ରେଳ ପ୍ରକଳ୍ପ ପାଇଁ ନବରଙ୍ଗପୁର ଓ ମାଲକାନଗିରିରେ ହେବ ଭୁ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ

କୋରାପୁଟ(ସଖପ୍ର): ନବରଙ୍ଗପୁର ଓ ମାଲକାନଗିରିକୁ ରେଳ ସଂଯୋଗୀକରଣ ପ୍ରକଳ୍ପ ପାଇଁ ସ୍ଥାପନ ହେବ ଆଉ 2ଟି ଭୁ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ । ବର୍ତ୍ତମାନ ଜୟପୁରରେ ଏକ କାର୍ଯ୍ୟାଳୟ ଥିବାବେଳେ ନବରଙ୍ଗପୁର ଓ ମାଲକାନଗିରିରେ ବି କାର୍ଯ୍ୟାଳୟ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । କାର୍ଯ୍ୟାଳୟ ଥିବା ଉପଖଣ୍ଡର ଉପ-ଜିଲ୍ଲାପାଳ ଭୁ-ଅର୍ଜନ ଅଧିକାରୀ ଭାବେ ଦାୟୀତ୍ୱ ତୁଲାଇବେ । ଯାହାଦ୍ୱାରା ପ୍ରକଳ୍ପ ପାଇଁ ଆବଶ୍ୟକ ଥିବା ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ଏନେଇ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ରାଜ୍ୟ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସହିତ ଭିଡ଼ିଓ କନ୍ଫରେନ୍ସରେ ଆଲୋଚନା କରିଥିବା ସୂଚନା ମିଳିଛି । ପୂର୍ବରୁ ଜିଲ୍ଲାପାଳ ଏନେଇ ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ସରକାର ବିଚାରକୁ ନେଇଥିଲେ । ତେବେ ଏନେଇ କୋଣସି ପ୍ରଶାସନିକ ଅଧିକାରୀ ମତ ମନ୍ତବ୍ୟ ଦେଇନାହାନ୍ତି । ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଇବା ପାଇଁ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।