ରାମପାଲିଆଗୁଡା ଗ୍ରାମରେ ଦେଶିଆ ମଣ୍ଡେଇ ପରଵ ପାଳିତ
ନବରଙ୍ଗପୁର (ସଖପ୍ର): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମେରା ଗ୍ରାମ ପଂଚାୟତ ରାମପାଲିଆଗୁଡା ଗ୍ରାମରେ ଦେଶିଆ ମଣ୍ଡେଇ ପରବ ଶୁକ୍ରବାର ଦିନ ପାଳିତ ହୋଇଯାଇଛି। ଏହି ଅବସରରେ ଆଖ ପାଖ ଗ୍ରାମର ଦେବା ଦେବୀଙ୍କ ପ୍ରତୀକ ଲାଠି କୁର୍ଚି ବଦ୍ୟନାଦ ସହକାରେ ସିରା, ପୁଜାରି ମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଭକ୍ତ ମାନଙ୍କ ଘର ଆଗରେ ପୁଜାର୍ଚ୍ଚନା କରାଯାଇ ଭକ୍ତମାନେ ଆଶୀର୍ବାଦ ନେଇ ଥିଲେ। ଶେଷରେ ଠାକୁରାଣୀ ଗୁଡ଼ିରେ ପହଂଚି ଲାଠି, କୁର୍ଚି ଓ ବିମାନ ରଖା ଯାଇ ଦେଶିଆ ମଣ୍ଡେଇ ପଡିଆରେ ପୁଜାର୍ଚନା କରାଯାଇ ଥିଲା। ସେହି ସ୍ଥାନରେ ବିଭିନ୍ନ ପ୍ରକାର ଦୋକାନ ବଜାର ଖୋଲା ଯାଇ ଜନ ସାଧାରଣଙ୍କ ଗହଳି ଦେଶିଆ ମଣ୍ଡେଇକୁ ଦ୍ବିଗୁଣିତ କରି ଦେଇ ଥିଲା। ରାତ୍ରିରେ ଜନ ସାଧାରଣ ମାନଙ୍କ ମନୋରଞ୍ଜନ ନିମନ୍ତେ ଡାବୁଗାଁ ବ୍ଲକ କକଡାଗୁଡା ଗ୍ରାମର ଭେଣ୍ଡା ଗୁରୁଙ୍କ ନିର୍ଦ୍ଦେଶନାରେ “ପ୍ରେମ ଦୁନିଆକୁ ନମସ୍କାର” ନାଟକ ଓ ଉମରକୋଟ ବ୍ଲକ କୁର୍ସି ଗ୍ରାମର ଭୁବନ ଗୁରୁଙ୍କ ନିର୍ଦ୍ଦେଶନାରେ “ଆମ ପ୍ରେମ ଢିଲା ମେଲା” ନାଟକ ପ୍ରଦର୍ଶନ କରାଯାଇ ଥିଲା। ଏହି ନାଟକ ଦୁଇଟିରୁ କୁର୍ସି ନାଟକ ଦଳ ବିଜେତା ହୋଇ ୩୧ ହଜାର ୫୫୧ ଟଙ୍କା କମିଟି ତରଫରୁ ପୁରସ୍କାର ପାଇ ବିଜେତା ହୋଇଥିଲେ। ଶୀତକୁ ଭ୍ରୁକ୍ଷେପ ନକରି ଦର୍ଶକ ମାନେ ମନଭରି ନାଟକ ଉପଭୋଗ କରିଥିଲେ। ଉକ୍ତ ଗ୍ରାମର ମଣ୍ଡେଇ କମିଟିରେ ଥିବା ସମସ୍ତ ଜନ ସାଧାରଣମାନଙ୍କ ଦ୍ୱାରା ବେଶ ସୁନ୍ଦର ଭାବେ ଶାନ୍ତି ଶୃଙ୍ଖଳା ସହକାରେ ପାଳିତ ହୋଇ ଥିଲା।
ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ