02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ “ତମାଖୁ ମୁକ୍ତ ଯୁବକ ଅଭିଯାନ”ର ଶୁଭାରମ୍ଭ

ରାୟଗଡା (ସଖପ୍ର):ଆଜି ରାୟଗଡା ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନଙ୍କ ଉପସ୍ଥିତିରେ “ତମାଖୁ ମୁକ୍ତ ଯୁବକ ଅଭିଯାନ”ର ଶୁଭାରମ୍ଭ ହୋଇଯାଇଛି | ଏହି ଅବସରରେ ଡା ଲାଲମୋହନ ରାଉତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଡା ଭି.ଏଲ.ଏନ ରାଜୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର ମଙ୍ଗଳ) ଡା ଶ୍ରୀ ରୟ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ସୁପରିଟେଣ୍ଡେଣ୍ଟ ଡା ବରଦାକାନ୍ତ ମିଶ୍ର, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ ) ଡା ମମତା ଚୌଧୁରୀ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ରାଜେଶ ପଟ୍ଟନାୟକ, ସହକାରୀ ପରିଚାଳକ (ଅଣ ସଂକ୍ରାମକ ରୋଗ ) ଶ୍ରୀମତୀ ସଂଯୁକ୍ତା ବାଗ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅଭିଯାନର ଶୁଭାରମ୍ଭ ଅବସରରେ, ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ତମାଖୁ ନିଷେଧ ଶପଥ ପାଠ କରାଇବା ସହିତ ସଭାରେ ଉପସ୍ଥିତ ଥିବା ମାନ୍ୟଗଣ ବ୍ୟକ୍ତିବିଶେଷ ମାନଙ୍କୁ ନିଜ ନିଜ କାର୍ଯ୍ୟକ୍ଷେତ୍ର ପରିସରକୁ ତମାଖୁ ମୁକ୍ତ ପରିବେଶ କରିବାପାଇଁ କହିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ପ୍ରିନସିପାଲ ମହୋଦୟଙ୍କୁ ନିଜ ନିଜ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟକୁ ତମାଖୁ ମୁକ୍ତ କରିବା ପାଇଁ ଆହ୍ୱାନ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ତମାଖୁ ସେବନ ଦ୍ୱାରା କର୍କଟ ଏବଂ ଫୁସଫୁସ ଜନିତ ରୋଗ ହୋଇଥାଏ । ଏହାର ବ୍ୟବହାର କରିବା ଦ୍ୱାରା ନିଜର ତଥା ନିଜ ପରିବାର ଏବଂ ସମାଜ ପାଇଁ ସମ୍ପୃକ୍ତ ରୋଗ ଏବଂ ମୃତ୍ୟୁ ମାଧ୍ୟମରେ ଏହା କ୍ଷତି ଆଣିଥାଏ । ଏହି ଅବସରରେ ଡା ଲାଲମୋହନ ରାଉତରୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ ଯେ ତମାଖୁ ନିବାରଣ କ୍ଷେତ୍ରରେ ଆମ ଜିଲ୍ଲା ସବୁବେଳେ ପ୍ରାଥମିକତା ଦେଇଆସୁଛି | ଗତ ପାଞ୍ଚବର୍ଷରେ ଆମ ଜିଲ୍ଲା ରାଜ୍ୟରେ ତମାଖୁ ନିବାରଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଆସୁଛି । ଏହି ବର୍ଷ ରାଜ୍ୟସ୍ତରରେ ତମାଖୁ ନିବାରଣ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାକୁ ବିଶ୍ୱ ତମାଖୁ ନିବାରଣ ଦିବସ ଦିନ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଫଳତା ପାଇଁ ଜିଲ୍ଲା ପୋଲିସ ବିଭାଗ, ଜିଲ୍ଲା ଅବକାରୀ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ ଓ ଜିଲ୍ଲା ଔଷଧ ନିରୀକ୍ଷକଙ୍କ ସହଯୋଗରୁ ସମ୍ଭବ ହୋଇପାରିଛି ବୋଲି ଡା ଲାଲମୋହନ ରାଉତରାୟ ମତପୋଷଣ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଗତ ମେ ମାସ 31 ତାରିଖ ଦିନ ‘ତମାଖୁମୁକ୍ତ ଯୁବକ’ ବିଷୟବସ୍ତୁ ଉପରେ 60 ଦିନିଆ ସର୍ବ ଭାରତୀୟ ତମାଖୁ ମୁକ୍ତ ଅଭିଯାନ ଆରମ୍ଭ କରିଛି ଯେଉଁଥିରେ ଯୁବକମାନଙ୍କ ମଧ୍ୟରେ ତମାଖୁ ସେବନକୁ ରୋକିବା ତଥା ତମାଖୁ ବ୍ୟବହାରକାରୀଙ୍କୁ ତମାଖୁ ତ୍ୟାଗ କରିବାରେ ସହାୟତା କରାଯିବ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *