01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଯୁବତୀଙ୍କୁ ବିଧବା ଦର୍ଶାଇ ଆବାସ ପ୍ରଦାନ ଘଟଣା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପକ୍ଷରୁ କ୍ଷେତ୍ରୀୟ ତଦନ୍ତ, ଜିଲ୍ଲାପାଳ ନେବେ ନିଷ୍ପତ୍ତି

ତିହିଡି,୩/୧୧ (ସ୍ପା) ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଅଧିନ ନରେନ୍ଦ୍ରପୁର ଗାଁର ଜନୈକ ଅବିବାହିତ ଯୁବତୀଙ୍କୁ ବିଧବା ଦର୍ଶାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ କରାଯାଇଥିବା ଏବଂ ପ୍ରଥମ କିସ୍ତିରେ ତାଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ପ୍ରସଙ୍ଗରେ ଶନିବାର ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କ୍ଷେତ୍ରୀୟ ତଦନ୍ତ କରାଯାଇଛି । ଏହି ତଦନ୍ତରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା(ପ୍ରଶାସକ), ଅତରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରହ୍ଲାଦ ରଣା(ମିଆଇଏସ) ଓ ଅତରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ୍ଦ୍ର ପାଣ୍ଡବ(ଆରଏଚ) ପ୍ରମୁଖ ହିତାଧିକାରୀଙ୍କ ବାପା ରବିନ୍ଦ୍ର ବେହେରାଙ୍କୁ ଭେଟିଥିଲେ । ତାଙ୍କ ଝିଅ ନିବେଦିତା ବେହେରାଙ୍କ ନାମରେ ଉକ୍ତ ଆବାସ ଯୋଜନା ପ୍ରଦାନ କରାଯାଇଛି ଏବଂ ଗତ ତା ୩୧.୦୮.୧୯ରିଖରେ ମଧ୍ୟ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯାଇଛି । ନିବେଦିତାଙ୍କ ବ୍ୟାଙ୍କ ପାଶବୁକ୍ ସମେତ ଏସିସି ଲିଷ୍ଟ ଯାଞ୍ଚ କରାଯାଇଥିଲା । ତେବେ ୨୦୧୧-୧୨ ଆର୍ଥିକ ବର୍ଷରେ ଏହି ଯୋଜନାରେ ସାମିଲ କରାଯିବା ଲାଗି ଭୁଲକ୍ରମେ ତାଙ୍କ ଝିଅଙ୍କ ନାମ ଉଲ୍ଲେଖ ରହିଥିବା ଏବଂ ପରେ ପର୍ଯ୍ୟାୟକ୍ରମେ ସେହି ଚିଠା ମୂଳେ କାର୍ଯ୍ୟାଦ୍ଦେଶ ପ୍ରଦାନ ଓ ଜିଓଟେକ୍ କରାଯାଇଛି । ଚିଠାରେ ନିବେଦିତା ବେହେରା, ପିତା ରବିନ୍ଦ୍ର ବେହେରା ଥିବାବେଳେ କମ୍ପ୍ୟୁଟର କରଣ ସମୟରେ କୌଣସି କାରଣ ବଶତଃ ବ୍ଲକ କାର୍ଯ୍ୟାଳୟରେ ତାଙ୍କୁ ବିଧବା ଦର୍ଶାଯାଇଛି । ଯାହା ଏବେ ପର୍ଯ୍ୟନ୍ତ ଖାତା ଓ ଅନ୍ଲାଇନରେ ସେହିନାଁ ରହିଥିବା ହିତାଧିକାରୀଙ୍କ ବାପା ସୂଚନା ଦେଇଥିଲେ । ତେବେ ତାଙ୍କ ପରିବାର ଅଯୋଗ୍ୟ ହିତାଧିକାରୀ ନୁହଁନ୍ତି, ଏସିସିରେ ତାଙ୍କ ପରିବାର ନାମ ରହିଛି ଓ ଟାଇପ୍ ସମୟରେ ଭୁଲ୍କ୍ରମେ ଜଣାଯାଇଛି । ତଦନ୍ତ ପରେ ଜିଲ୍ଲାପାଳ ଏହାର ନିଷ୍ପତି ନେବା ସହିତ ଆବଶ୍ୟକ ମୁତାବକ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ତଦନ୍ତ ସମୟରେ ସରପଞ୍ଚ ସୁବାଶ ଚନ୍ଦ୍ର ସେଠୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନଳିନୀକାନ୍ତ ଦାସ, ଜିଆରଏସ ଉଜ୍ୱଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନା ଥାଉକି, ନରେନ୍ଦ୍ରପୁର ଗାଁର ଭାଗିରଥି ସୂତାର ନାମକ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ୍ ବଳରେ ଏହି ତଥ୍ୟ ହାସଲ କରିବା ପରେ ବ୍ଲକ ଓ ପଞ୍ଚାୟତ ପ୍ରଶାସନଙ୍କୁ ଦାୟୀ କରିବା ସହିତ ପ୍ରକୃତ ହିତାଧିକାରୀଙ୍କୁ ଯୋଜନାରୁ ବାଦ୍ ଦିଆଯାଇ ଅଯୋଗ୍ୟ ହିତାଧିକାରୀଙ୍କ ସାମିଲ କରାଯାଉଛି ବୋଲି ଅଭିଯୋଗ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *