ସଂସ୍କୃତ ପ୍ରେମରେ ଜରିନା ବେଗମ: ବେଦରେ ଏମଏ, ଗୀତାରେ ବିଏ

ବାଲେଶ୍ବର: ଆଜିର ଦୁନିଆରେ ତେଜି ଉଠୁଥିବା ବିଭିନ୍ନ ପ୍ରକାରର ଅପ୍ରୀତିକର ପରିବେଶ ମଧ୍ୟରେ ସର୍ଵଧର୍ମ ସମନ୍ବୟ ରକ୍ଷା କରି ଜଣେ ମୁସଲିମ ଶିକ୍ଷୟିତ୍ରୀ ସମାଜକୁ ଦେଉଛନ୍ତି ପ୍ରେରଣା। ମାନବ ଜାତି ଠାରୁ ଆଉ କିଛି ବଡ଼ ନାହିଁ, ମଣିଷ ଓ ପ୍ରକୃତିକୁ ଭଲ ପାଇବା ପାଇଁ ସେ ଦେଉଛନ୍ତି ଆହ୍ବାନ। ସେ ଗୀତା, ଭାଗବତ ହେଉ କି କୋରାନ ସବୁ କିଛି ତାଙ୍କର ମୁଖସ୍ଥ । ଦିନେ ଶାସ୍ତ୍ର ଅଧ୍ୟୟନ ନକଲେ ତାଙ୍କ ଆଖିକୁ ନିଦ ଆସେନି । ସେ ଅନନ୍ୟା ପ୍ରତିଭାଧାରୀ ହେଉଛନ୍ତି ବାଲେଶ୍ଵର ସହରର ବାରବାଟି ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜରିନା ବେଗମ।
ଜରିନା ଶିକ୍ଷାକୁ ପେଶା କରିଛନ୍ତି ସତ ହେଲେ ଧର୍ମଶାସ୍ତ୍ର ଅଧ୍ୟୟନ କରିବା ତାଙ୍କର ନିଶା। ଏକ ସଂଖ୍ୟାଲଘୁ ପରିବାରରେ ଜନ୍ମ ହୋଇଥିବା ଜରିନା ସଂସ୍କୃତ ଶାସ୍ତ୍ରରେ ପାଣ୍ଡିତ୍ୟଲାଭ କରି ବେଶ ଚର୍ଚ୍ଚିତ। ଜରିନା ନିର୍ଭୁଲ ଭାବେ ଶ୍ରୀମଦ ଭଗବତ ଗୀତା ଠାରୁ ଆରମ୍ଭ କରି ଶିବମନ୍ତ୍ର, ଗାୟତ୍ରୀ ମନ୍ତ୍ର, ହନୁମାନ ଚାଳିସା, ବିଷ୍ଣୁ ସହସ୍ର ନାମ ଆଦି ପଢି ପାରୁଛନ୍ତି ଓ ମୁଖସ୍ଥ ମଧ୍ୟ କରିଛନ୍ତି। ସ୍କୁଲ ସମୟରୁ ଜରିନା ସଂସ୍କୃତ ଭାଷା ପ୍ରତି ରୁଚି ରଖି ଗ୍ରାଜୁଏସନ ବେଳେ ସଂସ୍କୃତ ଅନର୍ସ ରଖି ପଢିଥିଲେ। ସେହି ସମୟରେ ମୁସଲମାନ ପରିବାରର ଝିଅ ଜରିନା ସଂସ୍କୃତରେ ଟପ ଟେନରେ ସ୍ଥାନ ପାଇ ରାଜ୍ୟରେ ଏକ ବିରଳ ରେକର୍ଡ ସୃଷ୍ଟି କରିଥିଲେ।
ବେଦରେ ଏମଏ ଓ ଗୀତାରେ ବିଏ କରିଛନ୍ତି ଜରିନା । 1985 ମସିହାରେ ଜରିନା କୋରାନ ଅଧ୍ୟୟନ କରିବା ଆରମ୍ଭ କରିଥିଲେ। ଏହାପରେ ସେ ବିଭିନ୍ନ ଧର୍ମଶାସ୍ତ୍ର ଉପରେ ଜ୍ଞାନ ଆହରଣ କରିବା ପାଇଁ ଅଧ୍ୟୟନ ଆଜି ଯାଏଁ ଜାରି ରଖିଛନ୍ତି । ସଂସ୍କୃତରେ ପାଣ୍ଡିତ୍ୟ ପାଇଁ ଜରିନାଙ୍କୁ ଅନେକ ସ୍ଥାନରୁ ସମ୍ମାନିତ କରାଯାଇଛି । ଏମିତି କି ଅନେକ ସ୍ଥାନରେ ପ୍ରବଚନ ଦେବା ପାଇଁ ମଧ୍ୟ ଜରିନାଙ୍କୁ ନିମନ୍ତ୍ରଣ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ରାଜ୍ୟ ବାହାରର ବିଭିନ୍ନ ସଂସ୍କୃତ ଆଲୋଚନାରେ ଜରିନା ଭାଗ ନେଇଛନ୍ତି।
ଜରିନାଙ୍କ ମତରେ ସବୁ ଧର୍ମକୁ ସମ୍ମାନ ଦେବା ସହ ଭଲ ପାଇବା ଆବଶ୍ୟକ। ଧର୍ମ ଶାସ୍ତ୍ର ଅଧ୍ୟୟନ ଓ ଜରିନାଙ୍କ ସର୍ଵଧର୍ମ ପ୍ରୀତିକୁ ନେଇ କିଛି ଅସହିଷ୍ଣୁଙ୍କ କ୍ଷେତ୍ରରେ ସମାଲୋଚିତ ହୋଇଥିଲେ ମଧ୍ୟ ସେ ପଛକୁ ଫେରି ନାହାଁନ୍ତି । ନିଜର ଅଧ୍ୟୟନ ଓ ସର୍ଵଧର୍ମ ପ୍ରଚାରରେ ଜରିନା କେବେ କୁଣ୍ଠାବୋଧ ପ୍ରକାଶ କରିନାହାଁନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ଜରିନା ଯୋଗ ଦେଇ ଧର୍ମଶାସ୍ତ୍ର ଆଲୋଚନା କରି ସାଉଁଟିଛନ୍ତି ଅନେକ ପ୍ରତିଭା। ବହୁ ପ୍ରତିକୂଳ ପରିବେଶ ଦେଇ ଗତି କରୁଥିବା ଜରିନାଙ୍କୁ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ପକ୍ଷରୁ ମାନପତ୍ର ସହ ପୁରସ୍କୃତ କରାଯାଇଛି । ଆଗକୁ ଏମିତି ବିଭିନ୍ନ ଧର୍ମଶାସ୍ତ୍ରରେ ଅଧ୍ୟୟନ କରି ସେ ଲୋକଙ୍କୁ ଜ୍ଞାନ ବାଣ୍ଟି ଚାଲିବେ ବୋଲି କହିଛନ୍ତି ।