01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୧୨୪୩ କେଜି ଗଞ୍ଜେଇ ସହ ୨ ଗିରଫ, ୧ ପିସ୍ତଲ ଜବତ ୯ ଫେରାର

ଜୟପୁର(ସଖପ୍ର) :କୋରାପୁଟ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଗଞ୍ଜେଇ ଚୋରା ଚାଲାଣ କମିବାର ନାଁ ନେଉନାହିଁ। ସେପଟେ ପୁଣି ଜୟପୁର ସଦର ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ହରିୟଣା କୁ ଗଞ୍ଜେଇ ଚୋରା ଚାଲାଣ ଯୋଜନାକୁ ପଣ୍ଡ କରିଛି ଜୟପୁର ସଦର ପୋଲିସ। ଜୟପୁର ସଦର ଅଞ୍ଚଳର ବାରୁଣୀ ଗାଁ ନିକଟରୁ ଏକ ଟାଟା ମ୍ୟାଜିକ ପିକପ୍ ଓ.ଆର୍.୧୦ ଏ ୯୭୯ ଗାଡ଼ିରେ ୧୨୪୩ କେଜି ଗଞ୍ଜେଇ ଜବତ କରିଥିଲା ଜୟପୁର ସଦର ପୋଲିସ। କୋରାପୁଟ ଜିଲ୍ଲା ଲାମତା ଫୁଟରୁ ଗଞ୍ଜେଇ ଆଣି ଜୟପୁର ଠାରେ ଅପେକ୍ଷା କରି ରହିଥିଲେ। କୈାଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଜୟପୁର ସଦର ଥାନା ଅଧିକାରୀ ଅଦିତ୍ୟ ମହାଙ୍କୁର ଏକ ପୋଲିସ ଟିମ ନେଇ ଚଢ଼ାଉ କରିଥିଲେ।ଉକ୍ତ ସ୍ଥାନରୁ ୧୨୪୩ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଉକ୍ତ ସ୍ଥାନରୁ ୯ ଜଣ ଫେରାର ହୋଇଥିବା ପୋଲିସ ସୂଚନା ଦେଇଛି। ଏହା ସହିତ ଟିଭିଏସ ଆପାଚି ବାଇକ୍ ଓଡି ୧୦ ଏଫ୍ ୨୨୩୦ ଏବଂ ୟାମାହା ଏମ୍ ଏଫ୍ ୧୫ ଓଡି ୧୦ ଏସ ୩୭୯୩ ମଧ୍ୟ ଜବତ କରାଯାଇଥିବା ସହ ଏକ ପିସ୍ତଲ ଏବଂ ୪ ଟି ମୋବାଇଲ ଫୋନ ଜବତ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ନନ୍ଦପୁର ପେଟା ଅଞ୍ଚଳର ପ୍ରଦୀପ ପ୍ରଧାନ (୨୮) ଓ ଅନ୍ୟ ଜଣ ହେଲେ ଜୟପୁର ଜୟନଗରର ଅଭିନାଶ ମହାରଣା (୨୩)। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହୋଇଥିବା ସୂଚନା ଦେଇଛି ପୋଲିସ। ଏବଂ ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା। ଏବଂ ଏହି ମାମଲାରେ ଜୟପୁରର ଏମ୍.ଡି. ଇକବାଲ, କଳସହାଣ୍ଡିର ଶିବ ପୂଜାରୀ ସହ ଜୟପୁର ଅଞ୍ଚଳର ୭ ଜଣ ଅଭିଯୁକ୍ତ ସଂପୃକ୍ତ ଥିବା ବେଳେ ଫେରାର ରହିଥିବା ସୂଚନା ଦେଇଛି ଜୟପୁର ସଦର ପୋଲିସ।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *