ସୂଚନା ଅଧିକାର ଆଇନର ବ୍ୟାପକତା ପାଇଁ ଅଧିକାରୀଙ୍କ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ’
କୋରାପୁଟ: ସୂଚନା ଅଧିକାର ଆଇନ ପ୍ରଣୟନ ହେବା ପରଦିନଠାରୁ ଆଜି ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାରେ ଏହି ଆଇନକୁ ଆଧାର କରି ସମୁଦାୟ 543 ଟି ଆବେଦନ ପତ୍ର ମିଳିଛି। ଏହାମଧ୍ୟରୁ 523ଟି ଆବେଦନର ଉତ୍ତର ଦିଆଯାଇଥିବା ଜିଲ୍ଲା ପିଆଇଓ ଶୁକ୍ରବାର କୋରାପୁଟ ସଦ୍ଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆୟୋଜିତ ସୂଚନା ଅଧିକାର ଆଇନ ସଚେତନତା କର୍ମଶାଳାରେ ଜଣାଇଛନ୍ତି ।
ତେବେ ଏହି କର୍ମଶାଳାରେ ତାଲିମଦାତା ଭାବେ ଉଦବୋଧନ ଦେଇଥିବା ସାମାଜିକ କର୍ମୀ ଶରତ ପଟ୍ଟନାୟକଙ୍କ କହିବାନୁଯାୟୀ ଗ୍ରାମାଞ୍ଚଳରେ ଆରଟିଆଇ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇ ପାରିନଥିବା ଓ ସୂଚନା ପ୍ରଦାନ କରୁଥିବା ଅଧିକାରୀଙ୍କ ସୂଚନା ପ୍ରଦାନ କରିବା ଦିଗରେ ଉପଯୁକ୍ତ ମାନସିକତାର ଅଭାବ ଯୋଗୁଁ ଏତେ କମ ସଂଖ୍ୟକ ଆବେଦନ ମିଳିଛି ।
ତେଣୁ ସମସ୍ତ ବିଭାଗର ପିଆଇଓ ସୂଚନା କିପରି ସହଜରେ ଆବେଦନକାରୀଙ୍କୁ ମିଳିପାରିବ ସେ ଦିଗରେ ତତ୍ପରତା ପ୍ରକାଶ କରିବା ଆବଶ୍ୟକ ବୋଲି ଶରତ ମତ ଦେଇଛନ୍ତି । ଜିଲ୍ଲାପାଳ ମଧୁସୂଦନ ମିଶ୍ର ମଧ୍ୟ ଏ ପର୍ଯ୍ୟନ୍ତ ସୂଚନା ପ୍ରଦାନ କରିବାରେ ଯେଉଁ ଅସୁବିଧା ସୃଷ୍ଟି ହୋଇଛି ତାକୁ ଦୂର କରି ଜିଲ୍ଲାରେ ସୂଚନା ପାଇବାର ଅଧିକାରକୁ ସହଜ ଓ ସରଳ ଭାବେ ଲୋକଙ୍କ ପାଖରେ ପହୁଞ୍ଚାଇବା ଦରକାର ବୋଲି ମତ ଦେଇଥିଲେ ।