ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଓ ପ୍ରତିଭା ସମ୍ମାନ ସମାରୋହରେ କବି କବୟିତ୍ରୀ
ବାଲେଶ୍ଵର,୯/୩– ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ଅର୍ବାନ ହାଟପଡିଆ ପରିସରରେ ଥିବା ୪ ନମ୍ବର ସମ୍ମିଳନୀ କକ୍ଷରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ତରଫରୁ ପୁରୀ ନେହେରୁ ଯୁବ କେନ୍ଦ୍ର ସହାୟତାରେ ବିଶ୍ଵ ମହିଳା ଦିବସ ଉପଲକ୍ଷେ ୨ୟ ବାର୍ଷିକ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଓ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ପ୍ରଦିପ୍ତ କୁମାର ଛାଟୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମବାୟ ବିଭାଗର ପୂର୍ବତନ ଅତିରିକ୍ତ ଶାସନସଚିବ ହରିଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ନେହେରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ଜୟଶଙ୍କର ଯୋଶୀ,ସଂଗଠନର ଉପଦେଷ୍ଟା ସୁବାଷ ଚନ୍ଦ୍ର ବରାଳ,ସତ୍ଯ ଖବର ସମ୍ପାଦକ ଅକ୍ଷୟ କୁମାର ନାୟକ ଓ ପଣ୍ଡିତ ବିଶ୍ଵନାଥ ଶତପଥୀ ପ୍ରମୁଖ ମଞ୍ଚାସୀନ ହୋଇ ସାହିତ୍ୟ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ ଭାଗିରଥି ସ୍ବାଇଁ ଅତିଥି ପରିଚୟ ସହିତ ସମ୍ପାଦକୀୟ ବିବରଣୀ ପାଠକରିଥିଲେ । ପ୍ରଥମ ଅଧିବେଶନରେ ମଞ୍ଚାସୀନ ବକ୍ତାମାନଙ୍କ ବକ୍ତବ୍ୟ ପରେ ୨ୟ ଅଧିବେଶନ ତଥା କବିତା ପାଠୋତ୍ସବ ଆରମ୍ଭ ହୋଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କବି କବୟିତ୍ରୀ ମାନେ ନିଜ ନଜର ସ୍ବରଚିତ କବିତା ପାଠକରି ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ । ସେଥିମଧ୍ୟରୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମର କବି,ଗାଳ୍ପିକ,ସଂଗ୍ରାହକ ଏବଂ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ନିଜର ସ୍ବରଚିତ କବିତା ” କପିଧ୍ବଜ ହେଲା ନାମ ” ପାଠକରି ‘ କବି କୁସୁମ ‘ ଉପାଧିରେ ସମ୍ମାନିତ ହୋଇ ବ୍ଲକ ପାଇଁ ଗୌରବ ଆଣିଥିବା ବେଳେ ଜିଲ୍ଲା ସଦର ବ୍ଲକରୁ କବୟିତ୍ରୀ ପ୍ରଣତି ମହାପାତ୍ର ” କୋଣାର୍କ ନବଦିଗନ୍ତ ସମ୍ମାନ ” ରେ ସମ୍ମାନିତ ହୋଇଥିଲେ । ସେହିପରି ଦେବଗଡ ଜିଲ୍ଲାରୁ ପଦ୍ମିନୀ ଦାସମହାପାତ୍ର ତାଙ୍କର ସ୍ବରଚିତ କବିତା ” ମୁଁ କିଏ ” ପାଠକରି ‘ କବି କୁମୁଦିନୀ ‘ ସମ୍ମାନରେ ସମ୍ମାନିତ ହୋଇ ନିଜ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି । ଏଥିସହିତ ଅନ୍ଯ ଜିଲ୍ଲାର କବିକବୟିତ୍ରୀ ମାନେ ମଧ୍ୟ ସମ୍ମାନିତ ହୋଇଥିଲେ । ସଂଗଠନ କର୍ମକର୍ତ୍ତାମାନେ ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ଭାଗିରଥି ସ୍ବାଇଁ ଧନ୍ୟବାଦ ଦେଇ ସଭାସାଙ୍ଗ ଘୋଷଣା କରିଥିଲେ ।
ବାଲେଶ୍ଵରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ