02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସାର ଅଭାବକୁ ନେଇ ତାତିଲେ ଚାଷୀ ଓ ରାଜରାସ୍ତା ଅବରୋଧ କଲେ

ନବରଙ୍ଗପୁର (ସଖପ୍ର): ବର୍ଷାର ଆଗମନ ପରେ ଯେଉଁ ଚାଷୀ ନିଜ ଜମିରେ ରହି ଚାଷ କରିବା କଥା ସେହି ଚାଷୀ ବର୍ତ୍ତମାନ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ।ବର୍ତ୍ତମାନ ଚାଷ ପାଇଁ ଉପଯୁକ୍ତ ସମୟ, ଏହି ସମୟରେ ବଜାରରେ ସାରର କୁତ୍ରିମ ଅଭାବ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏଭଳି ପରିସ୍ଥିତିରେ ଚାଷୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବାକୁ ପଡିଛି । ଦୀର୍ଘ ଦୁଇ ମାସ ହେବ ଉମରକୋଟରେ କୌଣସି ସାର ମିଳୁନାହିଁ । ଫଳରେ ଚାଷୀ ମାନେ ଚାଷ କାମକୁ ଅଧୁରା କରି ରଖିଛନ୍ତି । ବିଭିନ୍ନ ସ୍ଥାନରୁ ଧାର କରଜ ଆଣି ଚାଷ କରିଥିବା ଚାଷୀମାନେ ଏବେ ମୁଣ୍ଡ ରେ ହାତ ଦେଇ ବସିଛନ୍ତି ।
ଅତିଶିଘ୍ର ସାର ନମିଳିଲେ ଚାଷ ଉଜୁଡି ଯିବାର ଆଶଙ୍କା କରିଛନ୍ତି ଚାଷୀମାନେ । ଏହି କାରଣରୁ ଆଜି ଶତାଧିକ ଚାଷୀ ଉମରକୋଟ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଅତିଶୀଘ୍ର ସାର ଯୋଗାଇ ଦିଆ ନହେଲେ ଚାଷୀ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ଏହି ଚାଷୀ ଆନ୍ଦୋଳନରେ ଚାଷୀଙ୍କ ସହ ସାମିଲ ହୋଇଛନ୍ତି ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଚାଷୀଙ୍କୁ ସାର ନ ମିଳିବା ଯାଏ ରାସ୍ତାରୁ ହଟିବେ ନାହିଁ ବୋଲି କହିଛନ୍ତି ପ୍ରଦୀପ । ସାର ଅଭାବକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ପ୍ରଦୀପ । ବର୍ତ୍ତମାନ ରାଜ ରାସ୍ତାରେ ପ୍ରଦୀପ ମାଝୀଙ୍କ ସହ ଚାଷୀଙ୍କୁ ବୁଝେଇବା ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି, ଚାଷୀ ତାଙ୍କ ଜିଦରେ ଅଟଳ ରହିଅଛନ୍ତି। ବର୍ତ୍ତମାନ ଯାଏ କୌଣସି ସୁଫଳ ମିଳିନାହିଁ । ବର୍ତ୍ତମାନ ରାସ୍ତାରେ ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମୋଟର ଅଟକି ରହିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ପ୍ରତିନିଧି ସିମାଦ୍ରୀ ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *