ମୁର୍ତ୍ତୁମା ଗ୍ରାମ ଲୋକଙ୍କ ଦବଙ୍ଗଗିରି, ୩୨ଏକର ମକା ଚାଷ ନଷ୍ଟ ସହ ସାନଖଡକା ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ

ଉମରକୋଟ ୦୨/୦୮(ସଖପ୍ର): ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ମୁର୍ତ୍ତୁମା ଗ୍ରାମ ପଂଚାୟତ ଅଧୀନରେ ଥିବା ସାନଖଡକା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ଦୀର୍ଘ ୭୦ ରୁ ୮୦ବର୍ଷ ପୂର୍ବେ ଉମରକୋଟରୁ ୧୨କିଲୋମିଟର ଦୂରରେ ଏକ ଡ୍ୟାମ ନିର୍ମାଣ କରାଯାଇଥିଲା। ଏହା ଭାସ୍କେଲ ନଦୀ ଉପରେ ନିର୍ମିତ,ଉକ୍ତ ନଦୀର ଚତୁପାର୍ଶ୍ବରେ ଅନେକ ଗ୍ରାମ ଗୁଡିକର ଲୋକେ ଚାଷ କରି ନିଜର ଜୀବିକା ନିର୍ବାହ କରୁଥିଲେ। ଯେବେ ନଦୀ ଉପରେ ଡ୍ୟାମ ନିର୍ମାଣ କରାଗଲା ସେହି ସମୟରେ ଉକ୍ତ ଅଞ୍ଚଳର ଗ୍ରାମବାସୀ ମାନେ ଜମିହୀନ, ବାସହରା ହୋଇଗଲେ। ସେମାନଙ୍କୁ ପ୍ରଶାସନ ବଡ଼ ଖଡ଼କା ଗ୍ରାମ ଆଖ ପାଖ ଜଙ୍ଗଲ ଜମିକୁ ଗ୍ରାମବାସୀ ମାନଙ୍କୁ ଚାଷ କରି ଜୀବିକା ନିର୍ବାହ କରିବା ନିମନ୍ତେ ଦେଖାଇ ଦେଇଥିଲେ। ଗ୍ରାମବାସୀ ଜଙ୍ଗଲ ଜମିରେ ଚାଷ କରି ନିଜର ପରିବାରର ଭରଣ ପୋଷଣ କରୁଥିଲେ କିନ୍ତୁ ଆଜି ମୁର୍ତ୍ତୁମା ଗ୍ରାମର ପ୍ରାୟ ୩୦୦ ରୁ ୪୦୦ଲୋକ ଦାଆ, କୁରାଢ଼ୀ, ଠେଙ୍ଗା ଧରି ସାନଖଡକା ଗ୍ରାମରେ ଥିବା ୩୨ଏକର ଜଙ୍ଗଲ ଜମିରେ ଜବରଦସ୍ତି ପଶି ସବୁ ମକା ଫସଲକୁ ନଷ୍ଟ କରିଦେଲେ। ମୁର୍ତ୍ତୁମା ଗ୍ରାମବାସୀଙ୍କ ମୌଜାରେ ଚାଷ କରିଥିବାରୁ ଉକ୍ତ ଫସଲକୁ ନଷ୍ଟ କରିଦେଇଛନ୍ତି ବୋଲି ମୁର୍ତ୍ତୁମା ଗ୍ରାମବାସୀ କହିଛନ୍ତି। ପ୍ରଶାସନକୁ ବାରମ୍ବାର ଜଣାଇବା ସତ୍ୱେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆଜି ସାନଖଡକା ଗ୍ରାମବାସୀଙ୍କ ଏ ଅବସ୍ଥା ହେଲା ବୋଲି ଅଭିଯୋଗ ହୋଇଛି। ପୁଣି ସରକାରଙ୍କ ଠାରୁ ଋଣ ଆଣି ମକା ଚାଷ କରି ପରିବାର ପୋଷୁଥିଲୁ କିନ୍ତୁ ବର୍ତ୍ତମାନ କିପରିଭାବେ ଋଣ ଶୁଝିବୁ ଓ ପରିବାରକୁ ଚଳେଇବୁ ତାହା କଷ୍ଟକର ହୋଇଯିବ ବୋଲି ସାନଖଡକା ଗ୍ରାମବାସୀ କହିଛନ୍ତି। ବର୍ତ୍ତମାନ ପ୍ରଶାସନ ସାନଖଡକା ଗ୍ରାମବାସୀଙ୍କୁ ନ୍ୟାୟ ଦେବ କି ନାହିଁ ତାହା ଦେଖିବାକୁ ବାକି ରହିଲା।
ଉମରକୋଟରୁ ଘିନୁ ପନାକାଙ୍କ ରିପୋର୍ଟ