୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମହନୀୟତା

କୋରାପୁଟଜିଲ୍ଲା (ସଖପ୍ର): ଆମ୍ବୁଲେନ୍ସ ଯିବାପାଇଁ ରାସ୍ତା ନଥିବା ଗାଁ ରୁ କାଉଡ଼ିରେ ବୁହା ହେଲେ ଗର୍ଭବତୀ। ଏକ ପ୍ଲାଷ୍ଟିକ ଚେୟାରକୁ କାଠ ଓ ଦଉଡିରେ ବାନ୍ଧି କାଉଡି ଆକାର କରି ଦୀର୍ଘ ୩ କି.ମି. ରାସ୍ତା ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ।ଏଭଳି ଘଟଣା ଦେଖିବାକୁ ମିଳିଛି ନନ୍ଦପୁର ବ୍ଲକ୍ ଅନ୍ତର୍ଗତ ପରଜା ବଡପଡ଼ା ପଞ୍ଚାୟତର ପେଦା ଜଲାପୁଟ ଗ୍ରାମରେ। ଗାଁର ଦଇମତି ବଡ ନାୟକ (୨୪) ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ସ୍ବାମୀ ସିଦ୍ଧେଶ୍ୱର ଖେମୁଣ୍ଡୂ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ସଠିକ ସମୟରେ ୧୦୮ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିଥିଲା। କିନ୍ତୁ ଗାଁ କୁ ରାସ୍ତା ନ ଥିବାରୁ ୩ କି.ମି ଦୂରରେ ଥିବା ରାସେଲ ଗ୍ରାମ ନିକଟରେ ଆମ୍ବୁଲାନ୍ସଟି ଅଟକି ଯାଇଥିଲା। ଫଳତଃ ଗର୍ଭ ଯନ୍ତ୍ରଣାର ଗୁରୁତ୍ୱକୁ ବିଚାର କରି ୧୦୮ କର୍ମଚାରୀ ପହଞ୍ଚିଥିଲେ ଗାଁରେ। ଡ୍ରାଇଭର ତାରିଣୀ ଗତନ, ହେଲ୍ପର କୈଳାସ ଚନ୍ଦ୍ର ଦୋରା ଓ ଫାର୍ମାସିଷ୍ଟ ଦିପେନ୍ଦ୍ର ସା ଚାଲି ଚାଲି ଗାଁ ରେ ପହଞ୍ଚି ସେଠୁ ଏକ ପ୍ଲାଷ୍ଟିକ ଚେୟାରକୁ ରସିରେ ବାନ୍ଧି ଏକ ବାଉଁଶ ସାହାଯ୍ୟରେ କାଉଡି କରି ପରିବାର ଲୋକଙ୍କ ସହାୟତାରେ ବୋହି ଆଣିଥିଲେ ତିନି କିମି ଦୂର ରାସେଲ ଗାଁ କୁ। ସେହିଠୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ। ଆଣିବାର ୧ଘଣ୍ଟା ପରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ସହାୟତା ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ଦଇମତି। ମା ଝିଅ ଦୁହେଁ ସୁସ୍ଥ ଥିବା ଡାକ୍ତର ଦୁବରାଜ ମୁର୍ମୁ ପ୍ରକାଶ କରିଛନ୍ତି। ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ପରିବାର ଲୋକେ, ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ, ସ୍ଥାନୀୟ ଲୋକେ ଓ ଦେଖଣାହାରୀ ପ୍ରଶଂସା କରିଛନ୍ତି।
ପ୍ରତିନିଧି ସିମାଦ୍ରୀ ଶ୍ରୀନିବାସ ରାଓ