ସଂଯୋଗୀ ସାହିତ୍ୟ ସଂସଦ ତରଫରୁ ମେଧାଅନ୍ବେଷଣ ପ୍ରତିଭା ଚୟନ ଅନୁଷ୍ଠିତ ।
ବାଲେଶ୍ବର,୧୬/୨– ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ଶିକ୍ଷକ ଭବନ ସଭାଗୃହରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ କୁଣ୍ଡାପିଠା ଠାରେ ୧୯୮୭ ମସିହାରେ ବାବୁଲାଲ ପଲେଙ୍କ ସମ୍ପାଦନାରେ ଗଢି ଉଠିଥିବା ସଂଯୋଗୀ ସାହିତ୍ୟ ସଂସଦର ତ୍ରୈମାସିକ ପତ୍ରିକା/ ମୁଖପତ୍ର ସଂଯୋଗୀ ସଜଫୁଲ ତରଫରୁ ବ୍ଲକ ସ୍ତରୀୟ ମେଧାଅନ୍ବେଷଣ ପ୍ରତିଭା ଚୟନ ଗତକାଲି ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ତଥା ସଂଯୋଗୀ ସଜଫୁଲ ତ୍ରୈମାସିକ ପତ୍ରିକା/ ମୁଖପତ୍ରର ବାଲେଶ୍ଵର ଜିଲ୍ଲା ପ୍ରିନିଧିନି ନରେନ୍ଦ୍ର ପ୍ରସାଦ ବେହେରାଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।
ଏଥିରେ ଖଇରା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବହୁ ଛାତ୍ରଛାତ୍ରୀମାନେ ଆସି ଏହି ମେଧାଅନ୍ବେଷଣ ପ୍ରତିଭା ଚୟନରେ ଭାଗନେଇ ଥିଲେ । ସକାଳ ଘ୯.୩୦ମି.ରୁ ଆରମ୍ଭ ହୋଇ ଘ୧୦.୩୦ମି. ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା । ଶିକ୍ଷକ ଭରତ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ବେହେରା, ବସନ୍ତ କୁମାର ଦାସ ଓ ଶିକ୍ଷୟିତ୍ରୀ ଇତିସ୍ମିତା ସେଠୀ ପ୍ରମୁଖ ପରୀକ୍ଷା ପରିଚାଳନା ସହିତ ପିଲାମାନଙ୍କ ପରୀକ୍ଷା ଖାତାଗୁଡିକୁ ମୂଲ୍ୟାୟନ କରିଥିଲେ । ସବ-ଜୁନିୟର ବିଭାଗରେ ଏ.ଭି.ଏମ. ସ୍କୁଲ ଛାତ୍ର ଆର୍ଯ୍ୟ ଦେବଦତ୍ତ ବରାଳ ପ୍ରଥମ, ଆଦର୍ଶ ଶିକ୍ଷା ମନ୍ଦିରର ଛାତ୍ର ଶୁଭଙ୍କର ସେଠୀ ଦ୍ବିତୀୟ ଓ ଛାତ୍ରୀ ହିମାନୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜୁନିୟର ବିଭାଗରେ ସେହି ଆଦର୍ଶ ଶିକ୍ଷା ମନ୍ଦିରର ଛାତ୍ରୀ ଅର୍ଚ୍ଚିତା ପଣ୍ଡା ପ୍ରଥମ,ନମିତା ନାୟକ ଦ୍ବିତୀୟ ଓ ସାଇଲକ୍ଷ୍ମୀ ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସିନିୟର ବିଭାଗରେ ପଞ୍ଚାୟତ ସମିତି (ଜୁନିୟର) ମହିଳା ମହାବିଦ୍ୟାଳୟର ଛାତ୍ରୀ ତିଳୋତ୍ତମା ଲେଙ୍କା ପ୍ରଥମ, ବିଷ୍ଣୁ ପ୍ରିୟା ଲେଙ୍କା ଦ୍ବିତୀୟ ଓ କରିସ୍ମା ଲେଙ୍କା ତୃତୀୟ ସ୍ଥାନ ଅଧିକାର କରି ଖଇରା ବ୍ଲକରେ ପ୍ରଶଂସିତ ହୋଇଛନ୍ତି । ପରେ ପରେ ଶିକ୍ଷକ ଭରତ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅତିଥିମାନଙ୍କୁ ନେଇ ଏକ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ବ୍ଲକ ଉପାଧ୍ଯକ୍ଷ ଜୟନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ସଂଘର ସଭାପତି କୈଳାସ ଚନ୍ଦ୍ର ବେହେରା, ସାରକୋଣା ନୋଡାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସ ଓ ସାରକୋଣା ପଞ୍ଚାୟତ ଝିଙ୍କିରିଆ ପ୍ରାଇମେରୀ ସ୍କୁଲର ଶିକ୍ଷୟିତ୍ରୀ ଇତିସ୍ମିତା ସେଠୀ ପ୍ରମୁଖ ମଞ୍ଚାସୀନ ହୋଇ ମୁଖପତ୍ର ସଂଯୋଗୀ ସଜଫୁଲର ଲକ୍ଷ୍ୟ ଓ ଆଭିମୁଖ୍ୟ ବିଷୟରେ ବକ୍ତବ୍ଯ ଦେବା ସଙ୍ଗେ ସଙ୍ଗେ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ଏଭଳି ନିସ୍ବାର୍ଥପର ପ୍ରୟାସକୁ ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି ଭାବେ ରମଣି ରଞ୍ଜନ ନାୟକ ଓ ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ଦାସ ମଞ୍ଚାସୀନ ଥିଲେ । ଶେଷରେ ମଞ୍ଚାସୀନ ଅତିଥିମାନେ କୃତିପ୍ରତିଯୋଗୀ ମାନଙ୍କୁ ଜିଲ୍ଲା ପ୍ରତିନିଧିଙ୍କ ତରଫରୁ ଟ୍ରଫି, ଅନୁଷ୍ଠାନ ତରଫରୁ ଆସିଥିବା ପତ୍ରିକା ଓ ପ୍ରତିଭା ଚୟନ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ମଞ୍ଚାସୀନ ଅତିଥି ଏବଂ ସଭାପତିଙ୍କ ବକ୍ତବ୍ଯ ଖୁବ୍ ସୁନ୍ଦର ହୋଇଥିବାରୁ ପିଲା ଓ ସେମାନଙ୍କ ଅଭିଭମାନେ ତାଳିମାରି ଏଭଳି କାର୍ଯ୍ୟକ୍ରମର ଆୟୋଜକଙ୍କୁ ଧନ୍ୟବାଦ ଦେଇଥିଲେ । ଏଭଳି କାର୍ଯ୍ୟକ୍ରମ ପ୍ରତିମାସ ଚାଲୁ ରହିବ ବୋଲି ଆୟୋଜକ ପ୍ରକାଶ କରିଥିଲେ । ଏହି ଚୟନ କାର୍ଯ୍ୟକ୍ରମରେ ଯେଉଁମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନଙ୍କୁ ଚଳିତ ବର୍ଷ ଏପ୍ରିଲ ମାସ ୧୨ ତାରିଖରେ ଘଟଗାଁ ଠାରେ ହେବାକୁ ଥିବା ସଂସଦର ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ ଵୋଲି ଆୟୋଜକ ଶ୍ରୀ ବେହେରା ଘୋଷଣା କରିଛନ୍ତି ।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।