November 18, 2025

Sabubarga Khabar

All category news

ଶଙ୍ଖ କ୍ଷେତ୍ର ପୁରୀ ବେଳାଭୂମିରେ ୧୪୪ ଧାରା ଜାରି

ପୁରୀ, :ଶଙ୍ଖ କ୍ଷେତ୍ର ପୁରୀ ବେଳାଭୂମିରେ ୧୪୪ ଧାରା ଜାରି କରିଛି ପୁରୀ ଜିଲ୍ଲା ପ୍ରଶାସନ। ଆଜି ବିଳମ୍ବିତ ରାତିରେ ଏହି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ଏହି ଦୃଷ୍ଟିରୁ ଆଜି ରାତିରୁ ଏହି ଅଞ୍ଚଳରେ ପର୍ଯ୍ୟଟକଙ୍କ ସହ ଜନସାଧାରଣଙ୍କ ବୁଲାବୁଲିରେ କଟକଣା ଲଗାଯାଇଛି। ପୁରୀ ବେଳାଭୂମି ସଦାସର୍ବଦା ଗହଳଚହଳ ରହୁଥିବାରୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ଏହାକୁ ଆଖି ଆଗରେ ରଖି ଏଠାରେ ୧୪୪ ଜାରି କରାଯାଇଥିବା ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି। ଏହା ସହ ବେଳାଭୂମି କୂଳରେ ଥିବା ଗାନ୍ଧୀ ପାର୍କରେ ବି ୧୪୪ ଧାରା ଜାରି କରାଯାଇଥିବା ସେ କହିଛନ୍ତି। ଏଠାକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି। ଲହାକୁ ନେଇ ଆଜି ଜିଲ୍ଲାପାଳ ବଲୱନ୍ତ ସିଂହଁ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ପୁରୀ ଜିଲ୍ଲା ପ୍ରଶାସନ ସୂଚନା ମୁତାବକ, ପୁରୀ ବେଳାଭୂମିରେ ‌ବଳିଆପଣ୍ଡାରୁ ପେଣ୍ଠକଟା ପର୍ଯ୍ୟନ୍ତ ଏହି କଟକଣା ଲଗାଯାଇଛି। ପର୍ଯ୍ୟଟକଙ୍କୁ ଏହା ଭିତରେ ପ୍ରବେଶକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଏହି ଅଞ୍ଚଳରେ ଆଜି ରାତିରୁ ପୁଲିସ ମୁତୟନ ହୋଇଛନ୍ତି। ପୁଲିସ ଫୋର୍ସ ଚାରିଆଡ଼ୁ ଜଗି ରହିଛନ୍ତି। ପୁଲିସ ଭ୍ୟାନ୍‌ ବି ତୁହାକୁତୁହା ବୁଲୁଥିବା ଦେଖିବାକୁ ମିଳିଛି। ଯଦି କୌଣସି ପର୍ଯ୍ୟଟକ ଏହି ଅଞ୍ଚଳକୁ ଆସିବାକୁ ଚେଷ୍ଟା କରୁଛି, ସେମାନଙ୍କୁ ଘଉଡ଼ା ଯାଇଛି। ଦୋକାନବଜାର ବି ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ୧୪୪ ଧାରା ନଉଠିବା ପର୍ଯ୍ୟନ୍ତ କେହି ଏଠାରେ ବ୍ୟବସାୟ କରିପାରିବେନି ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଉଠା ଦୋକାନୀଙ୍କୁ ହଠାତ୍ ଉଠାଇ ଦିଆଯାଇଛି।

ସେହିଭଳି କୋଣାର୍କ ଥାନା ଓ ଚନ୍ଦ୍ରଭାଗା ମେରାଇନ୍‌ ଥାନା ଅଧୀନରେ ଥିବା ଚନ୍ଦ୍ରଭାଗା ବେଳାଭୂମିରେ ବି ୧୪୪ ଧାରା ଜାରି କରାଯାଇଛି। କଣାସ ତହସିଲ ଅଧୀନରେ ଥିବା କରମଳା ମଠ ଓ ଯାତ୍ରା ପରିବେଷଣ ଉପରେ କଟକଣା ସହ ଏଠାରେ ୧୪୪ ଧାରା ଜାରି କରାଯାଇଛି। କୃଷ୍ଣପ୍ରସାଦ ପଞ୍ଚୁଦୋଳ ମେଳଣ ଉପରେ ବି କଟକଣା ଲଗାଯାଇଛି। ଏଠାରେ ବି ୧୪୪ ଧାରା ଜାରି କରାଯାଇଛି। ଅନ୍ୟପଟେ ବିବାହ ଭୋଜି ଓ ମାଇକ୍‌ ଅନୁମତିରେ ବି କଟକଣା ଲାଗିଛି। ବିବାହ ଭୋଜି ଆୟୋଜନର ଅନୁମତି ଦେବାକୁ ସଂପୂର୍ଣ୍ଣ ମନା କରି ଦିଆଯାଇଛି। ବରଯାତ୍ରୀ ଓ ଭୋଜିଭାତ ପାଇଁ ମାଇକ୍‌ ଅନୁମତି ବି ନିଷିଦ୍ଧ କରାଯାଇଛି।ଯେଉଁମାନଙ୍କୁ ଅନୁମତି ମିଳିଥିଲା, ଜରୁରୀକାଳୀନ ଭିତ୍ତିରେ ସେ ସବୁକୁ ବାତିଲ୍‌ କରି ଦିଆଯାଇଛି। ପରିସ୍ଥିତିକୁ ଆଖି ଆଗରେ ରଖି ଡିଜେଲ, ପେଟ୍ରୋଲ ଓ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ବରିଷ୍ଠ ନାଗରିକମାନଙ୍କୁ ଯଥାସମ୍ଭବ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ବାର୍, ଡାଇନିଂ ସ୍ଥାନ, ବେଳାଭୂମି ଓ ବଡ଼ଦାଣ୍ଡ ବୁଲା ବିକାଳିଙ୍କ ଉପରେ ବି କଟକଣା ଲଗାଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ଡ. ଉମାଶଙ୍କର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ, ମୟୂର ସୂର୍ଯ୍ୟବଂଶୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ସେହିପରି ଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ ପାଇଁ ନିଜର ପରିଚୟ ଲେଖା ଦେବେ । ଶ୍ରୀ ମନ୍ଦିର ଏବଂ ବଡ଼ ଦାଣ୍ଡରେ ଗହଳି ନାହିଁ, ଚିଲିକା, ସାତପଡ଼ା, ଅଲାରନାଥ, ବାଲିହରଚଣ୍ଡୀ, ସାକ୍ଷୀଗୋପାଳ, କୋଣାର୍କ, ଚନ୍ଦ୍ରଭାଗା, ରାମଚଣ୍ଡୀ, କାକଟପୁର ମଙ୍ଗଳା ମା, ଜାହାନିଆ ବେଳାଭୁମି ଆଦି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଗୁଡିକରେ ଲୋକ ସେହିପରି ଦେଖା ଯାଉନାହାନ୍ତି । ଥଣ୍ଡା କାଶ ରୋଗୀଙ୍କ ପାଇଁ ସରକାରୀ ଡାକ୍ତରଖାନା ଗୁଡିକରେ ସ୍ୱତନ୍ତ ବ୍ୟବସ୍ଥା କରାଯାଇଛି । ମାକ୍ସ କିଣିବା ପାଇଁ ଲୋକଙ୍କ ଭିଡ଼ ଲାଗୁଛି 30/40 କୁ ଏବେ 150/200 ଟଙ୍କାରେ ବିକ୍ରି ହେଉଛି।ଜିଲ୍ଲା ପାଳ କହିଲେ ଆତଙ୍କ ସୁଷ୍ଟିକଲେ କଠୋର ଆଇନ ଗ୍ରହଣ କରାଯିବ । ପୁରୀରେ ଆଗପରି ଗହଳି ନାହିଁ ।


ପୁରୀ ଜିଲ୍ଲା ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.