05/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସାର ବୋଝେଇ ପିକଅପ ଭ୍ୟାନ ଜବତ, ଚାଳକ ଅଟକ

ନବରଙ୍ଗପୁର (ସଖପ୍ର): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପୁଲିସ ଆଜି ଏକ ସାର ବୋଝେଇ ପିକଅପ ଭ୍ୟାନକୁ କଳାହାଣ୍ଡିରୁ ଆସୁଥିବା ବେଳେ ଜବତ କରି ଡ୍ରାଇଭରକୁ ଥାନାରେ ଅଟକ ରଖିଛି। ନବରଙ୍ଗପୁର ଜିଲ୍ଲାରେ ସାରର କୁତ୍ରିମ ଅଭାବ ଦେଖାଦେଇଥିବା ବେଳେ ଅସନ୍ତୋଷ ଚାଷୀ ଆନ୍ଦୋଳନ କରିବା ସହ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିବା ବେଳେ ଏହାର ସୁଯୋଗ ନେଇ ଚୋରାରେ ପଡ଼ୋଶୀ ଜିଲ୍ଲା କଳାହାଣ୍ଡିରୁ ସାର ଆଣି ଚଢା ଦରରେ ଚାଷୀଙ୍କୁ ବିକୁଥିବା ଅଭିଯୋଗ ହେଉଛି। ଆଜି ମୈଦଲପୁର ନୂଆଗୁଡା ଅଂଚଳର ଜଣେ ବେପାରୀ ପିକଅପ ଭ୍ୟାନ ନମ୍ବର ଓଡି ୨୪ ଇ ୭୪୨୩ ଯୋଗେ ୫୦ବସ୍ତା ୟୁରିଆ ଏବଂ ୫ବସ୍ତା ଡ଼ିଏପି ସାର ବୋଝେଇ କରି କଳାହାଣ୍ଡିରୁ ମୈଦଲପୁର ଫେରିବା ବେଳେ ମୈଦଲପୁର ଫାଣ୍ଡି ଅଧିକାରୀ ଅନାମୁ ଦିଆନ ଏବଂ ପୋଲିସ କର୍ମଚାରୀ ଗାଡିକୁ ଅଟକାଇ ସାରର କାଗଜ ପତ୍ର ମାଗିଥିଲେ। ଡ୍ରାଇଭର ଜଣକ କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ଗାଡିଟିକୁ ଆଣି ଥାନାରେ ଅଟକରଖି ଶ୍ରୀ ଦିଆନ ପାପଡାହାଣ୍ଡି କୃଷି ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ପାପଡାହାଣ୍ଡି କୃଷି ଅଧିକାରୀ ଶଶୀଭୁଷଣ ସେନାପତି, ଅତିରିକ୍ତ କୃଷି ଅଧିକାରୀ ସୌମ୍ୟରଂଜନ ପାତ୍ର ଏବଂ ଶିବାନୀ ଗୋଛେ ପ୍ରମୁଖ ଘଟଣା ସ୍ଥଳକୁ ଆସି ବେଆଇନ ସାରକୁ ଜବତ କରିବା ସହ ଜବତ ସାରକୁ ମୈଦଲପୁର ଲ୍ୟାମ୍ପ ଏମଡିଙ୍କୁ ଜିମାରେ ଦେଇଥିଲେ। ଏପଟେ ଗାଡି ଡ୍ରାଇଭର ଘାସିରାମ ପୂଜାରୀକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଗାଡି ମାଲିକ ତଥା ବ୍ୟବସାୟୀ ଜଣକ ଗାଡି ଅଟକାଇବା ସମୟରେ ଫାଣ୍ଡି ଅଧିକାରୀଙ୍କୁ ଧମକାଇଥିବା ଶ୍ରୀ ଦିଆନ ସୂଚନା ଦେଇଛନ୍ତି।

ପ୍ରତିନିଧି ସିମାଦ୍ରୀ ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *