ଶ୍ରମିକଙ୍କ ଶ୍ରମ ଛଡେଇ ନେଇଛି ମେସିନ ରୂପୀ ଦାନବ
ନବରଙ୍ଗପୁରଜିଲ୍ଲା/ କୋଷାଗୁମୁଡ଼ା(ସଖପ୍ର): କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକ ଏବଂ ଦିନ ମଜୁରିଆ ମାନଙ୍କ କଷ୍ଟକୁ ନଜରରେ ରଖି ମନରେଗା ଅଧୀନରେ, ଜାତୀୟ ସ୍ତରରେ ଦୈନିକ ମଜୁରୀ ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି କରିଛନ୍ତି। ଜଣେ ଆବେଦନକାରୀ ନିଜକୁ ପଞ୍ଜିକୃତ କରାଇବା ପାଇଁ ଅନଲାଇନ କିମ୍ବା ସ୍ଥାନୀୟ ଗ୍ରାମ ପଞ୍ଚାୟତରେ ଯୋଗାଯୋଗ କରିପାରିବେ। ହେଲେ ଏହି ଜନକଲ୍ୟାଣ କାର୍ଯ୍ୟକୁ ଧୂଳିସାତ କରି ଚାଲିଛନ୍ତି ତଳୁଆ କର୍ମଚାରୀ।
ବ୍ଲକରେ ଶ୍ରମିକଙ୍କ ଅଭାବ ନାହିଁ। ହେଲେ କାମ ନପାଇ ସେମାନେ ବାହାର ରାଜ୍ୟକୁ ଶ୍ରମ ସନ୍ଧାନରେ ଯାଉଛନ୍ତି। ଆଉ ଅନେକ ସମୟରେ ନିର୍ଯ୍ୟାତନାର ଶିକାର ମଧ୍ୟ ହେଉଛନ୍ତି। ଗୋଟିଏ ପଟେ ପ୍ରଶାସନ ଲକ୍ଷ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିପାରୁଥିବା ପାଇଁ ରାଜ୍ୟ ଏବଂ ଜାତୀୟ ସ୍ତରରେ ସମ୍ମାନିତ ହେଉଛନ୍ତି କିନ୍ତୁ ଅନ୍ୟ ପଟେ ଶ୍ରମିକ ଶ୍ରମ ସନ୍ଧାନରେ ଅନ୍ୟ ରାଜ୍ୟଆଡକୁ ମୁହଁ ବୁଲାଉଛନ୍ତି। ଯଦି ପ୍ରଶାସନ ମନରେଗା ଯୋଜନାରେ ଏତେ କାର୍ଯ୍ୟଦିବସ ସୃଷ୍ଟି କରିପାରୁଛନ୍ତି, ତାହାହେଲେ ଶ୍ରମିକ ମାନେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି କାହିଁକି ?
ଏଥିରୁ ହାତୀର ଖାଇବା ଏବଂ ଦେଖାଇବା ଦାନ୍ତ କଥାଟି ପ୍ରଶାସନ ଉପରେ ଠିକ ପ୍ରମାଣିତ ହୋଇଛି। ଯଦି ବର୍ତ୍ତମାନ ସମୟରେ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକ ଏବଂ ପଞ୍ଚାୟତ ସ୍ତରରେ ମନରେଗା ଯୋଜନାରେ କାର୍ଯ୍ୟ କରିଥିବା ଶ୍ରମିକ ମାନଙ୍କ ଆଧାର ସଂଖ୍ୟାର ଯାଞ୍ଚ କରାଯାଏ, ଏହି ଦୁର୍ନୀତି ଉପରରୁ ପର୍ଦା ଉଠିଯିବ ବୋଲି ମତ ପ୍ରକାଶ ପାଇଛି।
ସୂଚନା ଥାଉକି ଅଞ୍ଚଳରେ ଅଧିକାଂଶ ମନରେଗା କାର୍ଯ୍ୟରେ ମେସିନ ଲଗାଇ କାର୍ଯ୍ୟ ସମ୍ପାଦନ କରାଯାଉଛି। ଏକ ଧାଡିରେ କହିବାକୁ ଗଲେ, ଶ୍ରମିକଙ୍କ ଶ୍ରମ ଲୁଣ୍ଠନ କରୁଛି ଯନ୍ତ୍ର ରୂପୀ ଦାନବ। ଯାହାଦ୍ୱାରା ମୂଲ୍ୟହୀନ ହୋଇପଡିଛି ମନରେଗା ଯୋଜନା। ପାରିଶ୍ରମିକ ଟଙ୍କା ତ ଶ୍ରମିକଙ୍କ ଜମା ଖାତା ରେ ଜମା ହେଉଛି, ହେଲେ ଯାଉଛି କୁଆଡେ? ଯେଉଁ ଶ୍ରମିକ ମାନଙ୍କ ନାମ ଏହି ମିଥ୍ୟା ଲିଷ୍ଟରେ ଥାଏ, ସେମାନଙ୍କ ଜମା ଖାତାରେ ଟଙ୍କା ଜମା ହେଲା ପରେ, ତାଙ୍କୁ ଟଙ୍କା ପଚାଶ ଶହେ ଦେଇ ସମସ୍ତ ଟଙ୍କା ଉଠାଇ ନିଅନ୍ତି ଠିକାଦାର। ଏହି ଜାଲିଆତିରେ ଖାଲି ଠିକାଦାର ମାନଙ୍କ ହାତ ନଥାଏ। ଏହି ଦୁର୍ନୀତି ପଛରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ, ଯନ୍ତ୍ରୀ ଠାରୁ ଆରମ୍ଭ କରି ବ୍ଲକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ଭାଗ ଥାଏ ବୋଲି କିଛି ଠିକାଦାର ପ୍ରକାଶ କରିଛନ୍ତି। ଅନ୍ୟ ଭାଷାରେ କହିବାକୁ ଗଲେ ମନରେଗା ଯୋଜନାଟି ଠିକ୍ ଖଜୁରୀ ଗଛ ଭଳି, ମୂଳରୁ ଚୁଳ ଯାଏ ପାହାଚ ପାହାଚ।
ବର୍ତ୍ତମାନ ସମୟରେ ଜଳ ବିଭାଜିକା, ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଫାର୍ମ ପୋଣ୍ଡ ଖୋଲିବା ପ୍ରକଳ୍ପ ହାତକୁ ନିଆଯାଇଛି। ହେଲେ ସମସ୍ତ ପଞ୍ଚାୟତରେ ମେସିନ ଲଗାଇ ରାତାରାତି ଖନନ କରାଯାଏ। ଆଉ ଦିନ ଆଲୋକରେ ଲୋକ ଦେଖାଣିଆ ଏବଂ ଫୋଟୋ କାଢିବା ବାହାନାରେ କିଛି ଶ୍ରମିକଙ୍କୁ ନିୟୋଜିତ କରି ମେସିନ ଚିହ୍ନ ହଟାଇ ଦିଆଯାଏ। କାର୍ଯ୍ୟଟି ନସରିବା ଯାଏ କୌଣସି ସୂଚନା ଫଳକ ଲଗା ଯାଏ ନାହିଁ। ଯାହାଦ୍ୱାରା କାର୍ଯ୍ୟଟି କେଉଁ ଯୋଜନାରେ ହୋଇଛି ତାହା ଜନସାଧାରଣ ଜାଣି ପାରନ୍ ନାହିଁ । କାର୍ଯ୍ୟଟି ମନରେଗା ନା ଅନ୍ୟ କୌଣସି ଯୋଜନାରେ ହୋଇଛି ତାହା ସ୍ପଷ୍ଟ ହୋଇପାରୁ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଖାସ ଏଇଥି ପାଇଁ ଶ୍ରମ ସନ୍ଧାନରେ ସ୍ଥାନୀୟ ଶ୍ରମିକ ଅନ୍ୟ ରାଜ୍ୟକୁ ଯାଆନ୍ତି, ଆଉ ଫେରିବା ସମୟରେ ପ୍ରବାସୀ ନାମରେ ନାମିତ ହୋଇ କଷ୍ଟ ଭୋଗୁଥିବା ଦେଖିବାକୁ ମିଳିଛି।
ନବରଙ୍ଗପୁର ପ୍ରତିନିଧି ଭବାନୀ ପାଢୀ