01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସ୍ୱର୍ଗତ ସାଂସଦଙ୍କ ପୋଷ୍ୟଗ୍ରାମ ସ୍ବପ୍ନ ସାକାର ହେବ କେବେ !

ଭଦ୍ରକଜିଲ୍ଲା/ବନ୍ତ,(ସଖପ୍ର): ଗତ ୨୦୧୫ ମସିହାରେ ଗ୍ରାମାଂଚଳର ବିକାଶ ନିମନ୍ତେ ସାଂସଦମାନେ ପର୍ଯ୍ୟାୟକ୍ରମେ ସେମାନଙ୍କ ଅଂଚଳରେ ଥିବା ଗୋଟିଏ ପଂଚାୟତକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ଏହାର ସାମଗ୍ରୀକ ବିକାଶ ପ୍ରତି ଧ୍ୟାନ ଦେବାକୁ ନିଷ୍ପତି ହୋଇଥିଲା । ତଦନୁଯାୟୀ ୫ହଜାର ୯୮ ଜନସଂଖ୍ୟା ବିଶିଷ୍ଟ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତକୁ ପ୍ରଥମଥର ପାଇଁ ସାଂସଦ ଅର୍ଜ୍ଜୁନ ଚରଣ ସେଠୀଙ୍କ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରାଯାଇଥିଲା । ସରକାରୀ ଭାବେ ଏହି ନିଷ୍ପତି ଘୋଷଣା ହେବା ପରେ ଦୀର୍ଘ ବର୍ଷ ଧରି ବିକାଶର ସ୍ୱପ୍ନ ଦେଖୁଥିବା ପୁରୁଷଣ୍ଢବାସୀ ଖୁସିରେ ବିଭୋର ହୋଇପଡ଼ିଥିଲେ । ସାଂସଦ ମଧ୍ୟ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରିଥିଲେ । ତନ୍ମଧ୍ୟରୁ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବାକୁ ଯାଇ ୧୯୩୫ ମସିହାରେ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ଦ୍ୱାରା ନିର୍ମିତ କୃଷ୍ଣ ଚରଣ ବିଦ୍ୟା ମନ୍ଦିରର ଗତ ୨୦୧୩ ନଭେମ୍ବର ୧୫ ତାରିଖରେ ଉପମନ୍ୟୁ କକ୍ଷ (ଶ୍ରେଣୀଗୃହ -୧) ଆଜବେଷ୍ଟସ ଭୁଷୁଡ଼ି ପଡ଼ିଥିଲା । ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୁରୁଣା ଆଜବେଷ୍ଟସ ଶ୍ରେଣୀ ଗୃହକୁ ବିପଦ ସଂକୁଳ ବୋଲି ଘୋଷଣା କରାଯାଇଥିଲା । ସେହିଦିନ ଠାରୁ ହଷ୍ଟେଲ ଏବଂ ଷ୍ଟାପ ଗୃହ ଆଦିରେ ପାଠପଢା ଚାଲିଥିଲା । ଆବଶ୍ୟକ ଠାରୁ ଗୃହ ଗୁଡ଼ିକ ଛୋଟ ଥିବାରୁ ଛାତ୍ରମାନେ ସମସ୍ତେ ବସିବାକୁ ସ୍ଥାନ ପାଉ ନଥିଲେ ।

ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କରିବା ପରେ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ତାଙ୍କ ସାଂସଦପାଣ୍ଠିରୁ ଏକକାଳୀନ ୧କୋଟି ୯ଲକ୍ଷ ୭୦ ହଜାର ଟଙ୍କା ମଂଜୁର କରିଥିଲେ । ଉକ୍ତ ଅର୍ଥ ବ୍ୟୟରେ ୨୦୧୭ ଅକ୍ଟୋବର ୮ ତାରିଖରେ ଏକ ଦ୍ୱିତଳ ବିଶିଷ୍ଟ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ନୂତନ ଗୃହ ଶିଳାନ୍ୟାସ ଉତ୍ସବରେ ଉପସ୍ଥିତ ଥିବା ଲୋକପ୍ରତିନିଧି ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନେ ବର୍ଷେ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ପ୍ରତିଶୃତି ଦେଇଥିଲେ । ମାତ୍ର ସେହି ପ୍ରତିଶୃତିକୁ ୧୨ ମାସ ପରିବର୍ତ୍ତେ ୪୨ମାସ ପୁରିଲା ଏବଂ ସାଂସଦ ଅର୍ଜ୍ଜୁନ ଚରଣ ସେଠୀଙ୍କ ସ୍ୱର୍ଗାବାସ ମଧ୍ୟ ହୋଇଗଲାଣି କିନ୍ତୁ ତାଙ୍କ ସ୍ୱପ୍ନ ଆଜି ପର୍ଯ୍ୟନ୍ତ ସାକାର ହୋଇପାରିଲା ନାହିଁ । ଅପରପକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରାତନ ଛାତ୍ରଛାତ୍ରୀ ସେମାନଙ୍କ ସ୍କୁଲରେ ଲାଇବ୍ରେରୀ,ବିଜ୍ଞାନାଗାର ତଥା ଛାତ୍ରଛାତ୍ରୀ ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ ସହାୟତା ଯୋଗାଇବା ପାଇଁ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ ୨୦୧୭ ମସିହା ନଭେମ୍ବର ୧୪ତାରିଖ ଶିଶୁଦିବସ ଅବସରରେ କରିଥିଲେ । ଏଥିପାଇଁ ରାଜ୍ୟ ସରକାର ୧୦୦କୋଟି ଟଙ୍କାର ଏକ କର୍ପସ ପାଣ୍ଠି କରିଥିବା ବେଳେ ପୁରାତନ ଛାତ୍ରଛାତ୍ରୀ ଦେଉଥିବା ଦାନର ୨ଗୁଣ ସରକାର ପ୍ରଦାନ କରିବାର ଘୋଷଣା ମଧ୍ୟ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ବିଦ୍ୟାଳୟର ଭିତ୍ତି ଭୂମି,ଶିକ୍ଷାର ମାନ ଏବଂ ଛାତ୍ର-ଶିକ୍ଷକ ସଂପର୍କ ବୃଦ୍ଧି କରିବାରେ ସହାୟକ ହେବାର ଆଶା ମଧ୍ୟ ରାଜ୍ୟ ସରକାର ରଖିଛନ୍ତି । ସେଥିପାଇଁ ମନ୍ତ୍ରୀଙ୍କୁ ନିଜ ଅଂଚଳର ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ରୂପେ ଗ୍ରହଣ କରିବାକୁ ଆହ୍ୱାନ ମଧ୍ୟ କରିଛନ୍ତି । କିନ୍ତୁ କୃଷ୍ଣ ଚରଣ ବିଦ୍ୟା ମନ୍ଦିର ପାଇଁ ସ୍ୱର୍ଗତ ସାଂସଦ ଏକକାଳୀନ ଏତେ ଅର୍ଥ ମଂଜୁର କରି ମଧ୍ୟ ଏକ ସଂପୂର୍ଣ୍ଣ ବିଦ୍ୟାଳୟ ନିର୍ମାଣର ସ୍ୱପ୍ନ ଠିକ୍ ସମୟରେ ସାକାର କରିପାରି ନଥିବା ବେଳେ ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’ ଯୋଜନା କେତେ ସଫଳ ହେବ ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତେଣୁ ସ୍ୱର୍ଗତ ସାଂସଦଙ୍କ ସ୍ୱପ୍ନକୁ ସାକାର କରିବାକୁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅଂଚଳବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *