“ସବୁବର୍ଗ ଖବର” ସମ୍ବାଦପତ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଜୟପୁର ୨୯/୧୨ : ଜୟପୁର ସହରରୁ ପ୍ରକାଶିତ ସବୁବର୍ଗ ଖବର ସମ୍ୱାଦପତ୍ରର ଷଷ୍ଠ ବାର୍ଷିକୋତ୍ସବ ଜୟପୁର ପାରାବେଡା ଅରବିନ୍ଦ ନଗରସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଚନ୍ଦ୍ରକାନ୍ତ ସୁତାରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ପରେ ସ୍ମୃତିଚାରଣ କରାଯାଇଥିଲା । ଦେଶ ଜଣେ ଶାନ୍ତ ସ୍ୱଭାବ ଏବଂ ସରଳ ଓ ସୁଦକ୍ଷ ଜନନାୟକଙ୍କୁ ହରାଇଲା । ସ୍ୱର୍ଗତ ମନମୋହନ ସିଂ ୧୯୯୧ରୁ ଦେଶର ଅର୍ଥନୀତି ସଞ୍ଚାଳନ କରି ଆସିଥିଲେ ଏବଂ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦୁଇଥର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହି ଦେଶର ସେବା କରିଥିଲେ । ବାମପନ୍ଥୀ ସମର୍ଥନରେ ଗଠିତ ୟୁପିଏ ସରକାରରେ ଜଙ୍ଗଲ ଜମି ଅଧିକାର ଆଇନ, ନିଶ୍ଚିତ କର୍ମନିଯୁକ୍ତି ଆଇନ୍, ରାଇଟ୍ ଟୁ ଇନ୍ଫରମେସନ୍ ଆକ୍ଟ, ଖାଦ୍ୟ ସୁରକ୍ଷା ଆଇନ୍, ଶିକ୍ଷା ଆଇନ୍ ପ୍ରଣୟନ କରିଥିଲେ ବୋଲି ସମ୍ପାଦକ ଚନ୍ଦ୍ରକାନ୍ତ ସୁତାର ଆଲୋକପାତ କରିଥିଲେ । ସମ୍ୱାଦପତ୍ରର ସଂପାଦକ ଶ୍ରୀ ସୁତାର ସମ୍ବାଦପତ୍ର ଚଳାଇବା ସମୟର ଅନୁଭୂତି ଓ ବାର୍ଷିକ ବିବରଣୀ ପାଠ କରିଥିଲେ । କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ଗୁଡିକ ସାମାଜିକ ବିକାଶକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି । କୃଷି ଓ ବୈଷୟିକ ଜ୍ଞାନ, ଗବେଷଣା, ଗ୍ରାମାଞ୍ଚଳ ବିକାଶ ଇତ୍ୟାଦି ଖବର କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦ ପତ୍ରରେ ଅଧିକ ପ୍ରକାଶ ପାଇଥାଏ । ସାମାଜିକ ବିକାଶରେ ଏହି ପ୍ରକାର ସମ୍ୱାଦପତ୍ରର ବିଶେଷ ଭୂମିକା ରହିଛି । ଏହି ସମ୍ୱାଦପତ୍ରଗୁଡିକ ସବୁ ସମୟରେ ତୃଣମୂଳ ସ୍ତରରେ କିପରି ସରକାରଙ୍କ ଯୋଜନାଗୁଡିକ ପହଞ୍ଚି ପାରିବ ଓ ତୃଣମୂଳ ସ୍ତରର ସମସ୍ୟାଗୁଡିକ କେଉଁଭଳି ଭାବରେ ସରକାରଙ୍କ ନିକଟରେ ଅବଗତ କରାଯାଇପାରିବ ସେ ଦିଗରେ ସବୁ ସମୟରେ ଚେଷ୍ଟାଜାରି ରଖିଥାନ୍ତି । ସରକାର ଏହି କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ଗୁଡିକୁ ସାହାଯ୍ୟ ସହଯୋଗର ହାତ ବଢାଇଲେ ସମ୍ୱାଦପତ୍ର ଗୁଡିକ ଅଧିକଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିପାରିବ ବୋଲି ବକ୍ତବ୍ୟରେ ଶ୍ରୀ ସୁତାର କହିଥିଲେ । କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତଥିଲେ ।