12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମରଣଯନ୍ତା ପାଲଟିଛି ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା

ଗଜପତି: ମରଣଯନ୍ତା ପାଲଟିଛି ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତା । ଦୀର୍ଘ ସମୟ ଧରି ଏହାର ମରାମତି କାମ ଚାଲିଥିବା ବେଳେ ଶେଷ ହେବାର ନାଁ ଧରୁନି । ଫଳରେ ସବୁ ସ୍ଥାନରେ ଅଧପନ୍ତରିଆ ହୋଇ ପଡ଼ିରହିଛି ରାସ୍ତା କାମ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସୂଚନାନୁସାରେ, ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତାର ପୁନଃଉଦ୍ଧାର ପାଇଁ ପୌରପରିଷଦ ପୂର୍ତ୍ତ ବିଭାଗକୁ ଏହି କାମ ହସ୍ତାନ୍ତର କରିଥିଲା । ତେବେ ଏହି ରାସ୍ତାକୁ ପୂର୍ତ୍ତ ବିଭାଗ ନିଜ ଅଧିନକୁ ନେବା ପରେ ରାସ୍ତାର ସ୍ଥିତି ସୁଧୁରିବା ନେଇ ଲୋକେ ଆଶା ପ୍ରକଟ କରିଥିଲେ । ହେଲେ ସ୍ଥିତି ସୁଧୁରିବା ବଦଳରେ ଅଧିକ ଖରାପ ହୋଇଥିଲା । ରାସ୍ତା ଉନ୍ନତି ପାଇଁ ବିଭାଗ ପକ୍ଷରୁ ବ୍ୟୟ ଅଟକଳ କରିବା ସହ ଏହାର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ହେଲେ କାମ ଅଧପନ୍ତରିଆ ହୋଇ ପଡିରହିଛି । ତଥାପି ଏହାକୁ ସମ୍ପୂର୍ଣ୍ଣ କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସ୍ଥିତି ବିଗିଡିବାରେ ଲାଗିଛି ।
ସେହିପରି କୋର୍ଟ ଛକଠାରୁ ରଜାନହର ରାସ୍ତାର ପୁନଃରୁଦ୍ଧାର କାମ ଆରମ୍ଭ ହୋଇଥିଲା । ହେଲେ ଅଳ୍ପ କିଛି କାମ କରି ସମ୍ପୃକ୍ତ ଠିକାଦାର ଏହାକୁ ଅଧାପନ୍ତରିଆ ଭାବେ ଛାଡି ଚାଲିଯାଇଛନ୍ତି । ଫଳରେ ଏହି ରାସ୍ତାର ସ୍ଥିତି ଅଧିକ ସାଂଘାତିକ ହୋଇପଡିଛି । ବିଭିନ୍ନ ସମୟରେ ଏହି ରାସ୍ତା ଯୋଗୁଁ ଛୋଟବଡ ଦୁର୍ଘଟଣାମାନ ଘଟୁଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସେପେଟ ଏନେଇ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି , ରାସ୍ତାର ଉଭୟ ପାର୍ଶ୍ବରେ ଥିବା ବିଦ୍ୟୁତ ଖୁଣ୍ଟକୁ ଘଞ୍ଚାଇବା ପାଇଁ ସାଉଥକୋକୁ ଜଣାଯାଇଥିଲେ ମଧ୍ୟ ସେମାନେ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏସମ୍ପର୍କରେ ସାଉଥକୋ ନିର୍ବାହୀ ଯନ୍ତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ତେଣୁ ଉକ୍ତ ମାମଲାରେ ଏବେ ପ୍ରଶାସନର ହସ୍ତକ୍ଷେପ ଜରୁରୀ ହୋଇପଡିଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *