ରାସ୍ତାକଡରେ ଭାରତ ସରକାରଙ୍କ ମାସ୍କ ! ୩୦ ଟଙ୍କାରେ ନେବାକୁ ଭିଡ
ଜୟପୁର(ସଖପ୍ର)- ରାସ୍ତାକଡରେ ମିଳୁଛି ଭାରତ ସରକାର ଲେଖାଥିବା ମାସ୍କ । କରୋନା ଭାଇରସରୁ ଦୂରେଇ ରହିବାକୁ ମାସ୍କର ଚାହିଦା ବଢୁଥିବାରୁ ଏହାକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ବିବେଚନା କରିଛନ୍ତି ସରକାର । ଏଣୁ ଏହାର ଯେପରି କଳାବଜାରୀ ନହୁଏ ସେଥି ପ୍ରତି ଗୁରୁତ୍ବ ଦିଆଯାଇଛି । କିନ୍ତୁ ରାସ୍ତା କଡରେ ଏହା ୩୦ ଟଙ୍କାରେ ବିକ୍ରି ହେଉଛି । ଯାହା ମେଡିସିନ୍ ଷ୍ଟୋରରେ ଉପଲବ୍ଧ ନଥିବାରୁ ବାଧ୍ୟ ହୋଇ ଫୁଟ୍ଫାତ୍ ରୁ କିଣି ନେଉଛନ୍ତି ଲୋକେ । ଏପରିକି ଏହି ମାସ୍କ ଉପରେ ଭାରତ ସରକାର ଲେଖା ହୋଇଥିବାରୁ ଏହାର ଭଲ ପ୍ରଚାର କରୁଛନ୍ତି ବେପାରୀ । ତେବେ ଏହା ପ୍ରକୃତରେ ସରକାରଙ୍କ ପ୍ରସ୍ତୁତ ନା କେହି ଏପରି ପ୍ରିଣ୍ଟ କରି ଲୋକଙ୍କୁ ଠକୁଛି ତାହା ପ୍ରଶ୍ନ ସୃଷ୍ଟି କରୁଛି । ପୁର୍ବରୁ ସାଧାରଣ ମାସ୍କ ୫ଟଙ୍କା ଭିତରେ କିଣା ପଡୁଥିବା ବେଳେ ଏହାକୁ ୮ରୁ ୧୦ ଟଙ୍କାରେ ବିକ୍ରି କରାଯାଉଥିଲା । କିନ୍ତୁ ବର୍ତମାନ କଳା ବଜାରେ ୧୦୦ଟି ମାସ୍କ ପାଇଁ ୧୬୦୦ରୁ ୨୦୦୦ ଟଙ୍କା ଦେବାକୁ ପଡୁଥିବାରୁ ଏହା ଚଢା ଦରରେ ଗ୍ରାହାକଙ୍କୁ ବିକ୍ରି କରିପାରୁ ନଥିବା ଜଣେ ମେଡିସିନ୍ ବ୍ୟବସାୟୀ କହିଛନ୍ତି ।