ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ବିଜୁଳୀ ଆଲୁଅ ସାତସପନ
କଳାହାଣ୍ଡି (ସଖପ୍ର):କଳାହାଣ୍ଡି ଜିଲ୍ଲାରେ ଆଭ୍ୟନ୍ତରୀଣ ଇଲାକା ସବୁବେଳେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇ ଆସୁଥିବା ବେଳେ ସ୍ବାଧୀନତାର ସାତ ଦଶନ୍ଧି ପରେ ବି ବିଜୁଳୀ ଆଲୁଅ ସାତସପନ ହୋଇ ପଡିଛି। ଏଭଳି ଏକ ଇଲାକା ହେଉଛି ମଦନପୁର ରାମପୁର ବ୍ଲକର ଦେଢ଼ଶୁଲି ପଞ୍ଚାୟତ। ଏନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଶକ୍ତିମନ୍ତ୍ରୀଙ୍କ ଠାରେ ଗୁହାରି କରିଥିଲେ ମଧ୍ୟ ବିଜୁଳୀ ଆଲୁଅ ଦେଖିବାର ସୌଭାଗ୍ୟ ଏପର୍ଯ୍ୟନ୍ତ ମିଳି ନାହିଁ । ଏନେଇ ଗ୍ରାମବାସୀଙ୍କ ଉଦବେଗ ପ୍ରକାଶ କରିଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ମଦନପୁର ରାମପୁର ବ୍ଲକର ଦେଢଶୁଲି ପଞ୍ଚାୟତ ଏକ ଆଦିବାସୀ ବହୁଳ ଇଲାକା। ଦୁର୍ଗମ ପାହାଡ଼ି ଇଲାକା ଭିତରେ ୨୦୦୦ ହଜାର ରୁ ଉର୍ଦ୍ଧ୍ବ ପରିବାର ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଏହି ପଞ୍ଚାୟତର ୨୫ ଖଣ୍ଡ ଗ୍ରାମବାସୀ ବିଜୁଳୀ ଆଲୁଅ ଦେଖି ନାହାନ୍ତି। ଏହି ପଞ୍ଚାୟତର ଜାମୁଲି,ବାଗଵିଲା,ବୁଡାକେନ୍ଦୁ, କାଳାଦେଇ, ପାର୍ସେଲ ପଡା, ବଣ୍ଡେଲ ପଦର, ଗସ୍କା, ମୁଡିସ, ତନ୍ତୁଳିପଡ଼ା, ସେରଙ୍ଗ ପଡା, ଡ଼ମ ଗାଁ, ଦେଢ଼ଶୁଲି, ଟ୍ରାସୁପଡା, ବିରିପୋଡ଼ି, କାଉପଦର, ନାପା ଡୁଲୁ, ପଟାଙ୍ଗି, ରାକ୍ଷାସ ବନ୍ଧ, ରୁବେଟ, କାମରେଙ୍ଗ, ବତୀ ମୁଣ୍ଡା, ପାଜି ବଡଙ୍ଗ, ବାଡେଙ୍ଗ ଦେଇ, ଭେଙ୍ଗେନ ପାଡେଲ, ସିନ୍ଧି ପଦର ଓ ଲଡାମାସ୍କା ଗାଁରେ ବିଦ୍ୟୁତ ସଂଯୋଗ ହୋଇ ନ ଥିବାରୁ ଡିବିର ଆଲୁଅ ଭରଷାରେ ଗ୍ରାମବାସୀ କାଳାତିପାତ କରୁଛନ୍ତି। ସରକାରୀ କାଗଜ କଲମରେ ୨୫ ଖଣ୍ଡ ଗାଁ ଓ ଘର ମାନଙ୍କୁ ବିଦ୍ୟୁତିକରଣ କରାଯାଇଥିବା ଜଣାପଡିଛି, କିନ୍ତୁ ଦୁର୍ଭାଗ୍ୟର ବିଷୟ ଏବେ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡିରହିଛି। ସୋଲାର ପ୍ରକଳ୍ପ ଗୁଡିକ ଝଡ ତୋଫାନ କୁଆ ପଥର ମାଡରେ ନଷ୍ଟ ହୋଇପଡିଛି । ୨୫ଟି ଗାଁ ମଧ୍ୟରୁ ୧୪ ଟି ଗାଁରେ କେଉଁଠି ଖୁଣ୍ଟ ପୋତା ହୋଇଥିଲେ ତାର ଟଣା ଯାଇ ନାହିଁ ତ କେଉଁଠି ତାର ଟଣା ହୋଇଥିଲେ ବିଦ୍ୟୁତ ସଂଯୋଗ ହୋଇ ନାହିଁ। ଏଭଳି ସ୍ଥିତିରେ ସରକାରୀ ବ୍ୟବସ୍ଥା କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ପାଲଟିଛି। ଏନେଇ ସ୍ଥାନୀୟ ସରପଞ୍ଚ ଅଶ୍ମିତା ମାଝୀ,ସମାଜସେଵୀ ଗୋକୁଳାନନ୍ଦ ବିଶ୍ୱାଳ ସମେତ ସମସ୍ତ ୨୫ ଖଣ୍ଡ ଗାଁର ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।