ସୋମନାଥେଶ୍ବର ମନ୍ଦିର ନିର୍ମାଣ ପାଇଁ ନିଷ୍ପତ୍ତି
ମାଲକାନଗିରି ଜିଲ୍ଲା ୧୫/୦୩(ସଖପ୍ର): ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ସୋମନାଥପୁର ଗାଁର ପ୍ରତ୍ୟକ୍ଷ ଶୈବପୀଠ ସୋମନାଥେଶ୍ବର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏକ ଆଧ୍ୟାତ୍ମିକ ମହାମଞ୍ଚରେ ମନ୍ଦିର ପରିଚାଳନା କମିଟିର ଆବାହକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରି କହିଲେ ଯେ, ଏହି ମନ୍ଦିର ଦୀର୍ଘ ଦଶବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଥିଲା, କିନ୍ତୁ ଆଜି ପ୍ରଭୁଙ୍କ କୃପା ହେବା ଫଳରେ ଅଞ୍ଚଳର ଶତାଧିକ ଭକ୍ତ ଏକତ୍ରିତ ହୋଇଛନ୍ତି । ତେଣୁ ମନ୍ଦିର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବ । ସମ୍ମାନୀତ ଅତିଥି ଡ଼ ସରୋଜ କୁମାର ଦାଶ, ଓମ୍ ପ୍ରକାଶ ଟାୱଆରୀ,ରବି ମାଝୀ, ସୁରେନ୍ଦ୍ର ନାଥ ନାୟକ,ରାଓବାବୁ ଓ ଶିକ୍ଷାବିତ୍ ସୀମାଞ୍ଚଳ ପଣ୍ଡା, ଭଗବାନ ଚାଲାଣ,ସରପଞ୍ଚ ମଙ୍ଗୁଖିଲ ଯୋଗ ଦେଇ ମନ୍ଦିର ନିର୍ମାଣ ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ମାନିତ ବକ୍ତା ଶ୍ରୀକାନ୍ତ ପାଢ଼ୀ, ବାଳକୃଷ୍ଣ ପ୍ରଧାନ,ଗଣେଶ ଚନ୍ଦ୍ର ପଟ୍ଟନାୟକ, ଯୁଗଳ କିଶୋର ସ୍ବାଇଁ, ଭଗବାନ ସାହୁ, ବିଶ୍ବନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଅର୍ଦ୍ଧନିର୍ମିତ ମନ୍ଦିରକୁ ସମ୍ପୂର୍ଣ୍ଣ କରିବାକୁ ଶପଥ ନେଇଥିଲେ ।
ଶେଷରେ ଗ୍ରାମ ମନ୍ଦିର କମିଟିର କର୍ମକର୍ତ୍ତାମାନେ ମନ୍ଦିର ପରିସରକୁ ଯାଇ ଆସନ୍ତା ୧୯ ରେ ମନ୍ଦିରର ଭୂମିପୂଜନ କରିବାକୁ ଘୋଷଣା କରିଥିଲେ । ସୂଚନା ଯୋଗ୍ୟ ଯେ, ଗତ ୨୦୧୦ ମସିହାରେ ମାଟିଲଗ୍ନା ସାହିତ୍ୟ ସଂସଦର ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କୁ ସ୍ବପ୍ନାଦେଶ ହୋଇଥିଲା । ସେଥିପାଇଁ ସେ ସୂଦୂର ମାଲକାନଗିରିରୁ ଆସି ଗ୍ରାମବାସୀଙ୍କ ସହଯୋଗରେ ମନ୍ଦିର ନିର୍ମାଣ କରିବା ପାଇଁ ଶପଥ ନେଇଥିଲେ । ବର୍ତ୍ତମାନ ସୁଦ୍ଧା ମନ୍ଦିରର ଅଧାଅଧି କାର୍ଯ୍ୟ ଆରମ୍ଭ ହୋଇସାରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ନବଗଠିତ ମନ୍ଦିର ପରିଚାଳନା କମିଟି ଘୋଷଣା କରିଥିଲେ ।
ପ୍ରତିନିଧି ଗଣେଶ ଚନ୍ଦ୍ର ପଟ୍ଟନାୟକ