତ ପାଇବା କ୍ଷଣି ଅନ୍ୟ କର୍ମଚାରୀମାନେ ଚଢଉ କରି ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ ।

ସେମାନଙ୍କ ପାଖରୁ ବିରଳ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ । ଏହି ୩ଜଣ କେବଳ ମଧ୍ୟସ୍ଥି ଥିବା ବେଳେ ବଜ୍ରକାପ୍ତାର ର‌୍ୟାକଟ୍‌ ଚେର ଦେଶ ବିଦେଶକୁ ଲମ୍ବିିଥିବା ଏସ୍‌ପି ସୂଚନା ଦେଇଛନ୍ତି । ଉଦ୍ଧାର ବଜ୍ରକାପ୍ତାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ପୁଲିସ୍‌ ବନ ବିଭାଗକୁ ହସ୍ତାନ୍ତର କରିଛି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ବଜ୍ରକାପ୍ତାର ବାସସ୍ଥଳୀରେ ଛାଡ଼ି ଦିଆଯିବ ବୋଲି ଶ୍ରୀ କୁଶଲକର କହିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *