ଲାଲ ବାହିନୀ ଟାର୍ଗେଟ୍ରେ କେନ୍ଦୁପତ୍ର ବ୍ୟବସାୟୀ…
ମାଲକାନଗିରି(ସ. ଖ. ପ୍ର ):ବର୍ତ୍ତମାନ ମାଓବାଦୀଙ୍କ ତରଫରୁ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ଧମକ ମିଳିଛି । ମାଲକାନଗିରି କୋରୁକଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଂଚାୟର ମୁଖ୍ୟ ରାସ୍ତାରେ ଧମକପୂର୍ଣ୍ଣ ଲାଲରଙ୍ଗର ବ୍ୟାନର ଲଗାଇଛି ମାଓ ସଙ୍ଗଠନ ।ପୂର୍ବରୁ ମାଓବାଦୀମାନେ ଠିକାଦାର ଓ ପୋଲିସକୁ ଟାର୍ଗେଟ କରି ବ୍ୟାନର ଲଗାଉଥିଲେ । ହେଲେ ଏବେ କିନ୍ତୁ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ସିଧାସଳଖ ଟାର୍ଗେଟ କରିଛି ଲାଲ୍ ସେନା । ଖାସ କରି ୩ ଦଫା ଦାବିକୁ ନେଇ ବ୍ୟାନର ଜରିଆରେ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ମିଳିଛି ଖୋଲା ଧମକ ।ସେହି ଦାବିଗୁଡିକ ହେଲା କେନ୍ଦୁପତ୍ର ତୋଳାଳିଙ୍କୁ ସଠିକ୍ ପାରିଶ୍ରମିକ ଦିଆଯାଉ, କେନ୍ଦୁପତ୍ର କ୍ରୟ ମୂଲ୍ୟର ଶତ ପ୍ରତିଶତ ବୋନସ୍ ତୁରନ୍ତ ଦିଆଯାଉ, କେନ୍ଦୁପତ୍ର ତୋଳାଳିଙ୍କ ପୁଅଝିଅଙ୍କ ପାଠପଢା, ବିବାହ ଓ ମୃତ୍ୟୁବରଣରେ ଆର୍ଥିକ ସହଯୋଗ ଦେବା | ମାଓ ସଙ୍ଗଠନର ନିର୍ଦ୍ଦେଶ ଅମାନ୍ୟ କଲେ ଖଇରପୁଟ କେନ୍ଦୁପତ୍ର ଡିପୋ ଓ ଏମ୍.ଭି- ୧୭ର ଘଟିଥିବା ଘଟଣାର ପୁନରାବୃତ୍ତି ହେବ ବୋଲି ବ୍ୟାନରରେ ଖୋଲା ଧମକ ମିଳିଛି । ସେହିଭଳି କେନ୍ଦୁପତ୍ର ରେଂଜର୍, ଫରେଷ୍ଟର୍ ଓ ଘରୋଇ ମାଲିକଙ୍କୁ ପ୍ରଜାକୋର୍ଟରେ ଦଣ୍ଡିତ କରାଯିବ ବୋଲି କୋରୁକଣ୍ଡା ଓ ଚିତ୍ରକୋଣ୍ଡା ଡିଭିଜିନ ମାଓବାଦୀ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି |ଦେଖିବାକୁ ବାକିରହିଲା ଆଗକୁ କଣ ଘଟିବ |