ଶବ ପୋତା ହୋଇଥିବା ଗୁଜବକୁ ନେଇ ପୋଲିସ୍ ଓ ପ୍ରଶାସନ ନାକେଦମ

ଆନନ୍ଦପୁର:(ସଖପ୍ର) ହାଟଡିହି ବ୍ଲକ ସଢଙ୍ଗ କଲେଜ ପଛରେ ଶବ ପୋତାହୋଇଥିବା ଗୁଜବକୁ ନେଇ ପୋଲିସ୍ ଓ ପ୍ରଶାସନ ନାକେଦମ ହୋଇଥିବା ଦେଖିବାକୁ ମିଳିଛି।ଅଜଣା ବ୍ଯକ୍ତିଙ୍କ ମୃତଦେହକୁ କେହି କଲେଜ ପଛରେ ଥିବା ପଡିଆ ଠାରେ ପୋତି ଦେଇଥିବା ଖବର ଆଜି ସକାଳୁ ବିଜୁଳି ବେଗରେ ବ୍ଯାପିଥିଲା ସ୍ଥାନୀୟ ଅଞ୍ଚଳରେ। ଏପରିକି କେହିକେହି କହୁଥିଲେ ଘଟଣା ସ୍ଥଳରେ ଏକ ମେସିନ୍ ଠିଆ ହୋଇଥିଲା, ହେଲେ ମେସିନ୍ କିମ୍ବା ଅପରେଟର ଏବେ ଦେଖା ମିଳୁନାହିଁ। ପୋତା ହୋଇଥିବା ମୃତ ବ୍ଯକ୍ତିର ହତ୍ୟାକାଣ୍ଡରେ ସଂପୃକ୍ତ ଅପରେଟରର ହାତ ରହିଛି। ହାଟଡିହି ବ୍ଲକ୍ ସଢଙ୍ଗ କଲେଜ ପଛରେ ଥିବା ପଡିଆରେ ଏଭଳି ଏକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହେଉଥିବା ଖବରଯାଇ ପ୍ରଶାସନ କାନରେ ବାଜିଲା। ତୁରନ୍ତ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ହାଟଡିହି ଅତିରିକ୍ତ ତହସିଲଦାରଙ୍କୁ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି କରାଯାଇ ଘଟଣା ସ୍ଥଳକୁ ପଠାଯାଇଥିଲା । ସାଙ୍ଗରେ ନନ୍ଦିପଦା ଆଇଆଇସିଙ୍କ ସହ ପୁରା ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ। କଲେଜ ପଛରେଥିବା ପଡିଆର ଏକ ଉଚ୍ଚା ସ୍ଥାନରେ ଲୋକଙ୍କ ସଂଦେହ ହେଉଥିବା ଜାଗାକୁ ଜେସିବି ମେସିନ୍ରେ ଖୋଳା ହୋଇଥିଲା। ହେଲେ ସେଥିରୁ ଶବ ତ ବାହାରି ନଥିଲା, ହେଲେ କେତେଗୁଡ଼ିଏ ଏସ୍ପାରି ସରକାରି ମେଡିସିନ ବାହାରିଥିଲା। ମେଡିସିନ ଗୁଡିକ ପୋଡା ହୋଇ କେହି ସେଠାରେ ପୋତି ଦେଇଥିବା ଜଣାପଡିଥିଲା । ତେବେ ଏତେଗୁଡିଏ ଏସ୍ପାରି ମେଡିସିନ୍ ସେଠାରେ କେଉଁ ପରିସ୍ଥିତିରେ ପୋତା ହେଲା ତାକୁନେଇ ଏବେ ତଦନ୍ତ କରୁଛି ପୋଲିସ । ଏକ୍ସପାରି ମେଡିସିନ ଗୁଡିକ କେଉଁ ସ୍ବାସ୍ଥ୍ୟ କେନ୍ଦ୍ରର ଓ ତାହା ସରକାରୀ ନିୟମ ଅନୁଯାୟୀ ଡିସ୍ପୋଜାଲ ହୋଇଛି କି? ତାକୁ ନେଇ ଏବେ ଖୋଳତାଡ ଆରମ୍ଭ କରିଛି ପୋଲିସ।