ଯଥାଶୀଘ୍ର ରାଜ୍ୟ ସରକାର ଜମି ଯୋଗାଇଲେ,ରେଳପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବ: ଅଶ୍ବିନୀ ବୈଷ୍ଣବ

ମାଲକାନଗିରି(ସଖପ୍ର):ସାତ ଦଶନ୍ଧି ଧରି ଯେଉଁ ସ୍ବପ୍ନ ମାଲକାନଗିରିବାସୀ ଦେଖୁଛନ୍ତି ତାହା ସାକାର ହେବାର ଆଶା ଜାଗ୍ରତ ହୋଇଛି । ମାଲକାନଗିରି ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆସିଥିଲେ। ଦିନ ଦଶଟା ସମୟରେ ମାଲକାନଗିରିରେ ପହଞ୍ଚିବା ପରେ ସୁବାଷ ବୋଷ ଛକ ନିକଟରେ ଅଶ୍ବିନୀ ବୈଷ୍ଣବଙ୍କୁ ସ୍ବାଗତ କରାଯାଇଥିଲା। ଆଦିବାସୀ ଧୁନ ସହ ନୃତ୍ୟର ତାଳେ ତାଳେ ମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ। ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକଘର ସହ କେନ୍ଦୁଝର, ବୌଦ୍ଧ ଏବଂ ବାଲେଶ୍ବରର ଉପଡାକଘରର ନୂତନ କୋଠାଗୃହକୁ ଉଦଘାଟନ କରିଥିଲେ। ଡାକଘର ଉଦଘାଟନ ପରେ ଡିଆରଡିଏ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କୁ ନେଇ କେନ୍ଦ୍ରୀୟ ଯୋଜନାଗୁଡିକର ସମୀକ୍ଷା କରିଥିଲେ। ବିଶେଷକରି ପାନୀୟ ଜଳ, ମୋବାଇଲ ନେଟଓ୍ୱର୍କ,ରାସ୍ତା ,ଗରିବଙ୍କୁ ପୁଷ୍ଟିସାର ଖାଦ୍ୟ ଉପରେ ଗୁରୁତ୍ବ ଦେଇଥିଲେ। ଶେଷରେ ସଂସ୍କୃତି ଭବନରେ ଜିଲ୍ଲା ବିଜେପି କର୍ମକର୍ତ୍ତାଙ୍କ ସହ ସଂଗଠନ ବିଷୟରେ ଆଲୋଚନା କରିଥିଲେ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ