ସରକାରଙ୍କ ଘୋଷଣା:ଏଣିକି ଜରୁରୀ ସାର୍ଟିଫିକେଟ ପାଇଁ ଆଉ ତହସିଲକୁ ଦୌଡ଼ିବାକୁ ପଡିବନି
ଭୁବନେଶ୍ୱର ୨୯/୧୨: ଜାତି ପ୍ରମାଣପତ୍ର ହେଉ ଅଥବା ସଲ୍ଭେନ୍ସି । ଏଣିକି ଆଉ ତହସିଲ୍ ଅଫିସ ଦୌଡ଼ି ନୟାନ୍ତ ହେବାକୁ ପଡ଼ିବନି। ନୂଆବର୍ଷ ଭେଟି ସ୍ୱରୂପ ଏସବୁ ତହସିଲ୍ ଯନ୍ତ୍ରଣାରୁ ଲୋକଙ୍କୁ ମୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚାକିରି କିମ୍ବା ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବେଦନ ବେଳେ ଆଉ ଆୟ, ବାସସ୍ଥାନ ସାର୍ଟିଫିକେଟ ଦାଖଲ କରିବା ଅନିବାର୍ଯ୍ୟ ହେବନାହିଁ। ଏସଂପର୍କରେ ସ୍ୱ-ଘୋଷିତ (ସେଲଫ୍ ସାର୍ଟିଫିକେସନ)ରେ ହିଁ ସବୁ କାମ ହେବ । ଚାକିରି ପାଇବା ପରେ କିମ୍ବା ନାମଲେଖା ପରେ ସାର୍ଟିଫିକେଟ ଦାଖଲ କରିହେବ । ଖାଲି ସେତିକି ନୁହେଁ ସମସ୍ତ ପ୍ରମାଣପତ୍ର ଏଣିକି ମାଗଣାରେ ଅନ୍ଲାଇନ୍ରେ ମିଳିବ। ସଲ୍ଭେନ୍ସି ସାର୍ଟିଫିକେଟ୍ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ରବିବାର ଛୁଟି ସତ୍ତେ୍ୱ ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ଆସି ଏହି ବଡ଼ ଘୋଷଣା କରିଛନ୍ତି । ଏହା ଲୋକମାନଙ୍କ ଅଧିକାର ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।
୫ମ ପାଳିରେ ‘୫ଟି’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଫୋକସ୍ କରୁଥିଲା ବେଳେ ଆଜି ଲୋକସେବା ଭବନରୁ ମୋବାଇଲ ରାଜସ୍ୱ ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ହିତାଧିକାରୀଙ୍କୁ ସ୍ୱ-ଘୋଷଣାରେ ସାର୍ଟିଫିକେଟ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ସରକାରୀ କର୍ମଚାରୀଙ୍କ ପରଲୋକ ପରେ ପ୍ରାପ୍ୟ ପାଇବାକୁ ଉତ୍ତରାଧିକାରୀ ପ୍ରମାଣପତ୍ର ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି । ସଂପୃକ୍ତ କର୍ମଚାରୀଙ୍କ ସର୍ଭିସ ବୁକରେ ଥିବା ସୂଚନା ଆଧାରରେ ତାଙ୍କ ପ୍ରକୃତ ଉତ୍ତରାଧିକାରୀ ପେନସନ, ଗ୍ରାଚ୍ୟୁଇଟି, ଛୁଟି ବାବଦ ବଳକା ଦରମା ଆଦି ସବୁ ପ୍ରକାର ସହାୟତା ଓ ପ୍ରାପ୍ୟ ପାଇପାରିବେ । ଅନୁସୂଚିତ ଜାତି ଓ ଜନଜାତି ପିଲାମାନଙ୍କୁ ଏଣିକି ମାଟ୍ରିକ ପରୀକ୍ଷା ପରେ ସ୍କୁଲ ଲିଭିଂ ସାର୍ଟିଫିକେଟ୍ (ଏସଏଲସି) ସହ ଜାତି ପ୍ରମାଣପତ୍ର ପ୍ରଦାନ କରାଯିବ ।
ତହିସିଲ ଅଫିସରୁ ପାଇବାକୁ ଥିବା ବିଭିନ୍ନ ପ୍ରମାଣପତ୍ର ପାଇଁ ହିତାଧିକାରୀମାନେ ଏଣିକି ନିଜ ଘରୁ ମଧ୍ୟ ଅନଲାଇନରେ ଆବେଦନ କରିପାରିବେ । ଏଥିପାଇଁ ତହସିଲ ଅଫିସ କିମ୍ବା ସହଜ ଜନସେବା କେନ୍ଦ୍ରକୁ ଯିବାକୁ ହେବନି । ସଲ୍ଭାନସି ସାର୍ଟିଫିକେଟ (ଋଣ ପରିଶୋଧ କ୍ଷମତା ପ୍ରମାଣପତ୍ର)କୁ ମଧ୍ୟ ସରକାର ସମ୍ପୂର୍ଣ୍ଣ ଉଚ୍ଛେଦ କରିଛନ୍ତି। ଷ୍ଟୋରେଜ ଏଜେଣ୍ଟ, ଅବକାରୀ ଲାଇସେନସ୍, ପଥର ଖଣି ନିଲାମ ବେଳେ ଏ ସାର୍ଟିଫିକେଟ ଲୋଡ଼ା ପଡୁଥିଲା।
ମୁଖ୍ୟମନ୍ତ୍ରୀ ପାଉତି ଆପ୍ ଓ ଇ-ସାର୍ଟିଫିକେଟ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଲୋକମାନେ ଘରେ ବସି ମୋବାଇଲ ଆପ୍ ଜରିଆରେ ଜମିଜମାର ଖଜଣା ଦାଖଲ କରି ପାଉତି ପାଇପାରିବେ। ଏ ଆପ୍ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଲେ, ଲୋକଙ୍କ ଦୈନନ୍ଦିନ ଜୀବନକୁ ସହଜ କରିବାକୁ ସରକାରୀ ସେବାଗୁଡ଼ିକୁ ଆମେ ଲୋକଙ୍କ ନିକଟକୁ ନେଉଛୁ। ଏ ସବୁ ପଦକ୍ଷେପ ସାଧାରଣ ଲୋକଙ୍କ ଜୀବନରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସହାୟକ ହେବ। ଏ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଲେ, ଏହି ପଦକ୍ଷେପ ଦ୍ୱାରା ରାଜସ୍ୱ ବିଭାଗ ଅଧିକ ଲୋକାଭିମୁଖୀ ହେବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ, ‘୫ ଟି’ କାର୍ଯ୍ୟକ୍ରମ ଲୋକଙ୍କ ନିୟମିତ ଜୀବନରେ ସୁବିଧା ଆଣିପାରିଛି। ଏଭଳି ସୁବିଧା ଦେଶର କୌଣସି ରାଜ୍ୟରେ ଉପଲବ୍ଧ ନାହିଁ । ମାତ୍ର ୪ ମାସ ମଧ୍ୟରେ ଏହି ଉଦ୍ୟମର ପରିକଳ୍ପନା ସହ କାର୍ଯ୍ୟକାରୀ କରାଯାଇ ପାରିଛି।
ଏଥିପାଇଁ ସେ ରାଜସ୍ୱ ବିଭାଗର ପ୍ରଶଂସା କରିଥିଲେ। ଭବିଷ୍ୟତରେ ବିବାହ ପ୍ରମାଣପତ୍ର ଭଳି ଅନ୍ୟ ସୁବିଧା କିଭଳି ମିଳିପାରିବ ସେ ସଂପର୍କରେ ଜିଲ୍ଲାପାଳମାନେ ମତ ରଖିବାକୁ ସେ ଆହ୍ୱାନ ଦେଇଥିଲେ। ଏ ବୈଠକରେ ପୁଲିସ ଡିଜି ଅଭୟ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଉପଦେଷ୍ଟା ଆର.ବାଲକ୍ରିଷ୍ଣନ, ୫ ଟି ସଚିବ ଭି.କେ.ପାଣ୍ଡିଆନ, ବିଭିନ୍ନ ବିଭାଗର ସଚିବଙ୍କ ସହ ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଏସବୁ ସାର୍ଟିଫିକେଟର ୟୁଜର୍ସ ଫି’ ବାବଦକୁ ସରକାର ମାତ୍ର ୧୨ କୋଟି ଟଙ୍କା ରାଜସ୍ୱ ପାଉଛନ୍ତି। ମାତ୍ର ଜନକଲ୍ୟାଣ ପାଇଁ ଏତିକି କ୍ଷତି ସହିବାକୁ ସରକାର ପ୍ରସ୍ତୁତ ହୋଇଛି।