ସୀମାନ୍ତରେ ମିଳିତ ଶାନ୍ତି କମିଟିକୁ ଆନ୍ଧ୍ର ଅଗ୍ରାହ୍ୟ କରିବାରୁ ବୈଠକ ବିଫଳ
କୋରାପୁଟଜିଲ୍ଲା: ପଟ୍ଟାଙ୍ଗି ବ୍ଳକ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ଆନ୍ଧ୍ର-ଓଡିଶା ସୀମାନ୍ତରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାନେଇ ଆଜି ଉଭୟ ରାଜ୍ୟର ତହସିଲସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା । ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀ ମିଳିତ ଶାନ୍ତି କମିଟି ପ୍ରତିଷ୍ଠା କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବରେ ଅରାଜି ହେବା ଯୋଗୁଁ ବୈଠକ ବିଫଳ ହୋଇଛି । ସୀମାକୁ ନେଇ ବିଭିନ୍ନ ସମୟରେ ସୀମାନ୍ତରେ ଥିବା ଉଭୟ ରାଜ୍ୟବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହେଉଛି । ଏଣୁ ଆନ୍ତଃ ରାଜ୍ୟ ସୀମା ରେଖା ଚିହ୍ନଟ ଚୂଡାନ୍ତହେବା ପର୍ଯ୍ୟନ୍ତ ନିଜ ମଧ୍ୟରେ କେହି ଗଣ୍ଡଗୋଳ ନକରିବାକୁ ବୈଠକରେ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଛି । ଆନ୍ଧ୍ରର ଅଧିକାରୀଙ୍କ ଏହିପରି ଅଗ୍ରାହ୍ୟ ପ୍ରଦର୍ଶନ ହେବା ଯୋଗୁଁ ସୁନାବେଡାସ୍ଥିତ ପ୍ରାଥମିକ ସ୍କୁଲ ଗୃହ ପରିସରରେ ସୀମାନ୍ତରେ ଥିବା ଉଭୟ ପଟର ଗ୍ରାମବାସୀ ଓ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । କୋରାପୁଟଜିଲ୍ଲାର ସୁନାବେଡା, ଜାମୁଗୁଡା ଓ ଆନ୍ଧ୍ର ପ୍ରଦେଶର ତଳ ଡେକାପାଡୁ, ଉପର ଡେକାପାଡୁ, କଇଲାପୁଟ ଗ୍ରାମବାସୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ସୂଚନାଯୋଗ୍ୟ, ଗତ ୨ ମାସ ଧରି ସମ୍ବାଇ ପଞ୍ଚାୟତର ସୁନାବେଡାଠାରେ ସୀମାକୁ ନେଇ ବିବାଦରେ ଉଭୟ ପକ୍ଷର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ୨ ଥର ବୈଠକ ହେବା ପରେ ବିଜେଡିର ନେତୃବୃନ୍ଦ ଯାଇ ଅଞ୍ଚଳବାସୀଙ୍କ ସମସ୍ୟା ବୁଝି ଆସିଥିଲେ । କିନ୍ତୁ ଠିକ ତା ପରଦିନଠାରୁ ଅନେକ ଦିନ ଧରି ବନ୍ଦ ପଡିଥିବା ସଂଘର୍ଷ ପୁଣି ତେଜି ଉଠିଥିବା ଦେଖାଯାଇଥିଲା । ଏହାକୁ ଆଧାର କରି ଆଜି ଉଭୟ ରାଜ୍ୟର ତହସିଲସ୍ତରରେ ଏହାର ଶାନ୍ତିପର୍ଣ୍ଣ ସମାଧାନ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ଆନ୍ଧ୍ରର ଡୁମୁରିଗୁଡା ଓ କୋରାପୁଟ ଜିଲ୍ଲାର ପଟାଙ୍ଗି ତହସିଲଦାର ଉଭୟ ରାଜ୍ୟର ସୀମାନ୍ତରେ ଥିବା ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ସୀମା ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରାଯାଉଥିବାରୁ ସୀମାରେ ଶାନ୍ତି ବଜାୟ ରହିବା ଆଶା କରାଯାଉଥିଲା ବୋଲି ସମ୍ବାଇ ସରପଞ୍ଚ ପିଲ୍କୁ ଗୁଣ୍ଠା ଜଣାଇଛନ୍ତି । କିନ୍ତୁ ମିଳିତ ଶାନ୍ତି କମିଟି ଗଠନ କରିବା ପାଇଁ ଆନ୍ଧ୍ରପ୍ରଦେଶ ଅରାଜି ହେବା କାରଣରୁ ପରିସ୍ଥିତି ପୂର୍ବଭଳି ଗମ୍ଭୀର ହୋଇଉଠିବାର ଆଶଙ୍କା ଘନୀଭୂତ ହୋଇଥିବା ସାଧାରଣରେ ପ୍ରକାଶ ପାଇଛି ।