ଶିକ୍ଷକଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାର ଠାରେ ଶୋକ ସଭା..

କୋରାପୁଟଜିଲ୍ଲା/କୋଟପାଡ(ସଖପ୍ର) : ସ୍ଥାନୀୟ କୋଟପାଡ଼ ସ୍ଥିତ ଗୋପନନ୍ଧୁ ପାଠାଗାର ଠାରେ ଅତ୍ୟନ୍ତ ଦୁଃଖମୟ ପରିବେଶରେ ଆଜି ଏନପିଏସ ଶିକ୍ଷକ ସଂଘର ଜିଲ୍ଲା ସଭାପତି ପ୍ରଦୀପ ଜାଲଙ୍କ ଆକସ୍ମିକ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବାରୁ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।ଏହି ଶୋକ ସଭାରେ କୋଟପାଡ଼ NPS ସଂଘର ଉପଦେଷ୍ଟା ଶ୍ରୀ ପ୍ରଦୀପ ପ୍ରଧାନ, ପ୍ରଦୀପ ପ୍ରଜ୍ୱଳନ କରିଥିବାବେଳେ ସଭାପତି ଶ୍ରୀ ସନ୍ତୋଷ କୁମାର ଦୁର୍ବେ, ସଭାପତିତ୍ବ କରିଥିଲେ।ସ୍ୱର୍ଗୀୟ ଶ୍ରୀ ପ୍ରଦୀପ ଜାଲ ଜଣେ ଶିକ୍ଷା ସହାୟକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ ।ଏହା ସହ ସେ ଜିଲ୍ଲା ସ୍ତରରେ ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କ ହକ ପାଇଁ ଲଢେଇ କରିଆସୁଥିଲେ।ପୂର୍ବରୁ ସେ ଶିକ୍ଷାସହାୟକ ସଂଘର ସମ୍ପାଦକ ଭାବେ ନିଜ ଦାୟିତ୍ୱ ସୁଚାରୁଭାବେ ସମ୍ପାଦନ କରି ଅନେକ ଶିକ୍ଷକଙ୍କ କାର୍ଯ୍ୟ ଜିଲ୍ଲା ଓ ରାଜ୍ୟସ୍ତରରେ କରିଆସୁଥିଲେ। ୨୦୧୪ ମସିହା ଠାରୁ ସେ ଜିଲ୍ଲା ସଭାପତି ଦାୟିତ୍ୱ ନେଇ ଶେଷନିଶ୍ୱାସ ତ୍ୟାଗ କରିବା ଯାଏଁ କାର୍ଯ୍ୟ ରତ ଶିକ୍ଷକଙ୍କ ସାମୁହିକ ସ୍ୱାର୍ଥରକ୍ଷା ସକାଶେ କାର୍ଯ୍ୟ ଅନବରତ କରି ଆସୁଥିଲେ।ଏଥିରେ କୋଟପାଡ ବ୍ଲକ ଏନପିଏସ ସଂଘ ସଭାପତି ଶ୍ରୀ ସନ୍ତୋଷ କୁମାର ଦୁର୍ବେ, ସମ୍ପାଦକ ଶ୍ରୀ ସାଗର ଭଟ, ଉପଦେଷ୍ଟା ପ୍ରଦୀପ ପ୍ରଧାନ ପ୍ରମୁଖ ଯୋଗଦାନ କରି ସ୍ବର୍ଗତ ପ୍ରଦୀପ ଜାଲଙ୍କୁ ସ୍ମୁତିଚାରଣପୂର୍ବକ ତାଙ୍କ ଦ୍ୱାରା ଶିକ୍ଷକଭାଇ ଓ ଭଉଣୀମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ ହିତକର କାର୍ଯ୍ୟକୁ ମନେପକାଇ ତାଙ୍କ ଉଦାର ହୃଦୟ ଓ କାର୍ଯ୍ୟକାରିଣୀ ଶୈଳୀକୁ ମନେ ପକାଇ ଥିଲେ।ସ୍ବର୍ଗତ ପ୍ରଦୀପ ଜାଲ ଜଣେ ଦକ୍ଷ ସଂଗଠକ ଥିଲେ ଓ ଅଳ୍ପ ବୟସରେ ତାଙ୍କ ମୃତ୍ୟୁ ହେବା ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଗଭୀର ଶୋକର ଲହରୀ ଖେଳି ଯାଇଛି । ଏହି ଶୋକସଭାରେ ଧନଞ୍ଜୟ ନାୟକ,ତୁଳରାମ ନାୟକ,ଲକ୍ଷ୍ମୀନାରାୟଣ ମାଝୀ,ପ୍ରହ୍ଲାଦ ନାୟକ,ଦୁର୍ଯ୍ୟୋଧନ ପୂଜାରୀ,ଟୁନା ବେହେରା, ବୋଇରିଗଞ୍ଜନ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ।