ସର୍ବଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସହ ଅନ୍ୟ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କୋରାପୁଟ (ସଖପ୍ର): ସର୍ବଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଶେଷରେ କୋଟିଆ ପଞ୍ଚାୟତର ମମତା ଜାନୀ ନାମାଙ୍କନ ପତ୍ର ଦାଖଲ କଲେ, ଏହା ବିରୁଦ୍ଧରେ ଦୁଇ ଜଣ ମହିଳା ସ୍ବାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। କୋଟିଆ ବିବାଦକୁ ନେଇ ଗତକାଲି ସର୍ବଦଳୀୟ ବୈଠକରେ ଜଣେ ନିର୍ଦ୍ଦଳୀୟ ମହିଳାଙ୍କୁ ପ୍ରାର୍ଥୀ ନିମନ୍ତେ ଚୟନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆଜି ନାମାଙ୍କନ ପତ୍ର ପ୍ରଦାନର ଶେଷ ଦିନ ଥିବା ବେଳେ ପଟ୍ଟାଙ୍ଗୀ ୧ ଜୋନ ନିମନ୍ତେ କଂଗ୍ରେସର ଟିକାଇ ଗେମେଲ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିବା ପରେ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ ଓ ପଟ୍ଟାଙ୍ଗି ବିଧାୟକ ପୀତମ ପାଢୀଙ୍କ ମଧ୍ୟରେ କଂଗ୍ରେସ ନେତାଙ୍କୁ ମନେଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କିଛି ଫଳପ୍ରଦ ହୋଇ ନ ଥିଲା । ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ନିଜ ଜିଦରେ ଅଟଳ ରହି କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜିଦ ଧରିଥିଲେ ।

ପରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଆସି ବୁଝାଇଥିଲେ। କିନ୍ତୁ ତାହା ମଧ୍ୟ ଫଳପ୍ରଦ ହୋଇ ନ ଥିଲା । ଏହାରି ମଧ୍ୟରେ ପଟ୍ଟାଙ୍ଗି ଜୋନ ୧ ନିମନ୍ତେ କଂଗ୍ରେସ ପ୍ରାର୍ଥୀନୀ ଟିକାଇ ଗେମେଲ ନାମାଙ୍କନ ପତ୍ର ଦାଖଲ କରିବାକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସି ରହିଥିଲେ । ଏପଟେ ସର୍ବଦଳୀୟ ପ୍ରାର୍ଥିନୀ ମମତା ଜାନୀ କାର୍ଯ୍ୟାଳୟ ବାହାରେ ବସିଥିଲେ । ସମୟ ଅତିକ୍ରାନ୍ତ ହେଉଥିବା ବେଳେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ,ବିଜେଡି ଜିଲ୍ଲା ସଭାପତି ଇଶ୍ଵର ପାଣିଗ୍ରାହୀ ଓ ପୂର୍ବତନ ସାଂସଦ ତଥା ବିଜେପିର ବରିଷ୍ଠ ନେତା ଜୟରାମ ପାଙ୍ଗିଙ୍କ ସହ ଶ୍ରୀ କାଡାମ ଆଲୋଚନା କରିଥିଲେ। ସର୍ବଦଳୀୟ କମିଟିର ବିନା ଅନୁମତିରେ ମମତା କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ଆଲୋଚନା କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ବିଜେଡି ଜିଲ୍ଲା ସଭାପତି ଇଶ୍ଵର ପାଣିଗ୍ରାହୀ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ପ୍ରମୁଖ ଆଲୋଚନା କରିବା ପରେ ମମତା ଜାନୀ ସର୍ବଦଳୀୟ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ପ୍ରଦାନ କରିଥିଲେ।

ଏହି ସମୟରେ କଂଗ୍ରେସ ବିଦ୍ରୋହୀ ଟୀକାଇ ଗେମେଲ ଓ ଗାଙ୍ଗରାଜପୂରର ସବୀୟା ଗରଡିଆ ସ୍ବାଧିନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଉକ୍ତ ଦୁଇ ପ୍ରାର୍ଥୀନୀଙ୍କୁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ସର୍ବଦଳୀୟ ନେତାଙ୍କ ପାଇଁ ଏକ ଚାଲେଞ୍ଜ ହୋଇ ରହିଯାଇଛି । ଯଦି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ନାହିଁ ତେବେ କୋଟିଆରେ ମତଦାନ ହେବା ସୁନିଶ୍ଚିତ। କୋଟିଆରେ ନିର୍ବାଚନ ଜିଲ୍ଲା ପ୍ରଶାସନ ପାଇଁ ମଧ୍ୟ ଏକ ଚାଲେଞ୍ଚ ସଦୃଶ ହୋଇ ରହିବ ବୋଲି ସାଧାରଣରେ ଆଲୋଚନା ହେଉଛି।
କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ