12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଲକଡାଉନ ସମୟରେ ରାୟଗଡା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ କର୍ମତତ୍ପରତା ବେଶ ପ୍ରଶଂସନୀୟ

ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ସାଂପ୍ରତିକ ଲକଡାଉନ ପରିସ୍ଥିତିରେ ରାୟଗଡା ଜିଲ୍ଳାକୁ କରୋନାମୁକ୍ତ କରିବା ପାଇଁ ସମଗ୍ର ପ୍ରଶାସନ ଜାଗ୍ରତ ପ୍ରହରୀ ଭାବେ ଅବିରତ ରାତିଦିନ ଏକା କରି ଦେଇଥିବା ବେଳେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଜିଲ୍ଳା ମୁଖ୍ୟ ଭାବରେ ପ୍ରଶାସନିକ ଗୁରୁ ଦାୟିତ୍ୱ ସଫଳ ଭାବେ ତୁଲାଇ ଆସୁଛନ୍ତି। ଯେପରି କୈାଣସି ବ୍ୟକ୍ତିବିଶେଷ କୈାଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ଧ୍ୟାନ ଦେଇଛନ୍ତି ।
ରାୟଗଡା ସହରର ଇନ୍ଦିରା ନଗର ନିବାସୀ ଜି.ରୋହିଦାସ(୭୭) । ଦୀର୍ଘଦିନରୁ ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ତାଙ୍କ ପୁଅ ପାଖରେ ରହି ଚିକିତ୍ସିତ ହେଉଥିଲେ । ଗତ ଫେବୃୟାରୀ ମାସରେ ଗୋଟିଏ ମାସର ଔଷଧ ଧରି ସେ ତାଙ୍କ ରାୟଗଡାସ୍ଥିତ ଘରକୁ ଆସିଥିଲେ । ଲକଡାଉନ ଯୋଗୁଁ ଯେ ଆଉ ହାଇଦ୍ରାବାଦ ଫେରିପାରି ନ ଥିଲେ । ଇତି ମଧ୍ୟରେ ତାଙ୍କର ଔଷଧ ସରିଯାଇଥିଲା । ଆବଶ୍ୟକୀୟ ଔଷଧ ମଧ୍ୟ ରାୟଗଡାରେ ଉପଲବ୍ଧ ହେଲା ନାହିଁ କି ତାଙ୍କ ପୁଅ ମଧ୍ୟ କୋରିଅର ମାଧ୍ୟମରେ ପଠାଇପାରିଲେ ନାହିଁ । ଜୀବନ ରକ୍ଷା ପାଇଁ ଜିଲ୍ଳାପାଳ ଶ୍ରୀ ବେହେରାଙ୍କୁ ଜଣାଇବା ପରେ ମାନବିକତାର ପରିଚୟ ଦେଇ ତୁରନ୍ତ ବିଶାଖାପାଟଣାରୁ ଆବଶ୍ୟକୀୟ ଔଷଧ ପାଇବାର ବନ୍ଦୋବସ୍ତ କରି ଯୋଗାଇ ଦେଇଥିଲେ । ସେହିପରି ବିଷମକଟକ ବ୍ଲକ ଚାଟିକୋଣା ଗ୍ରାମର ଅକ୍ଷୟ ଲେଙ୍କା (୬୦) । ସେ ତାଙ୍କ ନିଜ ହୃଦରୋଗ ପାଇଁ ଦିଲ୍ଳୀରେ ତାଙ୍କ ପୁଅ ପାଖରେ ରହି ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ପ୍ରତିମାସ କୋରିଅର ମାଧ୍ୟମରେ ଦିଲ୍ଳୀରୁ ଔଷଧ ମଗାଇ ଖାଇ ଆସୁଥିଲେ । ଲକଡାଉନ ପରିସ୍ଥିତି ପାଇଁ କୋରିଅର ମାଧ୍ୟମରେ ଆଉ ଔଷଧ ମଗାଇ ନ ପାରିବାରୁ ତାଙ୍କ ପୁଅ ଜିଲ୍ଲାପାଳ ଶ୍ରୀ ବେହେରାଙ୍କୁ ଇମେଲ ମାଧ୍ୟମରେ ଅନୁରୋଧ କରିବାରୁ ଜିଲ୍ଲାପାଳ ବିଭିନ୍ନ ସ୍ଥାନରୁ ଆବଶ୍ୟକୀୟ ଔଷଧର ବ୍ୟବସ୍ଥା କରାଇ ଯୋଗାଇ ଦେଇଥିବାରୁ ଉପରୋକ୍ତ ଦୁଇଜଣ ବ୍ୟକ୍ତି ଓ ସେମାନଙ୍କର ପରିବାର ଜିଲ୍ଲାପାଳଙ୍କର ଏତାଦୃଶ୍ୟ ମହନୀୟତା ପାଇଁ କୃତଜ୍ଞତା ଜଣାଇଛନ୍ତି । ଜିଲ୍ଲାପାଳ ଶ୍ରୀ ବେହେରା ଜିଲ୍ଳା ସଦର ମହକୁମା ଠାରୁ ଆରମ୍ଭ କରି ଜିଲ୍ଳାର ୧୧ଗୋଟି ବ୍ଲକରେ ପ୍ରଶାସନ ତରଫରୁ କରାଯାଇଥିବା ସଂଗରୋଧ କେନ୍ଦ୍ରଗୁଡିକକୁ ନିଜେ ବୁଲି ପରିଦର୍ଶନ କରି ସମସ୍ତ ଅନ୍ତେବାସୀମାନଙ୍କୁ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାର ଉପକାରିତା ଉପରେ ପରାମର୍ଶ ଦେଇଆସୁଛନ୍ତି । ସେ ଗାଡିରେ ଯିବା ସମୟରେ ରାସ୍ତାରେ କେହି ମାସ୍କ ପିନ୍ଧି ନ ଥିଲେ ଗାଡିରୁ ଓହ୍ଳାଇ ସେ ମାସ୍କ ବ୍ୟବହାର କରିବା ପାଇଁ ସାଧାରଣ ଜନତାକୁ ନିବେଦନ କରିଥାନ୍ତି । କରୋନାକୁ ଭୟ ନ କରି ଏହାର ମୁକାବିଲା କରିବା ପାଇଁ ସରକାର ଜାରି କରିଥିବା ନିୟମାବଳୀକୁ ଅନୁସରଣ କରି ଘରେ ରହିଲେ ସମସ୍ତେ ସୁରକ୍ଷିତ ହୋଇ ରହିପାରିବେ ଏବଂ ଏକ ସୁସ୍ଥ ସମାଜ ରାୟଗଡା ଜିଲ୍ଲା ଗଠନ କରିବାରେ ସକ୍ଷମ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ବେହେରା ଜିଲ୍ଲାବାସୀଙ୍କୁ କହିଥାନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *