ସମ୍ପତ୍ତି ଥାଇ ଭୋକରେ କାଳିଆ ଠାକୁର, ଜମି ଫେରାଇ ଆଣିବାକୁ ପ୍ରଶାସନର ଆନ୍ତରିକତା ନାହିଁ
କୋରାପୁଟଜିଲ୍ଲା/ ନାରାୟଣପାଟଣା (ସଖପ୍ର) : କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ସ୍ଥିତ ୪୫୧ ବର୍ଷ ପୁରୁଣା ଜଗନ୍ନାଥ ମନ୍ଦିରରେ କାଳିଆ ଠାକୁର, ଭାଈ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଭୋକରେ ଦିନ କାଟୁଛନ୍ତି। ମନ୍ଦିରର ନୀତିକାନ୍ତି ପାଇଁ ରହିଥିବା ୪.୭୬୦ ଏକର ଜମି ବର୍ତ୍ତମାନ ଜବରଦଖଲକାରୀଙ୍କ କବଜାରେ। ଏହି ମନ୍ଦିରଟି ୧୫୭୦ ଖ୍ରୀଷ୍ଟାଦ୍ଦରେ ପ୍ରତିଷ୍ଠା ହୋଇଥିଲା। ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ପ୍ରଭାକର ରାଓ ଏବଂ ସମାଜସେବୀ ଅନୀଲ ସୁବୁଦ୍ଧିଙ୍କ କହିବା ଅନୁସାରେ ଖାତା ନମ୍ବର ୧୨୦ ଏବଂ ୧୨୧ ରେ ରହିଥିବା ପ୍ରାୟ ୪.୭୬୦ ଏକର ଜମି, ନାରାୟଣପାଟଣା ଜଗନ୍ନାଥଙ୍କ କୋଠ ଭୋଗ ପାଇଁ ବହୁ କାଳରୁ ରହି ଆସିଛି। ଜମିଟି ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେପୁରୀ, ମାର୍ଫତ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି,ପୁରୀ ନାମରେ ରହିଛି।ଏହି ଜମି ଗୁଡିକ ତଦାରଖ କରିବାକୁ କିଛି ବ୍ୟକ୍ତି ବିଶେଷଙ୍କୁ ଦାୟିତ୍ତ୍ବ ଅତୀତରେ ମିଳିଥିବା ଖବର ମିଳିଛି। ଳତଥା ଏହି ଜମିର ଚାଷରୁ ଯାହା ଆଦାୟ ହେବ, ସେଥିରେ ମନ୍ଦିର ପରିଚାଳନା ପାଇଁ ସ୍ଥିର କରାଯାଇଥିଲା, କିନ୍ତୁ ଯେଉଁ ମାନଙ୍କୁ ଜଗନ୍ନାଥ ମହାପ୍ରଭୁଙ୍କ ଜମିର ଦାଇତ୍ତ୍ବ ଦିଆଯାଇଥିଲା, ସେମାନେ ବର୍ତ୍ତମାନ ଜମିକୁ ଜବରଦଖଲ କରିବା ଚକ୍ରାନ୍ତ ଚଳାଇଛନ୍ତି ବୋଲି ଖବର ମିଳିଛି। ସେମାନେ ବର୍ଷ ବିର୍ଷ ଧରି ଉକ୍ତ ଜମି ରେ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲେ ମଧ୍ୟ, ମନ୍ଦିର ପରିଚାଳନା ପାଇଁ ଅଣାଟିଏ ଦେଉନଥିବା ଅଭିଯୋଗ ହେଉଛି। ଯାହାଫଳରେ ଠାକୁରଙ୍କ ଦୈନିକ ପାଠପୁଜା,ଭୋଗ, ଆଳତିରେ ସମସ୍ୟା ଉପୁଜୁଛି।ରଥଯାତ୍ରା ସମୟରେ, ରଥ ନିର୍ମାଣ ତଥା ମନ୍ଦିର ର ରକ୍ଷଣାବେକ୍ଷଣ ପାଇଁ ଭକ୍ତଙ୍କ ହାତଟେକା ଦାନ ଉପରେ ନିର୍ଭର କରିବାକୁ ପଡୁଛି, ଯାହା ଅତ୍ୟନ୍ତ ଦୁଃଖଦ ବିଷୟ। ସମୟ ସମୟରେ ପରିସ୍ଥିତି ଏମିତି ହେଉଛି ଯେ ମହାପ୍ରଭୁଙ୍କୁ ଭୋକରେ ଦିନ କାଟିବାକୁ ପଡୁଛି।
ଓଡିଶା ରାଜ୍ୟର ବଡ ମିଡ଼ିଆ ହାଉସର ବ୍ଲକ ପ୍ରତିନିଧି ଏବଂ ଏହି ଅଞ୍ଚଳର ଏକ ପ୍ରଭାବଶାଳୀ ବ୍ୟକ୍ତି ଉକ୍ତ ଜମିରେ ଚାଷ କରି ମହାଜନ ପାଲଟି ଯାଇଥିବା ବେଳେ, ମହାପ୍ରଭୁଙ୍କୁ ଭୋକରେ ରହିବାକୁ ପଡୁଛି।
ମିଳିଥିବା ଖବର ଅନୁଯାଇ, ବିନା ଲିଜରେ ଜଗନ୍ନାଥଙ୍କ ଜମିକୁ ଜବର ଦଖଲ କରାଯାଇଛି। ସେଥିରେ ପୁଣି ଜବର ଦଖଲକାରୀଙ୍କୁ କୃଷି ଉଦ୍ୟାନ ବିଭାଗ ଏବଂ ଲିଫ୍ଟ ଇରିଗେସନ ବିଭାଗର ସବସିଡ଼ି ଠାରୁ ଆରମ୍ଭ କରି ସରକାରଙ୍କ ପକ୍ଷରୁ ପୁରସ୍କାର ମିଳିବା ଆସ୍ଚର୍ଯ୍ୟର ବିଷୟ ପାଲଟିଛି। ବେଆଇନ ଭାବେ ଅନୁକମ୍ପା ଦେଇଥିବାରୁ ଅଧିକାରୀ ମାନେ ବର୍ତ୍ତମାନ ହରଡଘଣାରେ।
ଏହି ଜମି ସମ୍ପର୍କରେ କିଛି ପ୍ରଶ୍ନ ଉପରେ ବିଚାର କରିବାର ଆବଶ୍ୟକତା ଅଛି। ପ୍ରଥମ ପ୍ରଶ୍ନ*ଜମି ଉପରେ ଲିଜ ନଥିବା କିମ୍ବା ମାଲିକାନା ନଥିବା ବେଳେ, କେଉଁ ଦସ୍ତାବିଜଙ୍କୁ ଦେଖି ବିଭାଗୀୟ ଅଧିକାରୀ ଗୋଟିଏ ପରେ ଗୋଟିଏ ସବସିଡି ଦେଲେ ? ଦ୍ୱିତୀୟ ପ୍ରଶ୍ନ*କେଉଁ ଜମିର ପଟା ଦେଇ ଜଗନ୍ନାଥଙ୍କ ଜମି ପାଇଁ ସବସିଡି ନିଆଯାଇଛି ? ତୃତୀୟ ପ୍ରଶ୍ନ*ସବସିଡି ଦେବା ଏବଂ ନେବା ପୂର୍ବରୁ ଉଭୟ ପକ୍ଷ ଦେବୋତ୍ତର ବିଭାଗର ଅନୁମତି ନେଇଥିଲେ କି ? ଚତୁର୍ଥ ପ୍ରଶ୍ନ*ଜଗନ୍ନାଥଙ୍କ ଜମି ପଟ୍ଟାକୁ ଟାମ୍ପରିଂ କରାଯାଇ ଏଭଳି ହୋଇ ନାହିଁ ତ ? ପଞ୍ଚମ ପ୍ରଶ୍ନ*ଉଦ୍ୟାନ କୃଷି କ୍ଷେତ୍ରରେ ଉନ୍ନତ ଚାଷୀ ଭାବେ ଜବର ଦଖଲକାରୀଙ୍କ ନାମକୁ ପୁରସ୍କାର ପାଇଁ ସୁପାରିଶ କଲା କିଏ ? ଷଷ୍ଠ ପ୍ରଶ୍ନ*ମିଡ଼ିଆ ହାଉସରେ କାର୍ଯ୍ୟ କରୁଛନ୍ତି ବୋଲି ଜବର ଦଖଲକାରୀଙ୍କୁ ଅନୁକମ୍ପା ମିଳି ନାହିଁ ତ ? ସପ୍ତମ ପ୍ରଶ୍ନ*ଯଦି ନାହିଁ ପ୍ରାୟ ୮ କୋଟି ଟଙ୍କାର ବଜାର ମୂଲ୍ୟ ଥିବା ଜମିର ଜବର ଦଖଲକାରୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ସବସିଡି ଏବଂ ପୁରସ୍କାର ମିଳିଲା କେମିତି ?
ସୂଚନା ଥାଉକି, ଦେବୋତ୍ତର ଜମି ନିୟମ ୨୦୦୩ ତଥା ଦେବୋତ୍ତର ଆକ୍ଟ ୧୯୮୭ ଏବଂ ୧୯୯୬ ମୁତାବକ, ପ୍ରଶାସନିକ ଆଇନର ସାଧାରଣ ନୀତି ଅନୁଯାଇ ସ୍ୱଚ୍ଛ ଲିଜ ପ୍ରକ୍ରିୟା ହେବା ଦରକାର। ଦେବୋତ୍ତର ବିଭାଗ ଅଧିକାରୀ କିମ୍ବା ମନ୍ଦିର ପରିଚାଳନା କମିଟିିଙ୍କ ଗୁପ୍ତ ବୁଝାବଣାରେ କାହାକୁ ଲିଜ ଦିଆଯାଇ ପାରିବ ନାହିଁ। ସମସ୍ତ ଲିଜ ପ୍ରକ୍ରିୟା ପ୍ରତିଯୋଗିତା ମୂଳକ ହେବା ଦରକାର।
ଦେବୋତ୍ତର ଚାଷ ଜମି ବାବଦରେ ଆନ୍ଧ୍ର ପ୍ରଦେଶ ଉଚ୍ଚତମ ନ୍ୟାୟାଳୟ ଜଷ୍ଟିସ ପି. ନବୀନ ରାଓଙ୍କ ଖଣ୍ଡପୀଠ, ଦେବୋତ୍ତର ଜମି ଜବର ଦଖଲକୁ ନେଇ ଗତ ୨୬/୦୬/୨୦୧୫ ରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଦେବୋତ୍ତର ଜମିକୁ ଦୀର୍ଘ ଦଶନ୍ଧି ଧରି ମାଡି ବସିଥିଲେ ମଧ୍ୟ, ତାହାର ମାଲିକାନା ପରିବର୍ତ୍ତନ ହୋଇ ପାରିବ ନାହିଁ। ସେହି ରାୟ ମୁତାବକ ଦେବୋତ୍ତର ବିଭାଗ ଜମିକୁ ବିନା ଲିଜରେ ଚାଷ କଲେ, ତାକୁ ଅପରାଧ ବୋଲି ଧରାଯିବ। ଦେବୋତ୍ତର ବିଭାଗ ସାଧାରଣ ପ୍ରଶାସନ ତତ୍ତ୍ବାବଧାନରେ, ସର୍ବସାଧାରଣ ପ୍ରତିଯୋଗିତା ମୂଳକ ମୂଲ୍ୟରେ ନେଉଥିବା ବ୍ୟକ୍ତିଙ୍କୁ ସେହି ଜମି ଲିଜ ଦିଆଯିବ। ଲିଜ ଅକ୍ସନ କେବଳ ତିନି ବର୍ଷ ପାଇଁ ହେବ। ଲିଜ ଉଭୟ ପକ୍ଷଙ୍କ ମଧ୍ୟରେ ନିବନ୍ଧକଙ୍କ କାର୍ଯ୍ୟାଳୟରେ,ଷ୍ଟାମ୍ପ ପେପରରେ ରେଜଷ୍ଟ୍ରି ହେବା ଦରକାର।ଆବଶ୍ୟକ ସ୍ଥଳେ, ଦେବୋତ୍ତର ନିୟମ ମୁତାବକ, ସେହି ଲିଜକୁ ଆୟୁକ୍ତ କେବଳ ୬ ବର୍ଷ ପାଇଁ ବଢ଼ାଇ ପାରିବେ।ସେକ୍ସନ ୮୩ ଆଇନ ଅନୁଯାୟୀ ଦେବୋତ୍ତର ଜମିରେ ଅବାଧ ଚାଷ କରୁଥିବା ବ୍ୟକ୍ତିଙ୍କୁ ଜବର ଦଖଲକାରୀ ବିବେଚିତ କରି ତୁରନ୍ତ ବିତାଡିତ କରାଯିବା ଦରକାର।
ଦେବୋତ୍ତର ଜମି ଉଦ୍ଧାର କରିବା ବିଷୟରେ ପଚରା ଯିବାରୁ ସ୍ଥାନୀୟ ତହସିଲଦାର କହିଲେ, ତାଙ୍କୁ ମନ୍ଦିର ଦାଇତ୍ତ୍ବ ମିଳିନାହିଁ। ଜିଲ୍ଲାପାଳ ମଧ୍ୟ ସେଥିରୁ ଦୁରେଇ, ତହସିଲଦାର ସେନେଇ କିଛି କରି ପାରିବେ ବୋଲି କଥାକୁ ଏଡାଇ ଦେଇଥିବା ନଜରକୁ ଆସିଛି। କାଳେ ଗୁମର ଖୋଲିଯିବ, ତେଣୁ ଜିଲ୍ଲାପାଳ ଜଗନ୍ନାଥ ମନ୍ଦିର ଜମିକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କିମ୍ବା କିଛି କହିବାକୁ ଉଚିତ ମନେ କରୁ ନାହାନ୍ତି କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ?
ଜବର ଦଖଲକାରୀ ଜଣେ ବଡ ମିଡ଼ିଆ ହାଉସର ସାମ୍ବାଦିକ ବୋଲି ପ୍ରଶାସନିକ ବଡ଼ପଣ୍ଡା ମାନେ ନିରବ ନାହାନ୍ତି ତ ? କାରଣ କଥାରେ ଅଛି- “ପଣ୍ଡିତ ପୁଅ ମାଙ୍କଡ ମାରି ଖାଇଲେ ଦୋଷ ନାହିଁ” ।
*ଜବରଦଖଲକାରୀଙ୍କୁ ମିଳୁଛି କୃତ୍ତିଚାଷୀ ସମ୍ମାନ
*ଅକ୍ସନ ନ ଡାକି ଜମି ଲିଜ଼ ଦେଲା କିଏ?
*କୃଷି ଉଦ୍ୟାନ ବିଭାଗର ସବସିଡ଼ି ମିଳିଲା କିପରି*ନାୟାଳୟ କହୁଛନ୍ତି ବିନା ଲିଜରେ ଦେବୋତ୍ତର ଜମିକୁ ଚାଷକଲେ, ସେ ଅପରାଧୀ।
ଭବାନୀ ପ୍ରସାଦ ପାଢୀଙ୍କ ରିପୋର୍ଟ