03/27/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସୀମାନ୍ତବର୍ତ୍ତି ଅଞ୍ଚଳରେ ଓଡିଆ ବହି ଘୋର ଅଭାବ, ପାଠରୁ ବଞ୍ଚିତ ଛାତ୍ରଛାତ୍ରୀ

ଗଜପତି ଜିଲ୍ଲା:  ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ସମୟରେ ଅନେକ ଓଡିଆ ଭାଷାଭାଷୀ ଅଞ୍ଚଳ ଓଡିଶା ବାହାରେ ରହିଗଲା । ପରବର୍ତ୍ତୀ ସମୟରେ ସେମାନେ ହୋଇଗଲେ ପୋଡଶୀ ରାଜ୍ୟର ଅଧିବାସୀ । ତେବେ ନିଜର ମାତୃଭାଷା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସେମାନେ ଯଥାସାଧ୍ୟ ଉଦ୍ୟମ କରୁଥିବା ବେଳେ ବାରମ୍ବାର ଓଡିଶା ସରକାରଙ୍କ ଅବହେଳାର ଶିକାର ହେଉଥିବା ଅଭିଯୋଗ ହୋଇଛି । ଏପରିକି ଓଡିଆରେ ପାଠ ପଢିବା ପାଇଁ ଆବଶ୍ୟକୀୟ ପାଠ୍ୟ ପୁସ୍ତକ ମଧ୍ୟ ସେମାନଙ୍କୁ ସଠିକ ସମୟରେ ମିଳୁନାହିଁ । ଫଳରେ ସୀମାନ୍ତବର୍ତ୍ତି ଆନ୍ଧ୍ରରେ ରହୁଥିବା ଓଡିଆ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

1936 ମସିହାରେ ସ୍ବତନ୍ତ୍ର ଭାବେ ଗଠିତ ହେଲା ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା । ହେଲେ ସମସ୍ତ ଓଡ଼ିଆ ଏହି ରାଜ୍ୟ ମଧ୍ୟକୁ ଆସିପାରିନଥିଲେ ଫଳରେ, ଆଜି ବି ସେମାନେ ପୋଡଶୀ ରାଜ୍ୟର ଅଧିବାସୀ । ଯଦିଓ ସେମାନେ ଓଡିଶାରେ ନାହଁନ୍ତି, ତଥାପି ନିଜ ଭାଷା ଏବଂ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଅହରହ ଉଦ୍ୟମ କରି ଚାଲିଛନ୍ତି । ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ଓଡିଶା ସରକାର ପାଠ୍ୟ ପୁସ୍ତକ ଯୋଗାଇ ଆସନ୍ତି । ହେଲେ ଚଳିତ ବର୍ଷ କରୋନା କଟକଣା ଥିବାରୁ ସମସ୍ତ ସ୍କୁଲ ବନ୍ଦ ରହିଥିଲା । ଏହି କଟକଣା ଉଠିବା ପରେ ଆନ୍ଧ୍ର ପ୍ରଦେଶରେ ନଭେମ୍ବର 2 ତାରିଖରୁ ସମସ୍ତ ସ୍କୁଲ ଖୋଲିଛି । ସ୍କୁଲ ଖୋଲିବା ସହ ପାଠ ପଢା ମଧ୍ୟ ଚାଲିଛି । ଆଉ କିଛି ଦିନ ପରେ ଚଳିତ ଶିକ୍ଷା ବର୍ଷ ସରିବ । ତଥାପି ଏଯାଏଁ ବିଚ୍ଛିନ୍ନାଞ୍ଚଳର ଛାତ୍ରଛାତ୍ରୀ ମାନେ ଓଡ଼ିଆ ପାଠ୍ୟ ପୁସ୍ତକ ପାଇପାରି ନାହାନ୍ତି । ଫଳରେ, ଓଡ଼ିଆ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦିଓ କିଛି ପୁରୁଣା ବହି ଯୋଗାଡ କରି କିଛି ପିଲା ପାଠ ପଢୁଛନ୍ତି କିନ୍ତୁ, ସମସ୍ତଙ୍କ ପାଇଁ ଏହା ପର୍ଯ୍ୟାପ୍ତ ହେଉନାହିଁ । ତେଣୁ, ଗୋଟିଏ ବହିକୁ ଏକାଧିକ ପିଲା ବ୍ୟବହାର କରୁଛନ୍ତି । ଏନେଇ ଖବର ପାଇବା ପରେ ସତ୍ୟାସତ୍ୟ ଜାଣିବା ପାଇଁ ଆମ ପ୍ରତିିନିଧି ପହଞ୍ଚିଥିଲେ ଗଜପତି ଜିଲ୍ଲାର ସୀମାନ୍ତବର୍ତ୍ତି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ କିଛି ସ୍କୁଲରେ । ସେଠାରେ ସ୍ଥିତି ପରଖିବା ବେଳେ ପିଲାମାନେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଦୃଷ୍ଟି ଗୋଚର ହୋଇଥିଲା । ପୁରୁଣାପାଟଣା, ନାଡ଼ିସନ୍ଧା, ଚାପରା, ଆଦି ବିଛିନ୍ନାଞ୍ଚଳରେ ଥିବା ଓଡ଼ିଆ ସ୍କୁଲ ଗସ୍ତ କରିଥିଲେ ଆମ ପ୍ରତିନିଧି । ସବୁଠାରେ ସ୍ଥିତି ସମାନ । ଏନେଇ ନାଡସନ୍ଧା ସ୍କୁଲର ଜଣେ ଶିକ୍ଷକଙ୍କ ସହ ଆଲୋଚନା ବେଳେ ପାଠ୍ୟ ପୁସ୍ତକ ଅଭାବ ଯୋଗୁଁ ପିଲାମାନେ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ବଖାଣିଥିଲେ । ଆଉ ଦୁଇ ମାସ ପରେ ଚଳିତ ବର୍ଷର ଶେଷ ପରୀକ୍ଷା ରହିଥିବା ବେଳେ ଆଜି ଯାଏଁ ପାଠ୍ୟ ପୁସ୍ତକ ନମିଳିବା ନିଶ୍ଚିତ ଭାବେ ପିଲାଙ୍କୁ ପ୍ରଭାବିତ କରିବ ବୋଲି ସେ କହିଥିଲେ । କେବଳ ସେ ନୁହନ୍ତି ପିଲାମାନେ ମଧ୍ୟ ସେମାଙ୍କ ସମସ୍ୟା କହିଥିଲେ ।

ରାଜ୍ୟ ପୁନର୍ଗଠନ ବେଳେ ଓଡିଶା ବାହାରେ ରହି ଓଡିଆ ଭାଷାକୁ ବଞ୍ଚାଇ ରଖିବାର ଉଦ୍ୟମ ନିଶ୍ଚିତ ଭାବେ ସ୍ଵାଗତ ଯୋଗ୍ୟ । ଏଭଳି ସ୍ଥିତିରେ ସରକାରଙ୍କ ଅବହେଳା ଏମାନଙ୍କ ମନବଳକୁ ଏକ ପ୍ରକାର ଭାଙ୍ଗି ଦେଉଛି ବୋଲି କହିଲେ କିଛି ଭୁଲ ହେବ ନାହିଁ । ତେବେ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରେ ସର୍ବାଧିକ ଓଡ଼ିଆ ରହୁଥିବା ବେଳେ ବିଜୟନଗରମ ଏବଂ ବିଶାଖପାଟଣାରେ ମଧ୍ୟ ଅନେକ ଓଡ଼ିଆ ରହୁଛନ୍ତି । ଶ୍ରୀକାକୁଲମ ଜିଲ୍ଲାରେ ଥିବା 12 ହଜାରରୁ ଅଧିକ ଓଡିଆ ପିଲାଙ୍କ ମଧ୍ୟରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ 10 ହଜାରରୁ ଅଧିକ ଏବଂ 9ମ ଓ 10ମ ଶ୍ରେଣୀରେ ପ୍ରାୟ ଅଢେଇ ହଜାର ପିଲା ରହିଛନ୍ତି । ସେହିପରି ବିଜୟନଗରମ ଜିଲ୍ଲାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ 25ଜଣ ଏବଂ ବିଶାଖାପାଟଣା ଜିଲ୍ଲାରେ 1ମରୁ 8ମ ଶ୍ରେଣୀ ଯାଏଁ ଦେଢଶହ ଏବଂ 9ମ ଓ 10ମ ଶ୍ରେଣୀରେ 30 ଜଣ ପିଲା ରହିଛନ୍ତି । ଯଦିଓ ବିଶାଖପାଟଣା ଏବଂ ବିଜୟନଗରମ ଜିଲ୍ଲାରେ ବି ହଜାର ହଜାର ଓଡିଆ ରହିଛନ୍ତି ତେବେ ସଠିକ ସମୟରେ ପୁସ୍ତକ ନମିଳିବା ଏବଂ ପଡୋଶୀ ରାଜ୍ୟ ଅଣଦେଖା ମନୋଭାବ ଯୋଗୁଁ ସେମାନେ ତେଲୁଗୁ ଭାଷାରେ ପଢିବାକୁ ବାଧ୍ୟ ହେଉଛନ୍ତି । ପ୍ରତିବର୍ଷ ବିଛିନ୍ନାଞ୍ଚଳ ପିଲାଙ୍କ ପାଖରେ ଓଡିଆ ପାଠ୍ୟ ପୁସ୍ତକ ପହଞ୍ଚିବାରେ ବିଳମ୍ବ ହୋଇଆସୁଛି । ତେବେ ଚଳିତ ବର୍ଷ ବିଳମ୍ବର ସବୁ ସୀମା ପାର କରିଯାଇଛି । ବିଛିନ୍ନାଞ୍ଚଳରେ ରହିଥିବା ଓଡ଼ିଆ ପିଲାମାନେ କିଭଳି ଓଡ଼ିଆ ପାଠ୍ୟ ପୁସ୍ତକ ଯଥାଶୀଘ୍ର ପାଇବେ ସେ ଦିଗରେ ସରକାର ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *