ରାସ୍ତା ମରାମତି କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ ଅଭିଯୋଗ

ମାଲକାନଗିରି (ସଖପ୍ର ):କୌଣସି କାମରେ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ ନ କରିବା ପାଇଁ ସରକାର ନିୟମ କରିଛନ୍ତି,ହେଲେ ସରକାରୀ କର୍ମଚାରୀ ଓ ଠିକାଦାର ମାନେ ନିୟମକୁ ଉଲଂଘନ କରି ବିଭିନ୍ନ ଉନ୍ନୟନ କାମରେ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ କରୁଥିବା ଅଭିଯୋଗ ହେଉଛି |ମାଲକାନଗିରି ସଦର ମହକୁମା ଠାରୁ ମାତ୍ର ୫ କିଲୋମିଟର ଦୂରରେ ମାଲକାନଗିରି କାଲିମେଳା ୩୨୬ ନଂ ଜାତୀୟ ରାଜପଥର ଏମ ଭି -୭ ଗ୍ରାମ ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ -୧ ପକ୍ଷରୁ ଏମ ଏମ ରାସ୍ତା ଠାରୁ ଏମ ଭି -୭ ଏମ ଇ ସ୍କୁଲ ପର୍ଯ୍ୟନ୍ତ ମାତ୍ର ୬୦୦ ମିଟର ରାସ୍ତା ୫ଲକ୍ଷ ବ୍ୟୟ ଅଟକଳରେ ମରାମତି କରା ଯାଉଛି । ଉକ୍ତ ରାସ୍ତା କାମ ନେଇଥିବା ମାଲକାନଗିରିର ଠିକାଦାର ସୁବଳ ବଳ ପିଚୁ କାମ ପାଇଁ କାଠ ବ୍ୟବହାର କରୁଥିବା ବେଳେ ନିୟୋଜିତ ଶ୍ରମିକ ମାନେ ବିପଦ ପୂର୍ଣ୍ଣ ଭାବେ ଗରମ ପିଚୁ କାଢ଼ୁଥିବା ଦେଖିବାକୁ ମିଳିଛି |

ଏପରି କି ଏହି କାମରେ ମାଥିଲି ବ୍ଲକ ମହୁପଦର ପଞ୍ଚାୟତର ଗୋଲିଆଗୁଡା ଗ୍ରାମର ୭ ଜଣ ନାବାଳିକା ମାନଙ୍କୁ ଆଣି ଉକ୍ତ କାମରେ ଲଗାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସମ୍ପୃକ୍ତ ରାସ୍ତା କାମ ତଦାରଖ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦେବାଶିଷ ନାୟକଙ୍କୁ ପଚାରିବାରୁ ସେ କହିଥିଲେ ଠିକାଦାରଙ୍କ ଲେବର ଲାଇସେନ୍ସ ଅଛି ସେ କାହାକୁ କାମରେ ଲଗାଇଲେ ତାହା ଦେଖିବା ଆମର ଦାଇତ୍ୱ ନୁହେଁ, ରାସ୍ତା ଠିକ ଭାବେ ହୋଇଛି କି ନାହିଁ ତାହା ଦେଖିବା ଆମର କାମ । ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ ଓ ଶିଶୁ ମଙ୍ଗଳ କମିଟି ଏଥିପ୍ରତି ଦୃଷ୍ଟି ଦେଇ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।