ଶିକ୍ଷା ବିଭାଗର ମଧୁଚନ୍ଦ୍ରିକା,୧୦ ବର୍ଷ ହେବ ସରୁନି ବିଦ୍ୟାଳୟ ଗୃହ ନିର୍ମାଣ

କୋରାପୁଟଜିଲ୍ଲା(ସଖପ୍ର): ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଦେବା ପାଇଁ ସରକାର କରୁଛନ୍ତି ଅନେକ ଯୋଜନା । ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ କଣ ସରକାରଙ୍କ ଖର୍ଚ୍ଚ ହେଉଥିବା ଏହି ଅର୍ଥ ଠିକ ଭାବରେ ବିନିଯୋଗ ହେଉଛି। ଏହାର ଉତ୍ତର ହେଉଛି ନା। ଏକ ଉଦାହରଣ ମାଧ୍ୟମରେ ଏହା ପ୍ରମାଣିତ କରିବା।
କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଠକଗୁଡା ପ୍ରାଥମିକ ବିଦ୍ୟାଳୟର ଉଦାହରଣ ନେବା। ଏହି ବିଦ୍ୟାଳୟ ନିର୍ମାଣ ପାଇଁ ୨୦୧୦ ମସିହାରେ କୁଆଡେ ସରକାର ଅର୍ଥ ଯୋଗାଇ ଦେଇଛନ୍ତି। ହେଲେ ଯେଉଁ ଅର୍ଥ ଆସିଥିଲା, ସେଥିରେ ମାତ୍ର ଗୋଟିଏ ଶ୍ରେଣୀ ଗୃହ, ଅଫିସ ଗୃହ, ରୋଷେଇ ଗୃହ ଏବଂ ଶୌଚାଳୟ ନିର୍ମାଣ ହେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାକି ଥିବା ଆଉ ଗୋଟିଏ ଶ୍ରେଣୀ ଗୃହ ୧୦ ବର୍ଷ ହେବ ସରିବାର ନାଁ ଧରୁନି। ଏହାର ସତ୍ୟତା ଜାଣିବା ପାଇଁ ଆମ ଜିଲ୍ଲା ପ୍ରତିନିଧି ବିଦ୍ୟାଳୟ ମାନଙ୍କ ନିର୍ମାଣ ଦାୟିତ୍ୱରେ ଥିବା ଟିସି ଶ୍ରୀ ଆଦିତ୍ୟ ଲେଙ୍କାଙ୍କୁ ଯୋଗାଯୋଗ କରିଥିଲେ। ଶ୍ରୀ ଲେଙ୍କା ଏହି ଘଟଣା ସତରେ ହୋଇଥିବା ସ୍ୱୀକାର କରିଛନ୍ତି। ବାକି ଥିବା ଅର୍ଥକୁ ଦୁରୂପଯୋଗ କରା ଯାଇଥିବା କିଛି ଗ୍ରାମବାସୀ କ୍ଷୋଭରସହ ପ୍ରକାଶ କରିଛନ୍ତି। ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ, ତାହାର କିଭଳି ଭାବେ ବାଟମାରଣା କରାଯାଉଅଛି, ତାହାର ଏକ ନଗ୍ନ ନମୁନା ହେଉଛି ଠକଗୁଡା ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟରତ ଥିବା ବେଳେ ଗୋଟିଏ ଶ୍ରେଣୀଗୃହରେ କିଭଳି ଭାବେ ଶିକ୍ଷାଦାନ କରୁଥିବେ ତାହା ନିଶ୍ଚିତ ଭାବରେ ଭାବିବାର ବିଷୟ। ଏଠି ପୁଣି ପ୍ରଶ୍ନ ଉଠୁଛି ଦୀର୍ଘ ୧୦ ବର୍ଷ ଧରି ବିଦ୍ୟାଳୟକୁ ମନିଟରିଙ୍ଗ କରିବାକୁ ଆସୁଥିବା ସିଆରସିସି, ଏବିଇଓ, ବିଇଓ ଆଦି ଅନେକ ଉଚ୍ଚପଦସ୍ତ ଅଧିକାରୀ ଏ ସମ୍ପର୍କରେ ଅବଗତ ଥିଲେ ମଧ୍ୟ କେମିତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ତାହା ଆଇନକୁ ଆଖିଠାର ମନେ ହେଉଛି।
ତେବେ ଘଟଣାର ବିଧିବଦ୍ଧ ତଦନ୍ତ କରାଗଲେ, ପ୍ରକୃତରେ କଣ ପାଇଁ ଅନ୍ୟ ଏକ ଶ୍ରେଣୀଗୃହ ନିର୍ମାଣ ହୋଇପାରି ନାହିଁ ତାହାର ସତ୍ୟାସତ୍ୟଟି ଲୋକଲୋଚନକୁ ଆସିପାରନ୍ତା। ଏଥି ପାଇଁ ଯିଏ ଦାୟୀ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ମଧ୍ୟ ଆବଶ୍ୟକତା ରହିଛି। ଯଦି ଏଭଳି ନ ହୁଏ ତେବେ ସରକାରଙ୍କ ଗୁଣାତ୍ମକ ଶିକ୍ଷା ତଥା ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ନାରା କେବଳ ନାରାରେ ସୀମିତ ହୋଇ ରହିଯିବ, ଏଥିରେ ସନ୍ଧେହ ନାହିଁ। କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତକୁ ଦୃଷ୍ଟି ରେ ରଖି କୋରାପୁଟ ଜିଲ୍ଲାପାଳ ଏହି ଘଟଣାରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।
ରିପୋର୍ଟ-ଭବାନୀ ପାଢ଼ୀ,କୋରାପୁଟ