ରାଇଘର ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ, କଂଗ୍ରେସର ଅନୁସନ୍ଧାନକାରୀ ଟିମର ପରିଦର୍ଶନ

ନବରଙ୍ଗପୁର ଜିଲ୍ଲା (ସଖପ୍ର): ରାଇଘର ବ୍ଲକ ଅନ୍ତର୍ଗତ
ଛତାବେଡ଼ା (ଡି ଏନ୍ କେ)ଚାଷୀ ବିଭୁତି ସରକାର୍(୪୫) ଙ୍କ ଆତ୍ମହତ୍ୟା ପ୍ରସଙ୍ଗ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଜି ଜିଲ୍ଲା କଂଗ୍ରେସର ଏକ ଉଚ୍ଚ ସ୍ତରୀୟ ଫେକ୍ଟ ଫାଇଣ୍ଡିଂ ଟିମ୍ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ନେତୃତ୍ୱରେ ରାଇଘରର ଆତ୍ମହତ୍ୟା କରି ଥିବା ଚାଷୀଙ୍କ ଘରକୁ ପରିଦର୍ଶନ କରିଛନ୍ତି। ମୃତ ଚାଷୀ ବିଭୂତି ସରକାରଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟିବା ସହ କିଛି ଆର୍ଥିକ ସହାୟତା ପ୍ରଦାନ ପୂର୍ବକ ମୃତ ଚାଷୀଙ୍କ ନାବାଳିକା ଝିଅର ପଢା ଖର୍ଚ୍ଚ କଂଗ୍ରେସ ବହନ କରିବ ବୋଲି ଜଣା ପଡିଛି। ଏଥି ସହିତ ବିଭୂତି ଆତ୍ମହତ୍ୟା କରିଥିବା କୋବି ବାଡି ନିକଟକୁ ଯାଇ ସରଜମିନ୍ ତଦନ୍ତ କରିଛନ୍ତି। ତଦନ୍ତ ସମୟରେ ମୃତ ଚାଷୀ ବିଭୂତି ବିଭିନ୍ନ ସଂସ୍ଥା ଓ ବ୍ୟାଙ୍କରୁ ପ୍ରାୟ ଦୁଇ ଲକ୍ଷ ଟଙ୍କା ଋଣ କରିଥିବା ବେଳେ ସେ ଧାର କରଜରେ ବୁଡି ଯାଇ ଏକ ପ୍ରକାର ମାନସିକ ଭାରସାମ୍ୟ ହରାଇ ଆତ୍ମ ହତ୍ୟା କରିଥିବା ଟିମ୍ ସଦସ୍ୟ ଅବଗତ ହୋଇଛନ୍ତି। ତେବେ ୬ ଦଫା ଦାବି ମୃତ ପରିବାରଙ୍କ ସଦସ୍ୟଙ୍କୁ ନେଇ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଅନଶନ ଆରମ୍ଭ ହୋଇଛି। ଉପସ୍ଥାପିତ ଦାବି ଗୁଡ଼ିକ ମଧ୍ୟରେ ମୃତ ବିଭୂତି ସରକାରଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୁରଣ ପ୍ରଦାନ, ଅର୍ଦ୍ଧନିର୍ମିତ ପ୍ରଧାନ ମନ୍ତ୍ରୀ ଆବାସ ଗୃହର ନିର୍ମାଣ, ୧୦ ମାସ ହେବ ମିଳି ନ ଥିବା ଚାଉଳ ପ୍ରଦାନ, ସମସ୍ତ ବ୍ୟାଙ୍କ ଋଣ ଛାଡ, ଇଲେକ୍ଟ୍ରି ବିଲ୍ ଛାଡ କରିବା,ମୃତ ଚାଷୀଙ୍କ ବିଧବା ପତ୍ନୀଙ୍କୁ ସରକାରୀ ଚାକିରି ପ୍ରଦାନ, ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି। ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ପ୍ରକାଶ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ରାଇଘର ତହସିଲଦାର, କୃଷି ଅଧିକାରୀ ଘଟଣା ସ୍ଥଳକୁ ଯାଇ ପ୍ରମୁଖ ଆଲୋଚନା କରିଛନ୍ତି। ଆଜିର ଏହି ଅନଶନରେ ଅଧିବକ୍ତା ତଥା ପିସିସି ସମ୍ପାଦକ କ୍ଷେମ ରାଜ୍ ବାଘ ଡିସିସି ଉପ ସଭାପତି ତଥା ଅଧିବକ୍ତା ଦିଲିପ୍ ବେହେରା,ବରିଷ୍ଠ ଓକିଲ ଶଙ୍କର ଦେଓ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଦ୍ୱାରିଆ ମହାପାତ୍ର, ଦକ୍ଷିଣ ଓଡ଼ିଶା ସଂଖ୍ୟା ଲଘୁ ସେଲ୍ ପ୍ରଭାରୀ ଅବଦୁଲ ଫିରୋଜ, ସାଇ ନାରାୟଣ ପାଢ଼ୀ, ଅମୂଲ୍ୟ ପଟ୍ଟନାୟକ, କୃଷ୍ଣ ମାଝୀ, ସୁଭଳାନ୍ ସନ୍ତା ପ୍ରମୁଖ ବରିଷ୍ଠ ନେତୃ ମଣ୍ଡଳୀ ସମେତ ପରିବାର ବର୍ଗ ତରଫରୁ ଅନିମା ସରକାର୍, ମନି ମାଳା ସରକାର୍, ବିକ୍ରମ ସରକାର୍, ଗୀତା ବିଶ୍ୱାସ, ମନି କୁମାର ବିଶ୍ୱାସ, ସୁଧୀର ଗାଇନ୍ ପ୍ରମୁଖ ଉପସ୍ଥିତ ରହିଛନ୍ତି। ଏଥିରେ ସୂଚନାଯୋଗ୍ୟ ଯେ ଆତ୍ମହତ୍ୟା କରିଥିବା ଚାଷୀ ବିଭୂତି ଜଣେ ଗରିବ ଶ୍ରେଣୀର ଚାଷୀ ଥିଲେ, ସେ ଧାର କରଜ ସହ କୃଷି ଋଣ କରି ପ୍ରାୟ ଏକ ଏକର ଜମି ଫୁଲ କୋବି ଚାଷ କରିଥିଲେ। ହେଲେ ଚାଷ ସମ୍ପୂର୍ଣ ନଷ୍ଟ ହୋଇ ଯିବାରୁ କୌଣସି ଉପାୟ ନ ପାଇ ଏକ ପ୍ରକାର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ