ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ସଦର ବନପାଳ ଗିରଫ…
ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲା ସଦର ମହକୁମାର ଜଣେ ବନପାଳ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବନପାଳ ମୁରଲିଧର ଅନୁଗୁଳିଆ ଓରକେଲ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୬ ବର୍ଷ ବୟଷ୍କା ଯୁବତୀଙ୍କ ସହ ପୂର୍ବରୁ ପରିଚିତ ଥିଲେ । ତେବେ ଗତ ଏପ୍ରିଲ୍ ମାସ ୫ ତାରିଖରେ ବନପାଳଙ୍କ ବାସଭବନକୁ ଯୁବତୀ ଜଣକ ବୁଲିବାକୁ ଯାଇଥିଲେ । ତେବେ ଉକ୍ତ ଦିନ ରାତ୍ରିରେ ଯୁବତୀଙ୍କ ଅନିଚ୍ଛା ସତ୍ୱେ ଅଭିଯୁକ୍ତ ବନପାଳ ଦୁଷ୍କର୍ମ କରିଥିଲେ । ପରେ ପିଡିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ ରଖିବା ସହ କାହାକୁ ନଜଣାଇବାକୁ କହିଥିଲେ । ପରେ ଘଟଣା ଉଭୟ ପିଡିତା ଓ ଅଭିଯୁକ୍ତଙ୍କ ପରିବାରର ଦୁଷ୍ଟି ଗୋଚରକୁ ଆସିବା ପରେ ଉଭୟ ପରିବାର ମିଶି ବିବାହ କରାଇଦେବା ପାଇଁ ସହମତି ପ୍ରକାଶ କରିଥିଲେ । ତେବେ ଇତି ମଧ୍ୟରେ ଏପ୍ରିଲ୍ ୬ ତାରିଖରୁ ଏପ୍ରିଲ୍ ୧୨ ତାରିଖ ପର୍ଯ୍ୟନ୍ତ ପିଡିତାଙ୍କ ସହ ଅଭିଯୁକ୍ତ ବନପାଳ ଶାରିରିକ ସମ୍ପର୍କ ରଖିଥିଲେ । ଏହାପରେ ବୁଝା ସୁଝା କରି ପିଡିତାଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ । ପରେ ଅଭିଯୁକ୍ତ ବନପାଳ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଦିନ ଗଡାଇ ଚାଲିଥିଲେ । ଇତି ମଧ୍ୟରେ ଅଭିଯୁକ୍ତ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ଜାଣିବାକୁ ପାଇବା ପରେ ବନପାଳଙ୍କୁ ପଚାରିବାରୁ ସେ ଧମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ । ଶେଷରେ ବାଧ୍ୟ ହୋଇ ପୀଡିତା ଜଣକ ମାଲକାନଗିରି ଏସ.ଡି.ଜି.ଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟର ନିର୍ଦେଶକ୍ରମେ ଆଜି ପୋଲିସ ଥାନାରେ କେସ ନମ୍ବର -244ରେ ମାମଲା ରୁଜୁ କରି ଅଭିଯୁକ୍ତ ବନପାଳ ମୁରଲୀଧର ଅନୁଗୁଳିଆଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ