ଶ୍ରମିକ ଆଶ୍ରୟସ୍ଥଳର ୧୧୯ ଜଣଙ୍କୁ ପୋଷାକ ଓ ଦୈନନ୍ଦିନ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ

ରାୟଗଡାଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଲକଡାଉନ ଯୋଗୁଁ ରାୟଗଡାଜିଲ୍ଲା ସଦର ବ୍ଳକର ଓଡିଶା-ଆନ୍ଧ୍ର ସୀମାନ୍ତ କେରଡା’ରେ ୧୦୦ଜଣ ଓ ଜେମାଦେଈପେଣ୍ଠ ଠାରେ ଥିବା ଶ୍ରମିକ ଆଶ୍ରୟସ୍ଥଳର ୧୯ଜଣ, ସମୁଦାୟ ୧୧୯ଜଣ ଶ୍ରମିକଙ୍କୁ ବ୍ଳକ ପ୍ରଶାସନ ତରଫରୁ ପୋଷାକ ବଂଟନ କରାଯାଇଛି । ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଉକ୍ତ ଆଶ୍ରୟସ୍ଥଳକୁ ଯାଇ କେରଡା ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଶ୍ରମିକ ଆଶ୍ରୟସ୍ଥଳରେ ଲକଡାଉନ ଯୋଗୁଁ ପ୍ରଶାସନ ତରଫରୁ ଆଶ୍ରୟ ଦିଆଯାଇଥିବା ୧୦୦ଜଣ ଶ୍ରମିକଙ୍କୁ ପୋଷାକ ବଂଟନ କରିଛନ୍ତି । ଏହି ଆଶ୍ରୟ ସ୍ଥଳରେ ପଡୋଶୀ କଳାହାଣ୍ଡି ଜିଲ୍ଳା ଭବାନୀପାଟଣାର ୨୪ଜଣ ଶ୍ରମିକ ଆଶ୍ରୟ ନେଉଥିିବା ବେଳେ ପଂଜାବର ୧୭, ରାଜସ୍ଥାନର ୧୬, ତାମିଲନାଡୁର ୧୦ଜଣଙ୍କ ସମେତ ଅନ୍ୟ ରାଜ୍ୟର ଡ୍ରାଇଭର, ଶ୍ରମିକମାନେ ରହିଛନ୍ତି । ସମସ୍ତଙ୍କୁ ଦୈନନ୍ଦିନ ଆବଶ୍ୟକୀୟ ସାମଗ୍ରୀ ଯଥା- ଟୁଥପେଷ୍ଟ, ଲୁଗାସଫା ସାବୁନ, ତେଲ, ସାମ୍ପୁ ଓ ଦେହରେ ଲଗାଇବା ସାବୁନ ସହ ଅନ୍ୟାନ୍ୟ ସାମଗ୍ରୀ ବଂଟନ କରାଯାଇଥିବା ବେଳେ ପ୍ରତିଦିନ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।
ସେହିପରି ଜେମାଦେଈପେଣ୍ଠ ଆଶ୍ରୟସ୍ଥଳରେ ଝାରଖଣ୍ଡ ରାଜ୍ୟର ୧୯ଜଣ ଶ୍ରମିକଙ୍କୁ ମଧ୍ୟ ଉପରୋକ୍ତ ସାମଗ୍ରୀ ବଂଟନ କରାଯାଇଥିବା ବେଳେ ଏଠାରେ ଥିବା ୨ଜଣ ମହିଳାଙ୍କୁ ଶାଢୀ ଓ ନାଇଟି ସହ ୨ଜଣ ଶିଶୁଙ୍କୁ ଡ୍ରେସ ହଳ ବଂଟନ କରାଯାଇଛି । ପୂର୍ବରୁ ଉକ୍ତ ଦୁଇ କେନ୍ଦ୍ରରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ଓ ବ୍ଳକ ଅଧ୍ୟକ୍ଷ ପେଦେଂଟି ରାମୁଲୁ ଯୋଗ ଦେଇ ଦୈନନ୍ଦିନ ସାମଗ୍ରୀ ସହ ଡ୍ରେସ ପ୍ରଦାନ କରିଥିଲେ । ତେବେ ବୁଧବାର ଦିନ ଦ୍ୱିତୀୟ ଥର ଉପଜିଲ୍ଳାପାଳଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିବା ନେଇ ଏବିଡିଓ ନୃସିଂହଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହି ବଂଟନ କାର୍ଯ୍ୟକ୍ରମରେ ବିଡିଓ ରାଜେନ୍ଦ୍ର ମାଝି, ଏବିଡିଓ ଶ୍ରୀ ପଟ୍ଟନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦୈତାରୀ ଟୁଡୁ, ଶେଷଖାଲ ଆଇଆଇସି ଶ୍ରୀମତି ବିଜୟଲକ୍ଷ୍ମୀ ହିକକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ
