ମୋଟୁ ସୀମାନ୍ତରେ ଘରକୁ ଫେରିବା ପାଇଁ ପ୍ରବାସୀ ଶ୍ରମିକଙ୍କ ଲମ୍ବା ଧାଡି
ମାଲକାନଗିରି(ସ ବ ଖ ): ଲକ୍ ଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଓଡିଶା ଫେରାଇ ଆଣିବା ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିବା ପରେ ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଦେଇ ଶ୍ରମିକଙ୍କ ଘର ବାହୁଡା ଆରମ୍ଭ ହୋଇଯାଇଛି । ମାଲକାନଗିରି ଜିଲ୍ଲା ସୀମାକୁ ଲାଗିରହିଛି ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟ । ମୋଟୁଅଞ୍ଚଳଟି ଉକ୍ତ ତିନି ରାଜ୍ୟ ସୀମାନ୍ତରେ ରହିଛି । ବିଶେଷକରି ମାଲକାନଗିରି ଜିଲ୍ଲାରୁ ବହୁ ସଂଖ୍ୟାରେ ଲୋକେ କାମ କରିବା ପାଇଁ ପଡ଼ୋଶୀ ରାଜ୍ୟକୁ ଯାଉଛନ୍ତି । ପ୍ରବାସୀ ଓଡ଼ିଆ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହେବା ପରେ ବିଭିନ୍ନ ରାଜ୍ୟରେ ଲକ୍ ଡାଉନ ଯୋଗୁଁ ଫସି ରହିଥିବା ଶ୍ରମିକକୁ ଉକ୍ତ ଅଂଚଳର ରାଜ୍ୟ ସରକାର ସ୍ୱତନ୍ତ୍ର ଗାଡିରେ ଶ୍ରମିକ ମାନଙ୍କୁ ମୋଟୁ ନିକଟସ୍ଥ କାଲେରୁ ବ୍ରିଜ ଠାରେ ଛାଡି ଯିବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟୁ ତହସିଲଦାର ଶଶାଙ୍କ ଶେଖର ମିଶ୍ର କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ, କାଲିମେଳା ବିଡ଼ିଓ ଉମାଶଙ୍କର ଦଳାଇଙ୍କ ଉପସ୍ଥିତିରେ ପୋଲିସ ସମସ୍ତ ଶ୍ରମିକଙ୍କୁ ସାମାଜିକ ଦୂରତା ରକ୍ଷା ପାଇଁ କରାଯାଇଥିବା ଗୋଲେଇରେ ଛିଡା କରାଇ ଜଣ ଜଣ କରି ସମସ୍ତଙ୍କ ହାତରେ ଷ୍ଟାମ୍ପ ମାରିବା ପରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା କ୍ରିନିଙ୍ଗ କରାଯାଇ ନିକଟରେ କରାଯାଇଥିବା ଆଶ୍ରୟ ସ୍ଥଳୀକୁ ଛଡାଯାଇଥିଲା । ସେଠାରେ ପ୍ରଥମେ ସେମାନଙ୍କୁ ବିସ୍କୁଟ ଓ ପାଣି ଦିଆଯାଇଥିଲା । ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ଅନ୍ୟାନ୍ୟ ଜିଲ୍ଲାରୁ ଆସିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଜିଲ୍ଲାକୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସରେ ପଠାଯାଇଥିଲା ।ସେହିପରି ଆସିଥିବା ଜିଲ୍ଲାର ଶ୍ରମିକ ମାନଙ୍କୁ ଗାଡି ଯୋଗେ ନିଜ ନିଜ ପଞ୍ଚାୟତରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରକୁ ନେଇ ଛଡାଯାଇଥିଲା । ପ୍ରତିଦିନ ଶହ ଶହ ସଂଖ୍ୟାରେ ଶ୍ରମିକ ଏହି ବାଟରେ ଆସୁଥିବା ଦେଖିବାକୁ ମିଳୁଛି । ବିନା ପଞ୍ଜିକରଣରେ ଆସୁଥିବା ଶ୍ରମିକଙ୍କ ପଞ୍ଜିକରଣ ମଧ୍ୟ ଏଠାରେ ପ୍ରଶାସନ ପକ୍ଷରୁ କରାଯାଉଛି । ଗତ ତିନି ଦିନ ମଧ୍ୟରେ ୧୫ ଶହରୁ ଉର୍ଧ୍ଵ ଶ୍ରମିକ ମୋଟୁ ଦେଇ ଜିଲ୍ଲାକୁ ଆସିଥିବା ଜଣାପଡିଛି ।