ସ୍ୱାଧୀନତାର ଦୀର୍ଘ ୭୪ବର୍ଷପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଦୁମୁକୁପାଡୁ ଗ୍ରାମବାସୀ

ରାୟଗଡା(ସଖପ୍ର): ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ କୋଳନରା ବ୍ଲକ ଓ ଏହି ପଂଚାୟତର ଏକ ଗ୍ରାମ ଦୁମୁକୁପାଡ଼ୁ ଗ୍ରାମବାସୀ ନିଜର ମୌଳିକ ସୁବିଧାରୁ ବଞ୍ଚିତ। ଘଟଣାରୁ ପ୍ରକାଶ ଯେ ରାୟଗଡା ଜ଼ିଲ୍ଲା ସଦର ମହକୁମାରୁ ୨୪କିଲୋମିଟର ଓ ବ୍ଲକ ସଦର ମହକୁମାରୁ ମାତ୍ର ୯ କିଲୋମିଟର ଦୂରରେ ଅବସ୍ଥିତ ଏହି ଦୁମୁକୁପାଡ଼ୁ ଗ୍ରାମ। ଏହି ଗ୍ରାମରେ ପ୍ରାୟ ୪୦ଗୋଟି ପରିବାର । ଉଭୟ ପୁରୁଷ, ସ୍ତ୍ରୀ ଓ ଛୋଟ ଛୋଟ ପିଲା ମିଶି ପ୍ରାୟ ୪୦୦ରୁ ଊର୍ଦ୍ଦ୍ବ। ଏହି ଗ୍ରାମଟି ପାହାଡ଼ର ଶିଖର ଦେଶରେ ଅବସ୍ଥିତ । ଏହି ଗ୍ରାମକୁ ଯିବାପାଇଁ ରାସ୍ତାଟିଏ ମଧ୍ୟନାହିଁ । ଏହି ଗାଁକୁ ଯିବାପାଇଁ କୈଳାଶପୁର ପଂଚାୟତର ଲାଳବି ଗ୍ରାମଦେଇ ଯିବାକୁ ପଡେ। ଏହି ଗାଁକୁ ପାଦରେ ଚାଲି ଚାଲି ଯିବା ଅତି କଷ୍ଟକର, ଗାଡି ଯିବାତ ବହୁଦୂରର କଥା । ଅଙ୍କା ବଙ୍କା ପାହାଡ଼କୁ ନେଇ କଚା ରାସ୍ତାଟି ବ୍ଲକ ପ୍ରସାଶନ ପାଖରୁ ନିର୍ମାଣ ହୋଇ ଛଡା ଯାଇଛି। ରାସ୍ତା କାମ ପରେ ଏହି ରାସ୍ତାର ମରାମତି କରାଯାଇନାହିଁ। ଯାଦ୍ୱାରା ପଥର ଖଣ୍ଡ ମାନ ବାହାରିଛି ଯଦି ମୋଟର ସାଇକେଲ ଯୋଗେ ଏହି ଗାଁକୁ ଯିବ ତାହାହେଲେ ରାସ୍ତାରେ କୋଉଠି ମୋଟର ସାଇକେଲ ଖରାପ ହେବ ତାହାଠିକ ନାହିଁ। ଏହି ଗ୍ରାମବାସୀ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ନିମନ୍ତେ ବହୁକଷ୍ଟରେ ମୁକୁନ୍ଦପୁର କିମ୍ବା କୋଳନରା ଚାଲି ଚାଲି ଆସନ୍ତି। ଭତ୍ତା ଓ ଯୋଗାଣ ସାମଗ୍ରୀ ଯଥା ଚାଉଳ,କିରୋସିନ ପାଇଁ ପାହାଡ଼ରୁ ଓହ୍ଲାଇ ଚମ୍ପି ଗ୍ରାମରୁ ଆଣନ୍ତି । ଯଦି କୌଣସି ବ୍ୟକ୍ତିର ଦେହ ଖରାପ ହୁଏ କିମ୍ବା ଗର୍ଭବତୀ ସ୍ତ୍ରୀକୁ ଏକ ଖଟିଆ ମାଧ୍ୟମରେ ଡାକ୍ତର ଖାନାକୁ ନିଅନ୍ତି । ଏହାଠୁ ଦୁର୍ଭାଗ୍ୟର କଥା କଣ ହୋଇପାରେ ? ମଣିଷ ବଂଚିବା ପାଇଁ ଜଳ ନିହାତି ଦରକାର ଜଳ ହିଁ ଜୀବନ ଏହା ସମସ୍ତେ ଜାଣନ୍ତି । ସରକାରୀ କଳ ବିଭିନ୍ନ ପୋଷ୍ଟର ମାଧ୍ୟମରେ ଜଳ ହିଁ ଜୀବନ, ଜଳ ନଷ୍ଟ କରନ୍ତୁନାହିଁ ବୋଲି ଏକ ଗାଡ଼ିରେ ପୋଷ୍ଟର ଲଗାଇ ନିଜର ବାହାଦୁରୀ ପାଇଁ ସଚେତନତା ରଥ ବୁଲାନ୍ତି କିନ୍ତୁ ବାସ୍ତବରେ ଗ୍ରାମାଞ୍ଚଳର ପରିସ୍ଥିତି ଓଲଟା। ଦୁଃଖର ବିଷୟ ନିଜର ମୌଳିକ ସମସ୍ୟା ପାଣି ପାଇଁ ଗ୍ରାମବାସୀ ଉଭୟ ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ଗ୍ରାମ୍ୟଜଳ ଯୋଗାଣ ବିଭାଗ ଅଧିକାରୀଙ୍କ ପାଖକୁ ଯାଇ ନିରାଶ ହେବାରେ ଲାଗିଲେଣି। ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ପାହାଡ଼ରେ ବହିଯାଉଥିବା ଏକ ଝରଣାକୁ ପାହାଡ଼ ଉପରୁ ଛୋଟିଆ କେନାଲ କରି ପାହାଡ ତଳଦେଶକୁ ଆଣି ଏକ ସିମେଣ୍ଟର ଚାନ୍ଦିନୀ ବନାଇ ପାଣି ଏକତ୍ରିତ କରି ଏକ ଅଧା ଇଞ୍ଚର ପାଇପ ମାଧ୍ୟମରେ ସେଇ ପାଣିକୁ ଏକ ବାଲ୍ଟିରେ ଭରି ତାହାପରେ ଏକ ଗରା ମାଧ୍ୟମରେ ଘରକୁନିଅନ୍ତି। ଏଥିପାଇଁ ଗ୍ରାମର ସ୍ତ୍ରୀ ଲୋକେ ରାତ୍ରି ସମୟରେ ଆସି ଏହି ପାଣି ଚାନ୍ଦିନୀରେ ନିଜର ନମ୍ବର ଲଗାନ୍ତି,ନିଜର ପାଳି ଆସିଲେ ପାଣି ଭର୍ତିକରନ୍ତି ଏହାଠୁ ଆଉ ଲଜ୍ୟାର ବିଷୟ କଣ ହେବ। ଲୋକେ ପାଣି ମୁନ୍ଦାଏ ପାଇଁ ପ୍ରଶାସନ ନିକଟରେ ଗୁହାରି କରିଲେ ମଧ୍ୟ ଶୁଣୁନାହାନ୍ତି। ଆମେ ନିଜକୁ ସ୍ୱାଧୀନ ଦେଶର ନାଗରିକ କହିବାକୁ ଲଜ୍ୟା ଲାଗୁଛି ବୋଲି ଗ୍ରାମବାସୀ କହିଛନ୍ତି। ଏହି ଗ୍ରାମର ସ୍ଥିତି ପରଖିବା ନିମନ୍ତେ ନୂଜ ୨ଓଡ଼ିଆ ଓ ଫୋକସ ପ୍ଲସ ପ୍ରତିନିଧି ଦୀର୍ଘ ୫କିଲୋମିଟର ପାଦରେ ଚାଲି ଚାଲି ଯାଇ ଗାଁର ସ୍ଥିତି ପରଖିଥିଲେ ଓ କୋଳନରା ବିଡ଼ିଓଙ୍କ ସହିତ ଯୋଗାଯୋଗ କରିଥିବା ସମୟରେ ସେ କହିଛନ୍ତି ଏହି କାମ ମୋର ନାହିଁ ଆପଣ ମାନେ ଗ୍ରାମ ପଂଚାୟତ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ଗୋଗାଯୋଗ କରନ୍ତୁ ବୋଲି କହିଥିଲେ ।

ଏହା ପରେ ଗଣମାଧ୍ୟମ ପ୍ରତିନିଧି ଆଦିବାସୀ ଜାତି ଓ ଜନଜାତି ତଥା ପଛୁଆ ବର୍ଗ ଉନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କୁ ଦେଖାକରି ମନ୍ତ୍ରୀଙ୍କୁ ଜଣାଇଥିଲେ ପରେ ମନ୍ତ୍ରୀ ଶ୍ରୀ ସାରକା ବ୍ଲକ କର୍ତୃପକ୍ଷଙ୍କୁ ଏହି ଗାଁ କୁ ୨୪ଘଣ୍ଟା ମଧ୍ୟରେ ଉତ୍ତର ଦେବା ପାଇଁ କହିଥିଲେ । ତଦନୁସାରେ କୋଳନରା ଅତିରିକ୍ତ ବିଡ଼ିଓ ନୃସିଂହ ଚରଣ ପଟ୍ଟନାୟକ ଓ ତହସିଲଦାର ମୌସୁମୀ ନାୟକ ଏହି ଗ୍ରାମକୁ ମିଳିତ ଭାବେ ଯାଇ ସ୍ଥିତି ଅନୁଧ୍ୟାନ କରି ଅସ୍ଥାୟୀ ଭାବେ ଏକ ଟେଙ୍କର ମାଧ୍ୟମରେ ଗାଁକୁ ପାଣି ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଓ ପରବର୍ତ୍ତୀ ମୁହୂର୍ତ୍ତରେ ପାଣିର ଏକ ସ୍ଥାୟୀ ସମସ୍ୟା ପାଇଁ ଏହି ଗାଁ ଠାରୁ ୩କିଲୋମିଟର ଦୂରରେ ପାହାଡ଼ ତଳଦେଶରେ ଏକ ବୋରଓ୍ବେଲ କରି ପାଇପମାଧ୍ୟମରେ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି । ଯାତାୟାତ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏକ ରାସ୍ତା ପାଇଁ ମୁଁ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇ ଏହାର ସମାଧାନ କରିବି । ଏହି ଘଟଣାକୁ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା କରିବାରୁ ମନ୍ତ୍ରୀ ବହୁତ ଖୁସିର ସହ ସାମ୍ବାଦିକବନ୍ଧୁଙ୍କୁ ପ୍ରଶଂସା କରିବା ସହ ଏହିଭଳି ଯେଉଁ ଗ୍ରାମ ସମସ୍ୟା ଅଛି ତାହା ଆଣି ମୋ ନିକଟରେ ଜଣାଇଲେ ମୁଁ ନିଶ୍ଚିତ ଭାବେ ଏକ ଆଦିବାସୀ ତଥା ମନ୍ତ୍ରୀ ହିସାବରେ ସମସ୍ୟାର ସମାଧାନ କରିବି ବୋଲି ମତ ପ୍ରକାଶ କରିଛନ୍ତି।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ