ସଙ୍ଗୀତପ୍ରେମୀଙ୍କ ବଡ ଭାଇ ବିନୁ ସୁନା ଆଉ ନାହାଁନ୍ତି…
ନବରଙ୍ଗପୁର(ସଖପ୍ର): ଆଉ ଶୁଭିବନି ବିନୟ ଆନନ୍ଦ ସୁନାଙ୍କ ଉଚ୍ଚକୋଟୀର ସଙ୍ଗୀତ। ଦେଖିବାକୁ ମିଳିବ ନାହିଁ ତାଙ୍କର ନିଖୁଣ ସଙ୍ଗୀତର ନିର୍ଦ୍ଦେଶନା । କାରଣ ସବୁଦିନ ପାଇଁ ଛାଡ଼ି ଚାଲିଯାଇଛନ୍ତି ସଙ୍ଗୀତ ମଞ୍ଚକୁ । ରଚିତ ହୋଇପାରିନାହିଁ ସାତ ସୂରର ଅଭିନବ ସଙ୍ଗୀତ। ତାଙ୍କ ଅବର୍ତ୍ତମାନରେ ନିରବି ଯାଇଛି ସଙ୍ଗୀତ ମଞ୍ଚ । ସେଭଳି ଅପ୍ରତିଦ୍ବନ୍ଦୀ ଏକାଧିକ ପ୍ରତିଭାର ଅଧିକାରୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବିନୟ ଆନନ୍ଦ ସୁନା। ବିନୁ ନାମରେ ସୁପରିଚିତ ହୋଇଥିଲେ ବିନୟ ଆନନ୍ଦ ସୁନା। ସେ ଜଣେ ସମାଜ ସେବୀ,ଦୟାଳୁ , ବ୍ୟକ୍ତି ଥିଲେ।ସେ କିଛିଦିନ ଧରି ଅସୁସ୍ଥ ଥିଲେ।
ତାଙ୍କୁ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତି ୧୧ଟା ୪୫ମି ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଜଣେ ଏମିତି ସଙ୍ଗୀତ ସାଧକ , ଯାହାଙ୍କ ବିଚକ୍ଷଣ ପ୍ରତିଭା ଦୀର୍ଘ ଦୁଇ ଦଶନ୍ଧି ଧରି ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ସାରା ଓଡ଼ିଶାର ସଙ୍ଗୀତ ପ୍ରେମୀକୁ ବାନ୍ଧି ରଖିଥିଲା। ଏଭଳିକି ତାଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ବଲିଉଡ୍ର ପ୍ରସିଦ୍ଧ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍ ମଧ୍ୟ ଗୀତ ଗାଇବାକୁ ପଡ଼ିଥିଲା । ତାଙ୍କ ସାଥି ତଥା ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁରେଶ ମହାନ୍ତି ନିର୍ଦ୍ଦେଶିତ ଓଡ଼ିଆ ଟିଭି ସିରିଏଲର ଦେଖିଲା ଲୋକେ ଧାରାବାହିକର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିନୁ ସୁନା । ସେଭଳି ଓଡିଆ ଟିଭି ଧାରାବାହିକ ସକାଳର ଅପେକ୍ଷାରେ , ବୋହୁ , ଶ୍ରାବଣ ଓ ଟେଲିଫିଲ୍ମ ଶେଷ ଇଛା , ପାଣି ମାରିଗଲା ଝାଇଁ ଆଦି ଧାରାବାହିକରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସେ ଭଳି ଓଡ଼ିଆ ଫିଲ୍ମ “ଅଧିକାର” ରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଥଲେ ।
ଅନେକ ଓଡ଼ିଆ ଆଲବମ୍ ସଙ୍ଗୀତରେ ମଧ୍ୟ ରଚନା କରିଲେ । ଏକାଧିକ ପ୍ରତିଭାର ଅଧିକାରୀ ବିନୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନେକ କଳାକାରଙ୍କର ସୃଷ୍ଟି କର୍ତ୍ତା । କେବଳ ଅବିଭକ୍ତ କୋରାପୁଟ ଜିଲ୍ଲା ନୁହେଁ , ଓଡ଼ିଶାର ମହାନଗର ଭୁବନେଶ୍ବର ଠାରେ ମଧ୍ୟ ଅନେକ କଳାକାରମାନଙ୍କୁ ସୃଷ୍ଟି କରି ପାରି ଥିଲେ ସେ । ପିଲାବେଳରୁ ସଙ୍ଗୀତକୁ ନିଶା ଭାବେ ଗ୍ରହଣ କରି ନେଇଥିଲେ । ଏଭଳି ଜଣେ କଳାକାରଙ୍କୁ ହରାଇ ସଙ୍ଗୀତ ଜଗତରେ ହୋଇଯାଇଛି ସ୍ତବ୍ଧ । ତାଙ୍କ ବିୟୋଗରେ କେବଳ ନବରଙ୍ଗପୁର ଜିଲ୍ଲା ନୁହେଁ ସମସ୍ତ ଅବିଭକ୍ତ କୋରାପୁଟ ଜିଲ୍ଲାର ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।
ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ