ରାଜ୍ୟରେ ୩୦୦୦ ମୋ ସେବା କେନ୍ଦ୍ର ଓ ଓଡ଼ିଶାଓ୍ୱାନ୍ ପୋର୍ଟାଲ ଲୋକାର୍ପିତ
ଭୁବନେଶ୍ବର(ସଖପ୍ର): ଆଜିର ଦିନକୁ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଭାବରେ ପାଳନ କରୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦୦ରୁ ଅଧିକ ମୋ ସେବାକେନ୍ଦ୍ର ଓ ଓଡ଼ିଶାଓ୍ୱାନ୍ ପୋର୍ଟାଲ ଲୋକାର୍ପିତ କରିଛନ୍ତି । 5T ଉପକ୍ରମ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୂଳମନ୍ତ୍ର। ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ। ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ସହିତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ରାଜ୍ୟର ସବୁ ପଞ୍ଚାୟତରେ ଗୋଟିଏ ଗୋଟିଏ ମୋ ସେବାକେନ୍ଦ୍ର ଖୋଲାଯିବ। ଏହାଦ୍ୱାରା ୮୦୦୦ ଯୁବକ ଯୁବତୀ ଆତ୍ମ ନିଯୁକ୍ତିର ସୁଯୋଗ ପାଇବେ । ସେହିପରି ସହରବାସୀ ତଥା କମ୍ପୁଟର ଜାଣିଥିବା ଲୋକମାନଙ୍କ ପାଇଁ ଓଡ଼ିଶାଓ୍ୱାନ୍ ପୋର୍ଟାଲ ସେବା ଯୋଗାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।।